ନୂଆପଡ଼ା ପୁଲିସ ନିକଟରେ କ୍ୟାଡର ମାଓବାଦୀ ଦୁର୍ବାଦଳଙ୍କ ଆତ୍ମସମର୍ପଣ

ନୂଆପଡ଼ା : କ୍ୟାଡର ମାଓବାଦୀ ଦୁର୍ବାଦଳ ବରିହା ଓରଫ ବାଦଲ (୪୦) ବୁଧବାର ନୂଆପଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ସଂଗଠନରେ ନିର୍ଯାତନା ସହି ନପାରି ଆତ୍ମସମର୍ପଣ କରିଥିବା ସେ ପୁଲିସକୁ କହିଛନ୍ତି। ଏନେଇ ନୂଆପଡ଼ା ଏସ୍‌ପି ସ୍ମିତ୍‌ ପି. ପରମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପାଇକମାଲ ଥାନା ମଲଦା ଗାଁର ଦୁର୍ବାଦଳ ୨୦୦୯ ମସିହାରେ ବରଗଡ଼- ବଲାଙ୍ଗୀର- ମହାସମୁନ୍ଦ ଡିଭିଜନର କ୍ୟାଡର ମାଓ ନେତା ଶଙ୍କର ମାଝୀ (ଡେଭିଡ)ଙ୍କ ପ୍ରରୋଚନାରେ ମାଓ ସଂଗଠନରେ ଯୋଗ ଦେଇଥିଲେ। ସେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ସକ୍ରିୟ ରହି ସଂଗଠନ ପରିଚାଳନା କରୁଥିଲେ। ସଂଗଠନରେ ରହିବା ପାଇଁ ତାଙ୍କର ଇଚ୍ଛା ନଥିବାରୁ ସେ ଖାପ ଖୁଆଇ ପାରୁ ନଥିଲେ। ଆନ୍ଧ୍ର ଓ ଛତିଶଗଡ଼ କ୍ୟାଡର ମାଓବାଦୀମାନେ ଓଡ଼ିଆ ମାଓବାଦୀଙ୍କୁ ବିଭିନ୍ନ ସମୟରେ ନର୍ଯାତନା ଦେଇ ଆସୁଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାରୁ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି।

୨୦୦୯ ମସିହାରେ ବରଗଡ଼ ଜିଲ୍ଲା ପଲସଦା ଗାଁରେ ଏକ ରାସ୍ତା କାମ କରୁଥିବା ଠିକାଦାରଙ୍କ ଅସ୍ଥାୟୀ କ୍ୟାମ୍ପରେ ଜଳାପୋଡ଼ା, ୨୦୧୧ରେ ପାଇକମାଲ ଥାନା ଝାରମୁଣ୍ଡା ଟ୍ରକ୍‌ ପୋଡ଼ି, ୨୦୧୨ ବଡ଼ତୁଣ୍ଡାର ଜଣେ ଗ୍ରାମବାସୀଙ୍କୁ ହତ୍ୟା ଆଦି ଘଟଣାରେ ଦୁର୍ବାଦଳଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ତାଙ୍କ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ପରେ ଥଇଥାନ ନୀତିରେ ତାଙ୍କୁ ଥଇଥାନ କରାଯିବ ଏବଂ ମାଓବାଦୀମାନେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଏସପି କହିଥିଲେ।

ସମ୍ବନ୍ଧିତ ଖବର