ଆମ୍ବ ଉତ୍ସବ ଉଦ୍‌ଘାଟିତ : ୨.୫ ଲକ୍ଷ ହେକ୍ଟରରୁ ୧୦ ଲକ୍ଷ ଟନ୍‌ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ହାରାହାରି ୨ ଲକ୍ଷ ହେକ୍ଟର ଜମିରେ ଆମ୍ବ ଚାଷ କରାଯାଉଛି ଓ ପ୍ରାୟ ୮.୩ ମେଟ୍ରିକ୍‌ ଟନ୍‌ ଆମ୍ବ ଉତ୍ପାଦନ କରାଯାଉଛି। କିନ୍ତୁ ଆଗାମୀ ୫ ବର୍ଷ ଭିତରେ ୨.୫ ଲକ୍ଷ ହେକ୍ଟର ଜମିରେ ଆମ୍ବ ଚାଷ କରାଯାଇ ବାର୍ଷିକ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଅମଳ କରାଯିବାର ଲକ୍ଷ୍ୟ ରହିଛି। ଚାଷୀର ଉତ୍ପାଦିକା ଶକ୍ତି ବୃଦ୍ଧି ସହ ପ୍ରକ୍ରିୟାକରଣ ଓ ବଜାରିକରଣ ଉପରେ ଅଧିକ ଗୁରୁତ୍ୱ ମଧ୍ୟ ଦିଆଯାଉଛି। ଅତ୍ୟାଧୁନିକ ପ୍ରଣାଳୀରେ ଆମ୍ବ ଚାଷ କରିବା ପାଇଁ ଚାଷୀମାନଙ୍କୁ ନୂତନ ଜ୍ଞାନକୌଶଳ ପ୍ରଦାନ କରାଯାଉଛି। ତେଣୁ ଏବେ ଆମ୍ବ ଚାଷରେ ଓଡ଼ିଶା କ୍ରମାଗତଭାବେ ଅଗ୍ରଣୀ ଲାଭ କରୁଛି ଓ ଚାଷୀମାନେ ଅଧିକରୁ ଅଧିକ ଉତ୍ସାହିତ ହେଉଥିବା ଦେଖାଯାଉଛି। ଫଳରେ ଓଡ଼ିଶାରେ ଆମ୍ବ ଉତ୍ପାଦନ ବୃଦ୍ଧି ପାଉଛି ଓ ଓଡ଼ିଶା ଏବେ ଦେଶ ଓ ବିଦେଶକୁ ଆମ୍ବ ରପ୍ତାନୀ କରିବାର କ୍ଷମତା ଅର୍ଜନ କରିଛି। ଏହା ବେଶ୍‌ ଖୁସିର କଥା ବୋଲି ଆଜି ଆମ୍ବ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଇଗିଣିଆସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ ଆୟୋଜିତ ୨ ଦିନିଆ ଆମ୍ବ ଉତ୍ସବ ଓ ଚାଷୀ କର୍ମଶାଳାକୁ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇ କହିଲେ ଯେ ଆଗାମୀ ୫ ବର୍ଷ ଭିତରେ ଅନଗୁଳ, ଢ଼େଙ୍କାନାଳ, କୋରାପୁଟ, ମୟୁରଭଂଜ, ଗଜପତି, ରାୟଗଡ଼ା, କେନ୍ଦ୍‌ୁଝର ଆଦି ଜିଲ୍ଲାରେ ଆମ୍ବ ଚାଷକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଠାରେ ପ୍ରାୟ ୫୬ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯିବା ଲକ୍ଷ୍ୟ ରହିଛି। ତୋଟାପୁରୀ ଓ କେଶରୀ ଆମ୍ବ ଚାଷକୁ ଅଧିକ ପ୍ରୋତ୍ସାହିତ କରାଯିବା ସହ ପ୍ରକି୍ରିୟାକରଣ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଥିଲେ। ଏବେ ପାରମ୍ପରିକ ଆମ୍ବ ସହ ବିଭିନ୍ନ ଶଙ୍କର ଜାତୀୟ ଆମ୍ବ ଯଥା ଲାଙ୍ଗଡ଼ା, କେଶରୀ, ତୋଟାପୁରୀ, ନିଲମ, ବାଇଗଣପଲ୍ଲି, ହିମସାଗର, ଆମ୍ରପାଲ୍ଲୀ, ମଲ୍ଲୀକା ଓ ଦଶେରୀ ଭଳି ଆମ୍ବ ଚାଷ ଓଡ଼ିଶାରେ ବେଶ୍‌ ଭଲ ହେଉଛି। ଏହି ଚାଷରେ ମଧ୍ୟ ଚାଷୀମାନେ ବେଶ୍‌ ଲାଭବାନ୍‌ ହେଉଛନ୍ତି। ଉଦ୍ୟାନ ବିଭାଗ ଜରିଆରେ ମଣ୍ଡିରେ ଚାଷୀମାନଙ୍କଠାରୁ ଆମ୍ବ କିଣାଯାଇ ବାହାର ବଜାରକୁ ରପ୍ତାନୀ କରାଯାଉଛି। ଜାତୀୟ ଉଦ୍ୟାନ ମିସନ ଓ ମନେରଗା ଯୋଜନାରେ ଆମ୍ବ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହି ୨ ଦିନିଆ କର୍ମଶାଳାକୁ ରାଜ୍ୟର ପ୍ରାୟ ୬୫୦ ଜଣ ଆମ୍ବ ଚାଷୀ ଆସିଛନ୍ତି। କର୍ମଶାଳାରେ ବୈଜ୍ଞାନିକମାନେ ସେମାନଙ୍କୁ ଆମ୍ବ ଚାଷ ଉପରେ ଅଧିକ ନୂତନ ଜ୍ଞାନକୌଶଳ ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ୨୫ ଟି ଷ୍ଟଲ୍‌ ପଡ଼ିଛି ଓ ସେଠାରେ ପ୍ରାୟ ୧୦୦ କିସମର ଆମ୍ବ ବିକ୍ରି କରାଯାଉଛି। ଆଜି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଷ୍ଟଲ ବୁଲି ଦେଖିବାବେଳେ ବେଶ୍‌ ଖୁସି ହୋଇଥିଲେ।

ସମ୍ବନ୍ଧିତ ଖବର