କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମାଓପ୍ରବଣ ବଡ଼ିଗେଟା ପଞ୍ଚାୟତର ଅନ୍ତର୍ଗତ କୁରୁବୁ ଗାଁରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି। ଗତକାଲି ରାତିରେ ଗାଁ ଶେଷ ମୁଣ୍ଡରେ ଥିବା ଏହି ଚାଳ ଛପର କ୍ଲବ ଘରେ ପଶି ଭଙ୍ଗାରୁଜା କରିବା ସହ ବହୁ ସାମଗ୍ରୀ ପୋଡ଼ି ଦେଇଛନ୍ତି। ଗ୍ରାମବାସୀଙ୍କୁ ପୁଲିସ ଠାରୁ ଦୂରେଇ ରହିବାକୁ ବି ଚେତାବନୀ ଦେଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ୬ ମାସ ତଳେ ହିଁ ପୁଲିସ ପକ୍ଷରୁ ଏହି ଗାଁରେ ଜନସଂପର୍କ ଶିବିର କରାଯାଇଥିଲା। ନିଜେ ଏସ୍ପି ଏହି ଶିବିରକୁ ଯାଇ ସ୍ଥାନୀୟ ଯୁବକଙ୍କୁ କ୍ରୀଡା ସାମଗ୍ରୀ ସହ ଗୋଟିଏ ଟେଲିଭିଜନ ଦେଇଥିଲେ। ପୁଲିସ ଦେଇଥିବା ସାମଗ୍ରୀକୁ ଯୁବକମାନେ ଗାଁ ମୁଣ୍ଡରେ କ୍ଲବ ଘର ଭାବେ ଗୋଟିଏ ଚାଳ କୁଡିଆ ନିର୍ମାଣ କରି ସେଥିରେ ରଖିଥିଲେ। ନିୟମିତ ଭାବେ ଯୁବକମାନେ ଏହି କ୍ଲବ ଘରକୁ ଯିବା ସହ ଉପକରଣ ଗୁଡିକୁ ବ୍ୟବହାର କରୁଥିଲେ। ତେବେ ଗତକାଲି ରାତି ପ୍ରାୟ ୧୧ଟାରେ ୧୫ରୁ ୨୦ଜଣ ମାଓବାଦୀ ଗାଁରେ ପଶିଲେ। କ୍ଲବ ଘରେ ଥିବା ଜିନିଷ ପତ୍ର ବାହାରକୁ ଫୋପାଡି ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଗାଁ ଲୋକଙ୍କୁ ଡକାଇ ବୈଠକ କରିଥିଲେ। ଏହି ବୈଠକରେ ପୁଲିସ ସହ କୌଣସି ପ୍ରକାର ସଂପର୍କ ନରଖିବାକୁ ତାଗିଦ କରାଯାଇଥିଲା। ନଚେତ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇ ସେଠାରୁ ଚାଲି ଯାଇଥିଲେ।
ସୂଚନାଯୋଗ୍ୟ, ଚଳିତ ମାସରେ ମାଓବାଦୀ ୩ଜଣଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ବେଳେ ଏକାଧିକ ସ୍ଥାନରେ ପୋଡାଜଳା କରିଛନ୍ତି। ଏମିତି ଘଟଣା ବାରମ୍ବାର ଘଟାଇ ପୁଲିସ, ସରକାର ଓ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସ୍ପଷ୍ଟ ସୂଚନା ଦେବାକୁ ଚାହୁଁଛନ୍ତି ଯେ ଏବେ ମଧ୍ୟ ଏହି ଅଞ୍ଚଳ ସେମାନଙ୍କ ଅକ୍ତିଆରରେ ରହିଛି। ପୁଲିସ ଜନସଂପର୍କ ଶିବିର କରି ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯେଉଁ ପ୍ରୟାସ କରୁଛି ତାହାକୁ ମାଓବାଦୀ ହିଂସାକାଣ୍ଡ ଘଟାଇ ପ୍ରତିହତ କରିବେ ବୋଲି ଆଭାସ ଦେଇଛନ୍ତି। ପୂର୍ବରୁ ଉପରୋକ୍ତ ଗାଁରେ ପୁଲିସ କରିଥିବା ଜନସଂପର୍କ ଶିବିର ପରେ ବହୁ ଗ୍ରାମବାସୀ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। କିନ୍ତୁ ୨ମାସ ତଳେ କୁରୁବୁ ଗାଁର ମୁଖିଆ ଡ଼ମ୍ବରୁ ନାୟକଙ୍କୁ ହତ୍ୟା କରି ନିଜ ସ୍ଥିତିକୁ ଜାହିର କରିବା ସହ ଗ୍ରାମବାସୀଙ୍କୁ ଭୟଭୀତ କରିବାରେ ସକ୍ଷମ ହୋଇଥିଲେ। ପୁଣି ଗତକାଲି ରାତିର ଘଟଣା ଲୋକଙ୍କୁ ବିବ୍ରତ କରିଛି। ଲୋକେ ଏତେ ମାତ୍ରାରେ ଆତଙ୍କିତ ହୋଇ ରହିଛନ୍ତି ଯେ ଗତକାଲିର ଘଟଣା ସଂପର୍କରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ଉକ୍ତ ଗ୍ରାମଟି କାଲିମେଳା ଠାରୁ ପ୍ରାୟ ୧୫କିମି ଦୂର ଆନ୍ଧ୍ର ପ୍ରଦେଶ ସୀମାରେ ଅବସ୍ଥିତ। ତେଣୁ ମାଓବାଦୀଙ୍କୁ ଅଘଟଣ ଘଟାଇ ଖସି ଯିବା ପାଇଁ ସୁବିଧା ହେଉଥିବାରୁ ଏହି ଗାଁକୁ ଟାର୍ଗେଟ କରାଯାଇଥିବା କୁହାଯାଉଛି।