ଆଜି ଆସୁଛନ୍ତି ମାନିକ ସରକାର, ୬ରେ ‘ପାଟକୁରା ଗାନ୍ଧୀ’ଙ୍କ ଜୀବନ ପୁସ୍ତକ ଉନ୍ମୋଚନ କରିବେ

ଭୁବନେଶ୍ୱର : ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଏମ୍‌ ନେତା ମାନିକ ସରକାର ଆସନ୍ତାକାଲି ଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୬ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ପୂର୍ବତନ ବିଧାୟକ ତଥା ‘ପାଟକୁରା ଗାନ୍ଧୀ’ ରାଜକିଶୋର ନାୟକଙ୍କ ଜୀବନ ପୁସ୍ତକ ‘ସାୟାହ୍ନର ସ୍ମୃତି’କୁ ଶ୍ରୀ ସରକାର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ନିର୍ମଳପ୍ରଭା ନାୟକ ରାଜକିଶୋରଙ୍କ ଜୀବନୀକୁ ନେଇ ଏହି ପୁସ୍ତକ ରଚନା କରିଛନ୍ତି। ଏଥିସହିତ ଶ୍ରୀ ସରକାର ଉକ୍ତ ଉତ୍ସବରେ ‘ପରିପୂର୍ଣ୍ଣତାର ପ୍ରତିଷ୍ଠା ଓ ରାଜନୀତିରେ ମୂଲ୍ୟବୋଧ’ ଶୀର୍ଷକ ସ୍ମାରକୀ ବକ୍ତତା ପ୍ରଦାନ କରିବେ।

ଆସନ୍ତା ୬ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ସ୍ଥାନୀୟ ଜୟଦେବ ଭବନରେ ରାଜକିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରାଜକିଶୋରଙ୍କ ଛାତ୍ର ତଥା ବିଶିଷ୍ଟ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଗୌରହରି ଦାସ ପ୍ରମୁଖ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ କାଳ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ସିପିଏମ୍‌ ନେତା ମାନିକ ସରକାର ଏବେ ସେଠାରେ ବିରୋଧୀ ଦଳ ନେତା ଅଛନ୍ତି। ଏହି ଉତ୍ସବରେ ଯୋଗଦେବା ପାଇଁ ରାଜକିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ସଂପାଦକ ପର୍ଶୁରାମ ଦ୍ୱିବେଦୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର