ମାଙ୍କେଡ଼ିଆଙ୍କ ରିଲିଫ୍‌ ଖାଦ୍ୟ ହେରଫେର

କାଳିଆପାଣି : ସମାଜ ସେବା ଓ ଦୁର୍ଗତଙ୍କୁ ସହାୟତାର ହାତ ବଢ଼ାଇବା ନାଁରେ ମାଙ୍କେଡ଼ିଆଙ୍କ ରିଲିଫ୍ ଖାଦ୍ୟକୁ ଯୋଜନାବଦ୍ଧ ଭାବେ ଲୁଟି ନେଇଛନ୍ତି ଏକାଧିକ ସରକାରୀ କର୍ମଚାରୀ। ଟାଟାଷ୍ଟିଲ ଓ ସରକାରୀ ଅନୁଦାନରେ ମିଳିଥିବା ଖାଦ୍ୟ ସାମଗ୍ରୀରୁ ମାତ୍ର ଭାଗେ ଖାଇବାକୁ ଦେଇ ତିନିଭାଗ ଚଳୁ କରିଦେଇଛନ୍ତି। ବିଳମ୍ବରେ ହେଉ ପଛେ ମାଙ୍କେଡ଼ିଆ ସମାଜ ଏଭଳି ଘୃଣ୍ୟ ଦୁର୍ନୀତିର ଗନ୍ଧ ବାରିପାରିଛି। ଏଥିସହ ଆଜି ବସ୍ତିର ମଧ୍ୟସ୍ଥଳରେ ଥିବା ପ୍ରାର୍ଥନାଗୃହରେ ଏକ ଜରୁରୀ ବୈଠକ ଡକାଇ ସାମୂହିକ ଭାବେ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଇ ଦୁର୍ନୀତିଖୋରଙ୍କ ବି‌େରାଧରେ ମୁହଁ ଖୋଲିଛନ୍ତି।

ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ମାଙ୍କେଡ଼ିଆ ବସ୍ତିର ‘ଫନି’ ଦୁର୍ଗତ ମାଙ୍କେଡ଼ିଆ ବସ୍ତିବାସିନ୍ଦାଙ୍କ ପାଇଁ ଗତ ୩ ତାରିଖ ଶନିବାର କାଟେପୂର୍ତ୍ତି ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସାମୟିକ ଥଇଥାନ କେନ୍ଦ୍ର ଖୋଲା ଯାଇଥିଲା। ଟାଟାଷ୍ଟିଲ ପକ୍ଷରୁ ୧ ବସ୍ତା(୪୪ କିଲୋ) ଚୁଡ଼ା, ୧୦ କିଲୋ ଗୁଡ଼, ଏକ କ୍ବିଣ୍ଟାଲ(୪ ବସ୍ତା) ଚାଉଳ, ୨୫ କିଲୋ ଡାଲି(୧ ବସ୍ତା), ୫ ଲିଟର(୫ ପ୍ୟାକେଟ୍‌) ରିଫାଇନ୍ ତେଲ ଓ ଆନୁସଙ୍ଗିକ ମସଲା ଯୋଗାଇ ଦିଆଯାଇଥିଲା ବୋଲି ଟାଟାଷ୍ଟିଲ(ଏଫଏଏମଡି) ମୁଖ୍ୟ ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତ୍ତୀଙ୍କ ସୂତ୍ରରୁ ପ୍ରକାଶ । ଏଥିସହ ସ୍କୁଲରେ ଗଛିତ ଥିବା ଚାଉଳରୁ ଅତିରିକ୍ତ ୧ କ୍ବିଣ୍ଟାଲ ଚାଉଳ(୨ ବସ୍ତା) ଦିଆଯାଇଥିଲା ବୋଲି ପ୍ରଧାନଶିକ୍ଷକ ହେମନ୍ତ କୁମାର ସାହୁ ମତ ଦିଅନ୍ତି। ସେଦିନ ରୋଷେଇ ପାଇଁ ମାଙ୍କେଡ଼ିଆମାନେ ଘରେ ସାଇତି ରଖିଥିବା ଶୁଖିଲା କାଠ ଯୋଗାଇ ଦେଇଥିଲେ। ଏକାଧିକ ସହୃଦୟ ବ୍ୟକ୍ତି କିଛି ପନିପରିବା ସହାୟତା ଦେଇଥିଲେ। ପୂର୍ବତନ ୱାର୍ଡସଭ୍ୟ ସନିଆଁ ମାଙ୍କେଡ଼ିଆ ଓ ତିନି ସହଯୋଗୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରନ୍ଧାବଢ଼ାରେ ସହଯୋଗ କରିଥିଲେ। ଦିନ ସ‌ାଢ଼େ ୧୧ଟାରେ ସମସ୍ତଙ୍କୁ ଜଳଖିଆରେ ଚୁଡ଼ାଗୁଡ଼ ଦିଆଯିବା ପରେ ୧୦ କିଲୋରୁ ଅଧିକ ଚୁଡ଼ା ଓ ୫ କିଲୋ ପାଖାପାଖି ଗୁଡ଼ ବଳିଥିଲା। ଅପରାହ୍ନରେ ମାତ୍ର ଥରଟିଏ ସମସ୍ତଙ୍କୁ ରନ୍ଧା ଖାଦ୍ୟ(ଭାତ, ଡାଲ୍‌ମା) ଦିଆଯାଇଥିଲା। ରୋଷେଇରେ ମାତ୍ର ୫୦ କିଲୋ ଚାଉଳ, ୭ ରୁ ୮ କିଲୋ ଡାଲି ଓ ୧ ଲିଟର ତେଲ ବ୍ୟବହୃତ ହୋଇଥିଲା ବୋଲି ନିଜେ ସନିଆଁ ମାଙ୍କେଡ଼ିଆ ମତ ଦିଅନ୍ତି। ହେଲେ ପରଦିନ ସକାଳୁ ମାତ୍ର ୩ କିଲୋ ପାଖାପାଖି ଚୁଡ଼ା, ଗୋଟିଏ ପ୍ୟାକେଟ୍‌ ‌ତେଲ ଓ କିଛି ହଳଦୀଗୁଣ୍ଡ ଧରାଇଦେଇ ଅବଶିଷ୍ଟ ଖାଦ୍ୟ ସାମଗ୍ରୀକୁ ହରିଲୁଟ୍‌ କରିନେଇଥିଲେ ବୋଲି ସନିଆଁ ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ ସଂପୃକ୍ତ କାର୍ପଟଦାରକୁ ତାଗିଦ୍ କରିବାରୁ ସେ ୫୦ କିଲୋ ଚାଉଳ ଫେରାଇବାକୁ ବାଧ୍ୟ ହୋଇଥିଲେ। ଉକ୍ତ ବ୍ୟକ୍ତି ଜଣକ ସହଯୋଗ ନାଁରେ ବିଭିନ୍ନ ଅନୁଷ୍ଠାନରୁ ଏମିତି ହରିଲୁଟ୍‌ କରିଆସିଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଗଲେ ଆହୁରି ବହୁ ଗୁମର ଖୋଲିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର