କନ୍ଧମାଳରେ ମାଓ ହିଂସା : ଗାଡ଼ି ପୋଡ଼ିଦେଲେ, ଜଗୁଆଳିଙ୍କୁ ହତ୍ୟା

ଫୁଲବାଣୀ : କନ୍ଧମାଳରେ ମାଓବାଦୀ ଏକ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ସଦରମହକୁମା ଫୁଲବାଣୀ ଠାରୁ ୨୭ କିଲୋମିଟର ଦୂର ସଦର ଥାନା ମଲ୍ଲିକପଡ଼ା ନିକଟ ଏକ ଠିକାଦାର କ୍ୟାମ୍ପରେ ପଶି ମାଓବାଦୀ ୫ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। କେବଳ ସେତିକି ନୁହେଁ, କ୍ୟାମ୍ପର ଜଗୁଆଳିଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି, ପାତିଆମ୍ବାର ରବୀନ୍ଦ୍ର ମଳିକ (୪୦)। ହତ୍ୟାକାଣ୍ଡ ଘଟାଇବା ପରେ ମାଓବାଦୀମାନେ ରବୀନ୍ଦ୍ରଙ୍କ ଶବ ଉପରେ ଏକ ପୋଷ୍ଟର ପକାଇ ଦେଇଛନ୍ତି। ଆଜି ସକାଳଠୁ ରବୀନ୍ଦ୍ରଙ୍କ ଶବ ସେଠାରେ ପଡ଼ି ରହିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୁଲିସ ସେଠାରେ ପହଞ୍ଚିପାରିନି।

ଅନ୍ୟପକ୍ଷରେ କମ୍ବିଂ ଅପରେସନ ପାଇଁ ପ୍ରସ୍ତୁତି ଚାଲିଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବହୁଦିନର ନିରବତା ପରେ ପୁଣି ମାଓବାଦୀଙ୍କ ବର୍ବର ହିଂସା କନ୍ଧମାଳ ଜିଲ୍ଲାରେ ସେମାନଙ୍କ ସକ୍ରିୟ ଗତିବିଧିକୁ ସ୍ପଷ୍ଟ କରିଛି। କିଛି ମାସ ହେଲା ବିଭିନ୍ନ ଥାନା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳୁଥିଲା। ଆଜି ଏଭଳି ବର୍ବର ହିଂସା ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସିପିଆଇ ମାଓବାଦୀ କେକେବିଏନ୍ କନ୍ଧମାଳ ସଂଗଠନର ୨୦ରୁ ୨୫ ଜଣ ମାଓବାଦୀ ଗତକାଲି ରାତିରେ କ୍ୟାମ୍ପରେ ପଶି ଏହି ବର୍ବର ହିଂସାକାଣ୍ଡ ଭିଆଇଥିଲେ। ଏହି ଦଳରେ ୪-୫ ଜଣ ମହିଳା ମାଓବାଦୀ ଥିବା କୁହାଯାଉଛି। ବର୍ତମାନ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସୁଡ୍ରୁକୁମ୍ପାଠାରୁ ମାଦିକୁଲା ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା କାମ ଚାଲିଛି। ଫୁଲବାଣୀର ଅମଲାପଡାର ଠିକାଦାର ପ୍ରସନ୍ନ କୁମାର ସ୍ବାଇଁ ରାସ୍ତା କାମ କରୁଛନ୍ତି। ମଲ୍ଲିକପଡ଼ାରେ ତାଙ୍କର କ୍ୟାମ୍ପ ରହିଛି। ଗତକାଲି ରାତିରେ ମାଓବାଦୀ ମାନେ ହଠାତ୍ କ୍ୟାମ୍ପରେ ପଶି ଗୋଟିଏ ରୋଲର, ୩ଟି ଟ୍ରାକ୍ଟର ଓ ଗୋଟିଏ ୪୦୭ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ପୋଡ଼ାଜଳା ସାରି ଫେରିବା ବାଟରେ ସେମାନେ ଜଗୁଆଳି ପାତିଆମ୍ବାର ରବୀନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ଡାକି ଥିଲେ। ସେ ବାହାରକୁ ଆସିବା ପରେ ତାଙ୍କୁ କିଛି ବାଟ ଚଳାଇ ପ୍ରବଳ ମାରପିଟ କରିବା ସହ ଗୁଳି କରି ହତ୍ୟା କରିଥିଲେ।

ଗତ ମେ ମାସ ୧୩ ତାରିଖରେ ସଂପୃକ୍ତ ଅଞ୍ଚଳରେ ପୁଲିସ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀ କାଳେ ଠିକାଦାରଙ୍କୁ ଚାନ୍ଦା ମାଗିଥିଲେ। ଠିକାଦାର ଦେବାକୁ ହଁ କହି ପୁଲିସକୁ ଖବର ଦେଇଥିଲେ। ଯାହା ଫଳରେ ପୁଲିସ ଅତର୍କିତ ଅପରେସନ କରି ୫ ମାଓବାଦୀଙ୍କୁ ମାରିଥିଲା। ଏହା ପରଠୁ ମାଓବାଦୀ ପ୍ରତିଶୋଧପରାୟଣ ହୋଇ ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ରବୀନ୍ଦ୍ରଙ୍କ ଶବ ପାଖରେ ଛାଡ଼ିଯାଇଥିବା ପୋଷ୍ଟର‌େର ଲେଖାଯାଇଛି, ‘ବିକାଶ କାମକୁ ବିରୋଧ କରୁ ନାହୁଁ। ହେଲେ ବିନା କାରଣରେ ପୁଲିସ ବିପ୍ଳବୀ ମାଓବାଦୀଙ୍କୁ ମାରିଥିଲେ। ଏଥିରେ ଠିକାଦାର ପୁଲିସକୁ ସହଯୋଗ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାମ କରିଛୁ’।

ସମ୍ବନ୍ଧିତ ଖବର