କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର : ସହିଦ ସପ୍ତାହରେ ସାମିଲ ହେବାକୁ ଆହ୍ଵାନ

ନନ୍ଦପୁର/ପଟାଙ୍ଗି : ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପକ୍ଷରୁ ପାଳନ ହେବାକୁ ଥିବା ସହିଦ ଦିବସ ସାମିଲ ହେବାକୁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନ ଓ ନନ୍ଦପୁର ବ୍ଲକର ଚାଟୁଆ ଗ୍ରାମରେ ମାଓ ପୋଷ୍ଟର ମରାଯାଇଛି।

ଗତକାଲି ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଚାଟୁଆ ଗ୍ରାମରେ ଏକ ମାଓ ପୋଷ୍ଟର ମରାଯାଇଥିଲା। ଗାଁ ଗାଁରେ ସମାଧି ନିର୍ମାଣ କରି ବୈଠକ କରିବା ସହ ଯୁବକ ଓ ଯୁବତୀଙ୍କୁ ମାଓ ସଂଗଠନରେ ସାମିଲ ହେବାକୁ ପୋଷ୍ଟର ମାଧ୍ୟମରେ ଆହ୍ଵାନ ଦିଆଯାଇଛି। କମ୍ରେଡ ଚାରୁ ମଜୁମଦାର, କାହ୍ନା ଚାଟାର୍ଜୀ ସମେତ ଗରିବ ଓ ଆଦିବାସୀଙ୍କୁ ଶୋଷଣ କରୁଥିବା ସରକାରଙ୍କ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କମ୍ରେଡ ମାନଙ୍କୁ ବିଳ୍ପବୀ ଜୁହାର ଜଣାଯାଇଛି। ନାରାୟଣପାଟଣା ବ୍ଲକର ଡକରିଘାଟିରେ ସହିଦ ହୋଇଥିବା ଆମର ପ୍ରିୟ କମ୍ରେଡ କୁମାରୀ, ଆରତୀ, ରାନୀତା, ଲାଖି ଟୁଡାଓ୍ଵଓ୍ଵା ଗ୍ରାମର କମ୍ରେଡ ପଦ୍ମା, ସବିତା, ରାମଗୁଡା ଗ୍ରାମର କମ୍ରେଡ ଦୟା, ପ୍ରସାଦ, ମୁନା, ତାଆ, ନାରେଶ, ସିଲିକା, ସମିତା, ବୁଦୁରୀଙ୍କ ସ୍ୱପ୍ନ ପୂରଣ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ଜଳ, ଜମି ଓ ଜଙ୍ଗଲ ଅଧିକାର ପାଇଁ ଲଢେଇ କରିବାକୁ ମଧ୍ୟ ଲେଖା ହୋଇଛି। ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ(ମାଓବାଦୀ), କୋରାପୁଟ ଶ୍ରୀକାକୁଲମ ଡିଭିଜିନାଲ କମିଟି ଉଲ୍ଲେଖ ରହିଛି। ପାଡୁଆ ପୁଲିସ ଏହି ପୋଷ୍ଟରକୁ ଜବତ କରିଛି।

ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସ୍ୱରୂପ ସୀମାନ୍ତବର୍ତୀ ଚାଟୁଆ ଗ୍ରାମରୁ ଆସୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଥିବା ପାଡୁଆ ଥାନାର ଭାରପ୍ରାପ୍ତ ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି। ସେହିପରି ପଟାଙ୍ଗି ବ୍ଲକର ମାଓ ଅଧ୍ୟୁଷିତ ଚିକାପାରୁ ସ୍ୱାସ୍ଥ୍ୟକେନ୍ଦ୍ର, ଓମଏସି ଛକ, ପେଟ୍ରୁ ଛକ, ପେଦାପାଡୁ, ତଳଗଲରୁ ଗ୍ରାମରେ ତେଲୁଗୁ ଭାଷାରେ ଲିଖିତ ମାଓ ପୋଷ୍ଟର ଲାଗିଛି। କୋରାପୁଟ ଶ୍ରୀକାକୁଲମ ଡିଭିଜନ ପକ୍ଷରୁ ମରାଯାଇଥିବା ଏହି ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ସହ ସହିଦ ହୋଇଥିବା ମାଓବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆହ୍ଵାନ କରାଯାଇଛି। ଆଦିବାସୀଙ୍କ ଜମି ହଡପ କରି ବିଭିନ୍ନ କଂପାନି ମାନଙ୍କୁ ଦିଆଯାଉଛି। ସରକାରଙ୍କ ଏହି ଆଦିବାସୀ ମାରଣ ନୀତିକୁ ବିରୋଧ କରାଯାଉଥିବା ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ଗୁଡିକ ମରାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର