ବନ୍ଧୁକ ସହ ନୂଆପଡା ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡା: ବନ୍ଧୁକ ଓ ଗୁଳି ସହ କ୍ୟାଡର ମାଓବାଦୀର ଆତ୍ମସମର୍ପଣ । ନୂଆପଡା ଏସପି ସ୍ମିତ ପି ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାମ ହେଉଛି ପର୍ଶୁରାମ ଧରୁଆ | ପର୍ଶୁରାମଙ୍କର ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା | ବୋଡେନ ବ୍ଲକ ଅନ୍ତର୍ଗତ କରିପାନି ଗ୍ରାମର ପର୍ଶୁରାମ ଧରୁଆ ଓରଫ ମଣ୍ଟୁ ୨୦୧୪-୧୫ ମସିହାରୁ ପ୍ରଥମେ ମିଲିସିଆ ଭାବରେ ମୈନପୂର ନୂଆପଡା ଡିଭିଜନରେ କାମ କରୁଥିଲା । ପରେ ସେ ସକ୍ରିୟ ମାଓବାଦୀ ଭାବରେ କାର୍ଯ୍ୟରତ ଥିଲା । ପୂର୍ବରୁ ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି । ନୂଆପଡା,କଳାହାଣ୍ଡି ଓ ପଡୋଶୀ ଛତିଶଗଡ଼ର ଗାରିଆବନ୍ଦରେ ସକ୍ରିୟ ଥିବାବେଳେ ସଂଗଠନର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଆତ୍ମସମର୍ପଣ କରିଛନ୍ତି|

ପର୍ଶୁରାମ କହିଛନ୍ତି ଯେ ଓଡ଼ିଆ କ୍ୟାଡ଼ରଙ୍କ ଉପରେ ଆନ୍ଧ୍ର ଓ ଛତିଶଗଡ଼ର ମାଓ କ୍ୟାଡରମାନେ ଅତ୍ୟାଚାର କରୁଛନ୍ତି | ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ପୋଲିସ ଫୋର୍ସ ଦ୍ୱାରା କରାଯାଉଥିବା ସର୍ଚ୍ଚ ଅପରେସନ ପାଇଁ ସେ ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି | ପୋଲିସ ପକ୍ଷରୁ କୁହାଯାଇଛି ଯେ ଥଇଥାନ ନୀତି ମୁତାବକ ତାଙ୍କୁ ଥଇଥାନ କରାଯିବ | ୨୦୧୮ ମସିହାରେ ୫ ଜଣ ମାଓ କ୍ୟାଡର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବାବେଳେ ୨ ଜଣ ଆତ୍ମସମର୍ପଣ କରିଥିଲେ ବୋଲି ନୂଆପଡା ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ଏହି ୫ ଜଣଙ୍କ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା |

ସମ୍ବନ୍ଧିତ ଖବର