ଟାଙ୍ଗୀ : ରାଜ୍ୟ ସରକାର ଜନସାଧାରଣଙ୍କୁ ହାତପାଆନ୍ତାରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଆଇନ୍ ପ୍ରଣୟନ କରିବାରେ ହେଳାନାହିଁ। କିନ୍ତୁ ତାହା କର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ସମସ୍ତଙ୍କୁ ବ୍ୟଥିତ କରୁଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ମଙ୍ଗଳାଯୋଡ଼ି ପଞ୍ଚାୟତରେ।
ତିନି ବର୍ଷ ତଳେ ସୁନ୍ଦରପୁର ପଞ୍ଚାୟତକୁ ଦୁଇ ଭାଗକରି ମଙ୍ଗଳାଯୋଡ଼ିକୁ ଏକ ନୂତନ ପଞ୍ଚାୟତର ମାନ୍ୟତା ଦିଆଗଲା। ଏହି କାର୍ଯ୍ୟାଳୟ ପାଇଁ ଅର୍ଥ ବ୍ୟୟବରାଦ ତଥା ଜାଗା ଚିହ୍ନଟ ହୋଇସାରିଛି। କିନ୍ତୁ ଜାଗା ସମସ୍ୟାରେ ଛନ୍ଦି ହୋଇଛି କାର୍ଯ୍ୟାଳୟ ଗୃହ ନିର୍ମାଣ। ଏବେ ଭଡ଼ାଘରେ ଚାଲିଛି ଏହି ପଞ୍ଚାୟତ କାର୍ଯ୍ୟାଳୟ। ଜାଗା ଅଭାବ ହେତୁ ପଞ୍ଚାୟତର ବିଭିନ୍ନ ସଭା ସମିତି ମଧ୍ୟ ଠିକ୍ ଭାବେ ହୋଇପାରୁନାହିଁ। ଏହି ପଞ୍ଚାୟତକୁ ୧୬ଟି ୱାର୍ଡରେ ଭାଗ କରାଯାଇଥିଲେ ମଧ୍ୟ ୫ ନମ୍ବର ଓ ୬ ନମ୍ବର ୱାର୍ଡର ଜନସାଧାରଣ କେବଳ ପାଇପ୍ ମାଧ୍ୟମରେ ଜଳଯୋଗାଣର ସୁବିଧା ପାଇପାରୁ ନାହାନ୍ତି। ପଞ୍ଚାୟତର ଜନସଂଖ୍ୟା ୯ ହଜାରରୁ ଅଧିକ ଓ ଭୋଟର ସଂଖ୍ୟା ୫ ହଜାରରୁ ଅଧିକ ହୋଇଥିଲେ ମଧ୍ୟ ବ୍ୟାଙ୍କ ସେବା ଏଠି ସାତ ସପନ। ପଞ୍ଚାୟତ ବିଭାଜନ ପୂର୍ବରୁ ସୁନ୍ଦରପୁର ପଞ୍ଚାୟତରେ ସେବା ସମବାୟ ସମିତି ଜନସାଧାରଣଙ୍କ ସେବାରେ ଆସିପାରୁଥିଲା। କିନ୍ତୁ ଏବେ ଏହି ପଞ୍ଚାୟତରେ ନା ଅଛି ବ୍ୟାଙ୍କ ନା ଅଛି ସେବା ସମବାୟ ସମିତି।
ଫନି ପରେ ବିପିଏଲ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ସେବା ମିଳୁନାହିଁ। ଶତାଧିକ ବିପିଏଲ ବିଦ୍ୟୁତ୍ ଗ୍ରାହକ ଚୋରାରେ ଏପିଏଲ ସଂଯୋଗରୁ ହୁକ ପକାଇ ବିଦ୍ୟୁତ୍ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ପଞ୍ଚାୟତର ମଙ୍ଗଳାଯୋଡ଼ି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ପରିସରଭୁକ୍ତ କରାଯାଇଥିବା କୁହାଯାଉଥିବାବେଳେ ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼ିବା ଭଳି ଟାଙ୍ଗୀ ପୁରୁଣା ଜାତୀୟ ରାଜପଥରୁ ଏହି ପ୍ରାନ୍ତକୁ ସଂଯୋଗ କରୁଥିବା ମୁଖ୍ୟ ଅଙ୍କା ବଙ୍କା ଆର୍ଡି ରାସ୍ତା ସଂପ୍ରସାରଣ ହୋଇ ପାରୁନି। ଖାଲଖମାରେ ଭରିଛି ଏହି ରାସ୍ତା। ନିଳାମ୍ବୁ ଚିଲିକା କୂଳରେ ଅବସ୍ଥିତ ଏହି ପଞ୍ଚାୟତରେ ରହିଛି ଇକୋ ଟୁରିଜିମ୍ ପ୍ରକଳ୍ପ ପ୍ରକୃତି ନିବାସ। ବର୍ଷସାରା ବିଭିନ୍ନ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକ ଭ୍ରମଣରେ ଆସୁଥିଲେ ମଧ୍ୟ ମଙ୍ଗଳାଯୋଡ଼ି ଆଶାନୁରୂପ ଭାବେ ବିକଶିତ ହୋଇ ପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/mangalajodi-f.jpg)