ଅପହୃତ ଗାଁ ସାଥୀକୁ ଗୁଳି କରି ହତ୍ୟା

ତିନି ବର୍ଷ ପରେ କନ୍ଧମାଳରେ ମାଓବାଦୀଙ୍କ ରକ୍ତ ହୋଲି

ଫୁଲବାଣୀ/ କୋଟଗଡ : ସୁପ୍ତ ଅବସ୍ଥାରେ ଥିଲା କନ୍ଧମାଳରେ ମାଓ ସଂଗଠନ। ହେଲେ ଭିତିରିଆ ଚେର ବିସ୍ତାର କରି ଏବେ ଜୋର୍‌ଦାର୍‌ ଉପସ୍ଥିତି ଜାହିର୍‌ କରିଛି। ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ସୋମବାର ବିଳମ୍ବିତ ରାତିରେ ପୁଲିସ ଇନ୍‌ଫମୟର ସନ୍ଦେହରେ ଉଠାଇ ନେଇଥିବା ଗାଁ ସାଥୀ ବସନ୍ତ ଭଟ୍ଟ(୩୮)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ୨୦୧୪ ପରେ ତିନି ବର୍ଷ ବ୍ୟବଧାନରେ ଏହା କନ୍ଧମାଳରେ ମାଓବାଦୀଙ୍କ ଦ୍ୱାରା ଏହା ପ୍ରଥମ ଅପହରଣ ଓ ହତ୍ୟା। ପୁଲିସ ଇନଫର୍ମର ଥିବା ହେତୁ ବସନ୍ତଙ୍କୁ ହତ୍ୟା କରା ଯାଇଥିବା ମାଓବାଦୀ ସଂଗଠନ ବିଜିଏନ୍‌ ସିପିଆଇ(ମାଓବାଦୀ) ପୋଷ୍ଟର ଜାରି କରିଛି।

ସକାଳେ ଦୁର୍ଗାପାଙ୍ଗା ହାଇସ୍କୁଲ ଠାରୁ ମାତ୍ର ୧୦ରୁ ୧୫ମିଟର ଦୂର ସାତନଳିଆ ନାଳ ନିକଟରେ ବସନ୍ତଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅପହରଣ ପରଠୁ ଆଜି ଶବ ମିଳିବା ଘଟଣା ପରେ ବି ରାତି ସୁଦ୍ଧା ପୁଲିସ ସେଠାକୁ ଯାଇନଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗାଁ ଲୋକେ ଶବକୁ ଆଣି କୋଟଗଡ-ମୁନିଗୁଡା ମୁଖ୍ୟରାସ୍ତାରେ ରଖି ୭ଘଣ୍ଟା ରାସ୍ତାରୋକ କରିଥିଲେ। ୧୦ଲକ୍ଷ ଟଙ୍କା ସରକାରୀ ସହାୟତା, ପରିବାର ଜଣଙ୍କୁ ଚାକିରୀ, ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦାବି କରି ରାସ୍ତା ଅବରୋଧ କରିଥିଲେ। ଶେଷରେ ଘଟଣାସ୍ଥଳରେ ବିଡିଓ ସୁଧାକର ରଇତ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଓ ରେଡକ୍ରସ ୧୦ ହଜାର ଟଙ୍କା, ୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ଓ ଘରର ଜଣଙ୍କୁ ସରକାରୀ ଚାକିରୀ ଦିଆଯିବ କହି ରାସ୍ତାରୋକ ହଟାଇଥିଲେ।

ଆଜି ସକାଳୁ ସତନଳିଆ ନାଳ ନିକଟରେ ଗୁଳିବଦ୍ଧ ଶବ ପଡିଥିବା କିଛି ଗ୍ରାମବାସୀ ଦେଖିଥିଲେ। ପରେ ସେଠାକୁ ଲୋକେ ଯାଇ ଶବଟି କାହାର ବୋଲି ଦେଖିବା ବେଳେ ବସନ୍ତ ବଟର ବୋଲି ଜାଣିପାରିଥିଲେ। ତା’ ପେଟରେ ଗୁଳି ବାଜି ରକ୍ତସ୍ରାବ ହେବାରୁ ମୃତ୍ୟୁ ଘଟିଥିଲା। ଶବ ନିକଟରେ ବିଜିଏନ୍‌ ଡିଭିଜନ ସିପିଆଇ(ମାଓବାଦୀ)ଙ୍କ ଏକ ପୋଷ୍ଟର ପଡିଥିଲା। ଗରିବ, ନୀରକ୍ଷଣ ଓ ବେରୋଜଗାର ଯୁବକଙ୍କୁ ଇନଫର୍ମର ଭାବେ ତିଆରି କରି ସେମାନଙ୍କୁ ପୁଲିସ ମୃତ୍ୟୁମୁଖରେ ପକାଉଛି। ବସନ୍ତ ପୁଲିସକୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଇନଫର୍ମ ଦେଉଥିବାରୁ ତାକୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଲେଖାଯାଇଛି। ଯଦି ଆଗକୁ କନ୍ଧମାଳର କୌଣସି ଯୁବକ ଯୁବତୀ ଏଭଳି ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରିବ, ତାକୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ମାଓବାଦୀଙ୍କ କେଉଁ ଗତିବିଧି ସମ୍ପର୍କରେ ବସନ୍ତ ପୁଲିସକୁ ସୂଚନା ଦେଇଥିଲା, ମାଓବାଦୀଙ୍କୁ ଦମନ ପାଇଁ ପୁଲିସକୁ କଣ ସତରେ ସହାୟତା କରିଥିଲା କି ବୋଲି ଏବେ ଚାରିଆଡେ ଚର୍ଚ୍ଚା। ଗତ କିଛିଦିନ ତଳେ ପୁଲିସ ଅତର୍କିତ ବାଲିଗୁଡା ନିକଟସ୍ଥ ଏକ ମାଓ ଶିବିର ଉପରେ ଚଢ଼ାଉ କରି ମହିଳା ମାଓବାଦୀଙ୍କୁ ହତ୍ୟା କରିବା ପରେ ପ୍ରତିଶୋଧ ନେବାକୁ ସଂଗଠନ ତୟାର ହୋଇଛି। କିଏ ଓ କେଉଁ ପରିସ୍ଥିତିରେ ପୁଲିସକୁ ସୂଚନା ଦେଉଛି ତାହାର ତଥ୍ୟ ମିଲିସିଆଙ୍କ ଦ୍ୱାରା ବାହାର କରୁଛି। ଏହାର ପ୍ରଥମ ପରିଣାମ ସ୍ୱରୁପ ଗାଁ ସାଥୀ ବସନ୍ତଙ୍କ ମୁଣ୍ଡ ଗଡିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରତିଶୋଧ ନେବା ପାଇଁ ମାଓବାଦୀ ମାନେ ପୁଲିସ ଉପରେ ବଡଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ସବୁ ପ୍ରକାର ପରିସ୍ଥିତି ମୁକାବିଲା କରିବା ପାଇଁ ଜୋରଦାର କୁମ୍ବିଂ କରାଯାଉଥିବା ଏସ୍‌ପି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର