ପୁଣି ଏସାର କମ୍ପାନି ପାଇପ୍‌ ଲାଇନ୍‌ ଉଡ଼ାଇଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଟାର୍ଗେଟ ବନାଇଛନ୍ତି ନକ୍ସଲ। ବାରମ୍ବାର ଏଠାରେ ଘଟାଉଛନ୍ତି କିଛି ନା କିଛି ଅଘଟଣ। ଗତକାଲି ଯନ୍ତାପାଇ ଠାରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ଯୋଗୁଁ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ଏବେ ଏସାର କମ୍ପାନିର ପାଇପ ଲାଇନକୁ କାଟି ନକ୍ସଲ ଦେଇଛନ୍ତି ପୁଲିସକୁ ଚ୍ୟାଲେଞ୍ଜ। ଏହି ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ରାଲଗେଡା ପଞ୍ଚାୟତର ଚିନ୍ତଲଡୋଲି ଗ୍ରାମ ନିକଟରେ। ଗତକାଲି ରାତିରେ ବହୁ ସଂଖ୍ୟାରେ ନକ୍ସଲ ଏଠାରେ ପହଞ୍ଚି ଉତ୍ପାତ କରିଥିଲେ। ଗଲା ବେଳକୁ ଏସାର କମ୍ପାନିର ପାଇପ ଲାଇନକୁ ବୋମା ବିସ୍ଫୋରଣ କରି ଉଡ଼ାଇଥିଲେ। ଆଜି ସକାଳୁ ଏହି ଘଟଣା ସଂପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏ ସଂପର୍କରେ ମାଲକାନଗିରି ଏସପି ଜଗମୋହନ ମୀନାଙ୍କୁ ଯୋଗାଯୋଗ କରାଯିବାରୁ ଏଭଳି ଘଟଣାକୁ ସ୍ୱୀକାର କରିବା ସହ ତଦନ୍ତ ଚାଲିଥିବା କହିଛନ୍ତି। ଗତ ଦୁଇ ମାସ ମଧ୍ୟରେ ନକ୍ସଲ ୩ ଥର ଏସାର କମ୍ପାନିର ପାଇପ ଲାଇନ ଉଡ଼ାଇବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର