ମାଓବାଦୀଙ୍କ ବନ୍ଦ ଡାକରା ପ୍ରଭାବଶୂନ୍ୟ

ଫୁଲବାଣୀ : ସୁଡ୍ରୁକୁମ୍ପା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୫ ମାଓବାଦୀ ମୃତ୍ୟୁବରଣ କରିବା ପରେ ପ୍ରତିଶୋଧ ପରାୟଣ ହୋଇଥିବା କେକେବିଏନ ମାଓ ସଂଗଠନ ପକ୍ଷରୁ ପ୍ରତିବାଦ ସ୍ୱରୂପ କନ୍ଧମାଳ ସମେତ ବୌଦ୍ଧ, କଳାହାଣ୍ଡି ଓ ନୟାଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ହେଲେ ମାଓ ସଂଗଠନର ଏହି ବନ୍ଦ ଡାକରା କନ୍ଧମାଳରେ ପ୍ରଭାବଶୂନ୍ୟ ହୋଇଛି। ସମସ୍ତ ସ୍ଥାନରେ ଦୋକାନ ବଜାର ଖୋଲା ରହିବା ସହ ସରକାରୀ ବସସେବା ବି ଚଳାଚଳ ହୋଇଥିଲା` କାଁଭାଁ ଗୋଟିଏ ଦୁଇଟି ରୂଟରେ ବସ ଚଳାଚଳ ହୋଇନଥିବା ଜଣାପଡିଛି ।

ହେଲେ ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଏସପି ପ୍ରତୀକ ସିଂ କହିଛନ୍ତିି। କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟି ନାହିଁ। ଜିଲ୍ଲାର ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। ମାଓ ଦମନକୁ କଡା ଜବାବ ଦିଆଯିବ ବୋଲି ସେ ମଧ୍ୟ କହିଛନ୍ତି। ଗତ ୧୨ ଓ ୧୩ ତାରିଖରେ ପୁଲିସ ଏନକାଉଣ୍ଟରରେ ସୁଡ୍ରୁକୁମ୍ପା ଜଙ୍ଗଲରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଲିସ ମହାନିର୍ଦ୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା କନ୍ଧମାଳ ଆସି ପୁଲିସ ଦମନର ସମୀକ୍ଷା କରିବା ସହ ଅପରେସନରେ ସାମିଲ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାବାସ ଦେଇଥିଲେ। ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ପୁଲିସକୁ ଧନ୍ୟବାନ ଦେବା ସହ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ପୁଲିସ ଏନ୍‌କାଉଣ୍ଟର ପରେ ରକ୍ତମୁଖା ହୋଇ ପଡିଥିବା ମାଓ ସଂଗଠନ ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ଗତ ୧୫ ତାରିଖରେ କୋଟଗଡଠାରୁ ୮-୧୦ କିଲୋମିଟର ଦୁର ରାସ୍ତାରେ ଗଛ ପକାଇ ଓ ପୋଷ୍ଟର ମାରିଥିଲେ । ହେଲେ ପୁଲିସ ଏନକାଉଣ୍ଟର ପରଠାରୁ ପ୍ରତିଶୋଧ ପରାୟଣ ହୋଇ ପଡିଥିବା ମାଓ ସଂଗଠନର ଗତିବିଧି ଓ କାର୍ଯ୍ୟକଳାପ ଉପରେ କନ୍ଧମାଳ ପୁଲିସ ତୀକ୍ଷ୍‌ଣ ନଜର ରଖିଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର