ପୋଲିଂ ଗାଡ଼ି ଉପରେ ମାଓ ହମ୍‌ଲା : ଗୁଳିମାଡ଼ରେ ମହିଳା ସୁପର୍‌ଭାଇଜରଙ୍କ ମୃତ୍ୟୁ, ଲ୍ୟାଣ୍ଡମାଇନ୍ ବି‌ସ୍ଫୋରଣ କରି ୨ଟି ଗାଡ଼ି ଉଡ଼ାଇଲେ

ଫୁଲବାଣୀ : ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହିଭଳି ଏକ ସମୟରେ କନ୍ଧମାଳରେ ମାଓବାଦୀ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ଗୋଟିଏ ସ୍ଥାନରେ ପୋଲିଂ ଟିମ୍‌କୁ ନେଇ ଯାଉଥିବା ଦୁଇଟି ବଲେରୋ ଓ ଗୋଟିଏ ବାଇକ୍‌କୁ ପୋଡ଼ି ଦେଇଛନ୍ତି। ଆଉ ଗୋଟିଏ ସ୍ଥାନରେ ପୋଲିଂ ସୁପର୍‌ଭାଇଜିଂ ଟିମ୍‌ ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତିି। ଗୁଳିମାଡ଼ରେ ସୁପରଭାଇଜର୍ ଦାୟିତ୍ବରେ ଥିବା ଜଣେ ମହିଳା ଜିଆର୍‌ଏସ୍‌ଙ୍କର ମୃତ୍ୟୁ ଘଟିଛି। ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀଙ୍କ ଏହି ହିଂସାକାଣ୍ଡ ପ୍ରଶାସନ ଓ ପୁଲିସ୍‌ ପାଇଁ ଆହ୍ବାନ ସୃଷ୍ଟି କରିଛି। କେବଳ କନ୍ଧମାଳ ନୁହେଁ, ସାରା ରାଜ୍ୟ ବି ସ୍ତବ୍ଧ ହୋଇଯାଇଛି ଏହି ଘଟଣାରେ।

କନ୍ଧମାଳ ସମେତ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଆସନ୍ତାକାଲି ଭୋଟଗ୍ରହଣ କରାଯିବ। ଗତକାଲିଠାରୁ ପୋଲିଂ ପାର୍ଟିକୁ ବୁଥ୍‌କୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। କନ୍ଧମାଳର କେତେକ ମାଓପ୍ରବଣ ଅଞ୍ଚଳ ପାଇଁ ଅତିରିକ୍ତ ସୁରକ୍ଷା ବଳୟ ମଧ୍ୟରେ ପୋଲିଂ ପାର୍ଟିକୁ ପଠାଯାଇଛି। ଗତକାଲି ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ମାତ୍ର, ଏହାର କେଇଘଣ୍ଟା ମଧ୍ୟମରେ ମାଓବାଦୀମାନେ ସେମାନଙ୍କ ପ୍ରକୃତ ରୂପ ଦେଖାଇଛନ୍ତି। କନ୍ଧମାଳର ଦୁଇଟି ସ୍ଥାନରେ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି।

ଫିରିଙ୍ଗିଆ ଥାନା ଇଲାକା ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟ ରାସ୍ତାରେ ପ୍ରଥମ ହିଂସାକାଣ୍ଡ ଘଟିଛି। ଆଜି ସକାଳ ୯ଟାରେ ଫୁଲବାଣୀରୁ ଏକ ପୋଲିଂ ଦଳ ମିଙ୍ଗୁନପଦର ବୁଥ୍‌କୁ ଯାଉଥିଲେ। ସେମାନଙ୍କ ସହ ସେକ୍ଟର ଟିମ୍ ଓ ୨ ଜଣ ପୁଲିସ କର୍ମଚାରୀ ବି ଥିଲେ। ସମସ୍ତେ ୨ଟି ବଲେରୋ ଓ ୨ଟି ବାଇକ୍‌ରେ ଯାଉଥିବା ବେଳେ ମିଙ୍ଗୁନପଦର ପୂର୍ବରୁ ଅଳ୍ପ ଦୂର ରାସ୍ତାରେ ସଶସ୍ତ୍ର ମାଓବାଦୀ ମାନେ ପ୍ରଥମେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ସେମାନଙ୍କୁ ଭୟଭୀତ କରାଇ ଅଟକାଇ ଦେଇଥିଲେ। ଆଉ ଗାଡ଼ିରୁ ଓହ୍ଲାଇ ତୁରନ୍ତ ପଳାଇଯିବାକୁ ସେମାନଙ୍କୁ ଧମକ ଦେଇଥିଲେ। ପ୍ରାଣ ବିକଳରେ ସମସ୍ତେ ସେଠାରୁ ଚାଲି ଆସିବା ପରେ ମାଓବାଦୀ ମାନେ ୨ଟି ବୋଲେରୋ ଓ ବାଇକ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଫଳରେ, ଗାଡ଼ିରେ ଥିବା ଇଭିଏମ୍‌ ଓ ଭିଭିପାଟ ମେସିନ୍ ସହ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ପାଉଁଶ ହୋଇଯାଇଥିଲା। ଘଟଣା ଘଟାଇବା ପରେ ମାଓବାଦୀମାନେ ସେଠାରୁ ପଳାଇ ଯାଇଥିଲେ। ତେବେ ଆଉ ଏକ ବାଇକ୍‌ ସେଠାରେ ସୁରକ୍ଷିତ ଥିବା ଦେଖିବାକୁ ମିଳିଥିଲା। ପୋଲିଂ ଟିମ୍ ଜଙ୍ଗଲରେ ୧୦ କିଲୋମିଟର ଚାଲିଚାଲି ଆସିବା ପରେ ପୁଲିସ୍‌ ପହଞ୍ଚି ଥିଲା। ଏସ୍‌ପି ପ୍ରତୀକ ସିଂ ସଦଳବଳେ ଉକ୍ତ ପୋଲିଂ ଦଳକୁ ଉଦ୍ଧାର କରି ଫିରିଙ୍ଗିଆକୁ ଆଣିଥିଲେ।

ଏହି ଘଟଣାକୁ ନେଇ ପୁଲିସ୍‌ ଚିନ୍ତିତ ଥିବା ସହ ଲୋକଙ୍କ ମନରୁ ଆତଙ୍କ ନଯାଉଣୁ ଅପରାହ୍ନରେ ଗୋଛାପଡା ଥାନା ବାଲନ୍ଦାପଡା ଏରିଆ କୋଇଲିମାଣ୍ଡୁ ନିକଟରେ ସଶସ୍ତ୍ର ମାଓବାଦୀ ଆଉ ଏକ ହିଂସାକାଣ୍ଡ ଭିଆଇଥିଲେ। ସେଠାରେ ପୋଲିଂ ସୁପରଭାଇଜିଂ ଟିମ୍ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗାଡ଼ି ଭିତରେ ଥିବା ଟିମ୍‌ର ମୁଖ୍ୟ ତଥା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରକାଶ ଦାସ ଓ ଅନ୍ୟ ୨ ଜଣ ପ୍ରାଣବିକଳରେ ଦୌଡ଼ି ନିଜ ଜୀବନ ବଞ୍ଚାଇ ଥିଲେ। ହେଲେ ଗାଡ଼ିରେ ବସିଥିବା ପୋଲିଂ ସୁପରଭାଇଜର ତଥା ଲୁଇସିଂ ପଞ୍ଚାୟତର ଜିଆରଏସ୍ ସଂଯୁକ୍ତା ଦିଗାଲଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ସଂଯୁକ୍ତାଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏସ୍‌ପି ଶ୍ରୀ ସିଂ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ।

ଏହି ଦୁଇ ଘଟଣା ପୁଲିସ ଓ ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଉ ଆସନ୍ତାକାଲି ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମଗ୍ରୀ ଜିଲ୍ଲାରେ ଭୟର ବାତାବରଣ ଦେଖା ଦେଇଛି।

ଅନ୍ୟପକ୍ଷରେ ଏସ୍‌ପି ଶ୍ରୀ ସିଂ କହିଛନ୍ତି ଯେ, ଆସନ୍ତାକାଲି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହାସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଥାଉକି, ଫିରିଙ୍ଗିଆ ଓ ଗୋଚ୍ଛାପଡ଼ା ଥାନା ଅଧୀନ ବିଭିନ୍ନ ଅଞ୍ଚଳରେ ଗଲା ୩ରୁ ୪ସପ୍ତାହ ଧରି ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର୍ ମାରିବା ସହ ଭୋଟ୍‌ବର୍ଜନ କରିବାକୁ ଆହ୍ବାନ୍ ଦେଇ ଆସୁଥିଲେ। ତେବେ ଆଜିର ଘଟଣା ପୁଲିସ ପାଇଁ ଚିନ୍ତା ବଢାଇଛି।

ସମ୍ବନ୍ଧିତ ଖବର