କନ୍ଧମାଳରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା, ସରପଞ୍ଚ, ୱାର୍ଡମେମ୍ବରଙ୍କୁ ପୋଷ୍ଟରରେ ଧମକ

ଫୁଲବାଣୀ : ମାଓବାଦୀଙ୍କ ଗୁଳିରେ ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କର ମୃତ୍ୟୁ ଘଟଣାର ୧୦ ଦିନ ନଯାଉଣୁ ପୁଣି କନ୍ଧମାଳ ଜିଲ୍ଲାରେ ସେମାନେ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଡମାଙ୍ଗପଦର ଗାଁରେ ଗତକାଲି ରାତିରେ ଜଣେ ଠିକାଦାରଙ୍କୁ ଘରୁ ଡାକି ନେଇ ପୁଲିସ ଇନଫର୍ମର ସନ୍ଦେହ‌େର ମାଓବାଦୀ ମାନେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କୈଳାସ ଦିଗାଲ। ଏହି ଘଟଣା ଡମାଙ୍ଗପଦର ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସହ ମାଓବାଦୀ ପୁଣି ସେମାନଙ୍କ ସ୍ଥିତି ଜାହିର୍ କରିଥିବା ଜଣାପଡ଼ିଛି।

ସୂଚନାମୁତାବକ କେକେବିଏନ ମାଓ ସଂଗଠନର ୧୫ରୁ ୨୦ ଜଣ ମାଓବାଦୀ ‌ଗତକାଲି ରାତିରେ କୈଳାସଙ୍କ ଘର ପାଖକୁ ଆସି କବାଟ ପିଟି ଥିଲେ। କୈଳାସ ଉଠି କବାଟ ଖୋଲିବା ପରେ ତାଙ୍କୁ ମାଓବାଦୀ ମାନେ କିଛି ଦୂରକୁ ଡାକି ନେଇ ଅତି ନିକଟରୁ ଗୁଳି କରିବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ପାଖରେ ପୋଷ୍ଟର ପକାଇ ମାଓବାଦୀ ସେଠାରୁ ପଳାଇଥିଲେ। ସେପଟେ ପରିବାର ଲୋକେ ସାରା ରାତି କୈଳାସଙ୍କୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରି ପାରି ନଥିଲେ। ଆଜି ସକାଳେ ଘର ଠାରୁ ୨ଶହ ମିଟର ଦୂର ଜଙ୍ଗଲ ନିକଟରେ କୈଳାସଙ୍କ ଗୁଳିବିଦ୍ଧ ଶବ ମିଳିଥିଲା। ‘ମାଓବାଦୀ ସଂଗଠନ ସହ ବିଶ୍ବାସଘାତକତା କରି ପୁଲିସକୁ ସହଯୋଗ କରୁଥିବାରୁ କୈଳାସକୁ ମୃତ୍ୟୁଦଣ୍ଡ ଦିଆଗଲା। ଏହା ପରେ ଟାର୍ଗେଟରେ ଜଣେ ସରପଞ୍ଚ ଓ ଜଣେ ୱାର୍ଡମେମ୍ବର ଅଛନ୍ତି’ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ତେବେ କେଉଁ ପଞ୍ଚାୟତର ସରପଞ୍ଚ ଓ ୱାର୍ଡମେମ୍ବର ଟାର୍ଗେଟରେ ଅଛନ୍ତି ଏହି କଥା ପୋଷ୍ଟରରେ ସ୍ପଷ୍ଟ ଉଲ୍ଲେଖ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ପାରିନି। ପରିବାର ଲୋକ ଏକ ଅଟୋରେ କୈଳାସଙ୍କ ଶବକୁ ଫିରିଙ୍ଗିଆ ଆଣିଛନ୍ତି। ମୃତ କୈଳାସଙ୍କର ପତ୍ନୀ ଓ ୨ ପିଲା ଅଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଗତ ୧୦ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ତିନି ତିନିିଟି ହିଂସାକାଣ୍ଡ ପୁଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଗତ ୧୭ ତାରିଖ ସକାଳେ ମାଓବାଦୀ ମାନେ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟରେ ବୁଥକୁ ଯାଉଥିବା ପୁଲିଂ ଦଳକୁ ଓହ୍ଲାଇ ୨ଟି ବୋଲେରୋ ଗାଡି ଓ ଗୋଟିଏ ବାଇକ ପୋଡି ଦେଇଥିଲେ। ପରେ ସେଦିନ ଅପରାହ୍ନରେ ବାଲନ୍ଦପଡା ଯାଉଥିବା ପୁଲିଂ ଚେକିଂ ଟିମ ଗାଡି ଉପରକୁ ଗୁଳିମାଡ ସହ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଯେଉଁଥି‌ରେ ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଇଟି ଘଟଣାକୁ ୧୦ ଦିନ ପୂରୁଣୁ ପୁଣି ମାଓବାଦୀ ଠିକାଦାରଙ୍କୁ ଘରୁ ଡାକି ଗୁଳି କରି ହତ୍ୟା କରିଛନ୍ତି। ଆଜିର ଘଟଣା ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର