ମନୋଜ ଜେନା ହତ୍ୟା ପଛରେ ସୁଲତାନ୍‌; ଗୁଳି କରିଥିଲା ଗଣେଶ, ତଣ୍ଟି କାଟିଥିଲା ହୃଷୀ

ଭଗବାନର ମଦଭାଟିରୁ ଖଣ୍ଡା, ବୋମା ଜବତ

ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳି କରି ହତ୍ୟା ପଛରେ ହାର୍ଡ଼କୋର୍‌ ଅପରାଧୀ ସୁଲତାନର ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ଗତ ରାତିରେ ଏନ୍‌କାଉଣ୍ଟର୍‌ରେ କାବୁ କଲା ପରେ ଏ କଥା ସ୍ପଷ୍ଟ ହୋଇଛି। ମନୋଜ ହତ୍ୟା ମାମଲାରେ ଯେଉଁ ୭ଜଣଙ୍କ ନାଁରେ ଏତଲା ଦାଏର ହୋଇଛି ସେମାନଙ୍କ ମଧ୍ୟରେ ଆସିକା ଅଞ୍ଚଳର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ସୁଲତାନ ଓରଫ୍‌ ସୁନୀଲ ନାୟକର ନାଁ ରହିଛି। ତେଣୁ ପୁଲିସ ସୁଲତାନକୁ ଧରିବା ପାଇଁ ତନାଘନା ଜାରି ରଖିଛି। ଏଥି ସହ ପୁଲିସ ହାତରେ ଲାଗିଛି ଅନେକ ଚାଞ୍ଚଲ୍ୟକର ତଥ୍ୟ। ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିବା ଆସିକାର ଗଣେଶ ନାୟକ(୨୫) ଓରଫ୍‌ ବୁଲୁ ଏବଂ ହୃଷୀକେଶ ପାତ୍ର(୨୭) ଗଞ୍ଜାମ ପୁଲିସ ରେକର୍ଡ଼ରେ ପେସାଦାର ଅପରାଧୀ ତାଲିକାରେ ରହିଛନ୍ତି। ଉଭୟଙ୍କ ନାଁରେ ପୂର୍ବରୁ ମଧ୍ୟ ଦୁଇଟି ଲେଖାଏଁ ହତ୍ୟା ମାମଲା ରହିଛି। ଘଟଣା ଦିନ ମନୋଜଙ୍କ ଉପରକୁ ଗଣେଶ ଗୁଳି କରିଥିଲା ଓ ହୃଷୀ ତଣ୍ଟି କାଟିଥିଲା ବୋଲି ଏସ୍‌ପି ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏନ୍‌କାଉଣ୍ଟର୍‌ରେ ଆହତ ଗଣେଶ ନାୟକ ଓ ହୃଷୀକେଶ ପାତ୍ର

ଗତ ୨୩ ତାରିଖରେ ଭୋଟ ଗଣତି ଥିଲା। ତେଣୁ ମନୋଜ ତାଙ୍କର କିଛି ସହଯୋଗୀଙ୍କ ସହିତ ଏକ କାର୍‌ରେ ୨୨ତାରିଖ ରାତିରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିଲେ। ରାତି ପ୍ରାୟ ୯ଟା ବେଳେ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ପହଞ୍ଚିଥିବାବେଳେ ଦୁଇଟି ବାଇକ୍‌ରେ ୫/୬ଜଣ ଦୁର୍ବୃତ୍ତ ଆସି ମନୋଜଙ୍କୁ ଗୁଳି କରି ଓ ଗଳା କାଟି ଚମ୍ପଟ ମାରିଥିଲେ। ୨୩ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଅପରାଧୀମାନେ ଆସିକା ଅଞ୍ଚଳର ବୋଲି ପୁଲିସ ସ୍ପଷ୍ଟ କରିଥିଲା। ଆସିକା ଓ ବ୍ରହ୍ମପୁର ପୁଲିସର ମିଳିତ ଟିମ୍‌ ଏହି ମାମଲାର ତଦନ୍ତ କରିଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ମନୋଜ ହତ୍ୟାକାଣ୍ଡର କିଛି ଅପରାଧୀ ବାଇକ୍‌ରେ ଆନ୍ଧ୍ର ଆଡ଼କୁ ଯାଉଥିବା ପୁଲିସ ଖବର ପାଇଥିଲା। ପୁଲିସର ଏକ ଟିମ୍‌ ସେମାନଙ୍କୁ ପିଛା କରିବା ବେଳେ ରଣ୍ଢା ଅମିତ ହସ୍‌ପିଟାଲ ନିକଟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଗଣେଶ ଓ ହୃଷୀ ଆହତ ହୋଇଥିଲେ। ଅନ୍ୟ ୩ଜଣ ବାଇକ୍‌ରେ ଫେରାର୍‌ ହୋଇ ଯାଇଥିଲେ। ଉଭୟ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ବୋଲି ଏସ୍‌ପି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ଅନୁମାନ କରୁଛି। ଗଣେଶ ନାଁରେ ପୂର୍ବରୁ ଦୁଇଟି ହତ୍ୟା ମାମଲା ରହିଥିବା ବେଳେ ଆସିକାରେ ଦୁଇଟି ହତ୍ୟା ଉଦ୍ୟମ ମାମଲା ମଧ୍ୟ ଅଛି। ସେ ୨୦୧୫ ଅଗଷ୍ଟରେ ଆସିକାରେ ବୁଢ଼ା ବିଷୋୟୀ ହତ୍ୟାକାଣ୍ଡ ଓ ୨୦୧୫ ନଭେମ୍ବରରେ ବୁଗୁଡ଼ାର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ର ହତ୍ୟା ମାମଲାରେ ଗିରଫ ହୋଇ ଜାମିନ୍‌ରେ ଆସିଥିଲା। ଏହାପରେ ୨୦୧୭ ଡିସେମ୍ବର ମାସରେ ଏକ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର୍‌ ଥିଲା। ହୃଷୀ ମଧ୍ୟ ବୁଢ଼ା ଓ ବାଳକୃଷ୍ଣ ହତ୍ୟା ମାମଲାରେ ସାମିଲ ଥିଲା।

ଭଗବାନର ମଦଭାଟିରୁ ଖଣ୍ଡା, ବୋମା ଜବତ

ଆସିକା : ମନୋଜ ଜେନା ହତ୍ୟା ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତ ଭଗବାନ ସାହୁର ଦେଶୀ ମଦ ଭାଟି ଉପରେ ଚଢଉ କରିଛି। ଏହି ଭାଟିରୁ ହିଁ ମନୋଜଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସିକାଠୁ ୮ କିଲୋମିଟର ଦୂର ସନ୍ଧିନୂଆପଲ୍ଲୀ ଗ୍ରାମରେ ଥିବା ଭଗବାନର ମଦ ଭାଟି ଉପରେ ରାତି ପ୍ରାୟ ୮ଟା ବେଳେ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ, ଆସିକା ଏସଡିପିଓ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ପୁଲିସ ସେଠାରୁ ୫ଟି ବୋମା, ୧୦ରୁ ଅଧିକ ଖଣ୍ଡା ଓ ସେଠାରେ ମହଜୁଦ୍ ଥିବା ବିପୁଳ ପରିମାଣର ମଦ ଜବତ କରିଥିବା ଜଣାପଡ଼ିଛି। ଖବର ମିଳିବା ସୁଦ୍ଧା ଛାନଭିନ ଜାରି ରହିଛି। ମନୋଜଙ୍କୁ ହତ୍ୟା କରିବାକୁ ଏହି ମଦଭାଟିରେ ହିଁ ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଏନକାଉଣ୍ଟରରେ ଆହତ ଦୁଇ ଅଭିଯୁକ୍ତ ସୂଚନା ଦେବା ପରେ ଏହାକୁ ଆଧାର କରି ଆଜି ଚଢଉ ହୋଇଥିଲା।

ସମ୍ବନ୍ଧିତ ଖବର