କଂଗ୍ରେସ ରାଲିରେ ଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ୯ ଦିନ ପରେ ଜଙ୍ଗଲରୁ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଝରିଗାଁ ବ୍ଲକ୍ ଗୌଡସାହି ଗାଁର ନିଖୋଜ ଥିବା ଅଭିଜିତ ମଣ୍ଡଳଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୯ତାରିଖରେ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରିନଥିଲେ ଅଭିଜିତ୍ । ଏନେଇ ପରିବାର ଲୋକେ ୧୦ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଆଜି ୯ ଦିନ ପରେ କୁସୁମପାଣି ଜଙ୍ଗଲରୁ ଅଭିଜିତର ମୃତଦେହ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି ।ସୂଚନା ଅନୁସାରେ ୨୦୧୯  ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ବେଳେ ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲିରେ ସାମିଲ ହୋଇଥିଲେ ଅତୁଲ ମଣ୍ଡଳଙ୍କ ପୁଅ ଅଭଜିତ ମଣ୍ଡଳ ।

ଅଭିଜିତ ତାଙ୍କ ବାଇକ୍ ନେଇ କଂଗ୍ରେସ ରାଲିରେ ଯିବି ବୋଲି ଘରେ ମା’କୁ କହି ଝରିଗାଁ ଆସିଥିଲେ । କିନ୍ତୁ ରାଲି ସରିଲା ପରେ ମଧ୍ୟ ଘରକୁ ଫେରି ନଥିଲେ ଅଭିଜିତ ।ଗାଁର ଆଖପାଖରେ ପରିବାରଲୋକ ରାତିସାରା ଖୋଜାଖୋଜି କରିଥିଲେ ବି ପାଇନଥିଲେ। ଏ ନେଇ ଅଭିଜିତର ବାପା  ୧୦ ତାରିଖ ସକାଳେ ଝରିଗାଁ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ଖୋଜାଖୋଜି ଚାଲିଛି ବୋଲି କହିଥିଲେ । ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର