ମଙ୍ଗୁ ମଠ ଉଚ୍ଛେଦ ପ୍ରତିବାଦରେ ପୁରୀରେ ଶିଖ ପ୍ରତିନିଧି, ଜିଲ୍ଲାପାଳଙ୍କୁ ଭେଟି ଜଣାଇଲେ ଅସନ୍ତୋଷ

ଆମେରିକା ଓ ଅମୃତସର ପ୍ରତିନିଧି ସାମିଲ

ପୁରୀ: ଗତକାଲି ଠାରୁ ଆରମ୍ଭ ହୋଇଥିବା ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆଜି ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି। ମଙ୍ଗୁ ମଠ ସଂପୂର୍ଣ୍ଣ ମାଟିରେ ମିଶିନଥିଲେ ବି ମଠ ଭିତରେ ଚାପି ହୋଇଯାଇଥିବା ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମଠ ଓ ମନ୍ଦିରକୁ ସୁରକ୍ଷିତ ରଖି ପ୍ରଶାସନ ସତର୍କତାର ସହିତ ଉଚ୍ଛେଦ ଜାରି ରଖିଛି। ମଠ ଉଚ୍ଛେଦ ହେବା ପରେ ମଠ ଭିତର ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଆଳତୀ ମଧ୍ୟ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ପୂର୍ବଭଳି ଆଜି ମଧ୍ୟ ମଙ୍ଗୁ ମଠ ଉଚ୍ଛେଦକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଶିଖ୍ ସଂପ୍ରଦାୟ। ଆଜି ଉଚ୍ଛେଦକୁ ନେଇ ଆମେରିକା, ଅମୃତସର ଏବଂ ଓଡ଼ିଶାରୁ ଏକ ମିଳିତ ପ୍ରତିନିଧିମଣ୍ଡଳୀ ମଙ୍ଗୁ ମଠ ସ୍ଥାନକୁ ଯାଇ ଏହାର ପ୍ରତିବାଦ କରିଛନ୍ତି। ମଠ ଉଚ୍ଛେଦ କରିବା ପୂର୍ବରୁ ଗୁରୁ ନାନକ ଓ ଗୁରୁ ଗୋବିନ୍ଦ ସିଂହଙ୍କ ସହ ଜଡିତ ସ୍ମୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଶିଖ ସଂପ୍ରଦାୟ ପକ୍ଷରୁ ଦାବି ହୋଇଛି। ଏ ନେଇ ଆଜି ଏକ ପ୍ରତିନିଧିମଣ୍ଡଳୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଛନ୍ତି। ମଙ୍ଗୁ ମଠର ଐତିହ୍ୟକୁ ସୁରକ୍ଷିତ ରଖାଯାଉଛି, ମଠରେ ଚାଲିଥିବା ବ୍ୟବସାୟିକ ଭିତ୍ତିଭୂମିକୁ କେବଳ ଭଂଗାଯାଉଛି ବୋଲି ଜିଲ୍ଲାପାଳ ଉତ୍ତର ରଖିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଭୁବନେଶ୍ବରରୁ ଆଇନଜୀବୀ ସୁଖବିନ୍ଦର କୌର, ବଳିଆପଣ୍ଡା ଗୁରୁଦ୍ବାରର ବାବା ସମସେର ସିଂହ, ଯୁକ୍ତ ରାଷ୍ଟ୍ର ଆମେରିକାରୁ ଆସିଥିବା ଦଲମିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସିଂହଦ୍ବାର ସମ୍ମୁଖରେ ଥିବା ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଦ୍ବିତୀୟ ଦିନରେ ପହଞ୍ଚିଛି। ଆସନ୍ତାକାଲି ମଧ୍ୟ ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ।

ସମ୍ବନ୍ଧିତ ଖବର