ନକ୍ସଲ ଶିବିରରେ ଗୁରୁପ୍ରିୟା କମ୍ପନ : ସେତୁ ବିରୋଧରେ ଲୋକଙ୍କୁ ମତାଇଲେ

କେନ୍ଦ୍ରୀୟ କମିଟି ବି ବଦଳାଇଲେ ରଣନୀତି, ପୁଲିସ ମନୋବଳ କମାଇବାକୁ ଆକ୍ରମଣ ଯୋଜନା

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ ଲୋକାର୍ପଣ କରିଥିବା ଗୁରୁପ୍ରିୟା ସେତୁ ନକ୍ସଲଙ୍କୁ ଡରାଇ ଦେଇଛି। ଏମିତି ଯେ ସହିଦ ସପ୍ତାହରେ ସେମାନେ ଆଉ ସବୁ ପ୍ରସଙ୍ଗକୁ ପଛ କରି ଗୁରୁପ୍ରିୟା ମାଳା ଜପିଛନ୍ତି। ସ୍ୱାଭିମାନ ଅଞ୍ଚଳ (ସାତ ପଞ୍ଚାୟତ) କାଳେ ହାତରୁ ଖସିଯିବ, ଏ ଭୟରେ ସେମାନେ ଗତକାଲି ବଡ଼ ଧରଣର ମେଳି କରିଛନ୍ତି। ସାତ ପଞ୍ଚାୟତ ଛାଡି ଆଜି ସେମାନେ ଆନ୍ଧ୍ରସୀମାନ୍ତ ରାଲେଗା଼ଡାରେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବୈଠକ କରିବା ସହିତ ଗୁରୁପ୍ରିୟା ସେତୁ ବିରୋଧରେ ମତାଇଛନ୍ତି। ଏଠାରେ ପାଖାପାଖି ୬ଶହ ନକ୍ସଲ ଓ ମିଲିସିଆ ଯୋଗ ଦେଇଥିବା ଖବର ମିଳିଛି। ଗୁରୁପ୍ରିୟା ସେତୁ ମାଧ୍ୟମରେ ସରକାର ସ୍ଥାନୀୟ ଅଞ୍ଚଳର ଖଣି ଖାଦାନ ଲୁଟି ନେବ, ସେମାନେ ବାସହରା ହୋଇଯିବେ ବୋଲି ଲୋକଙ୍କୁ ବୁଝାଇଛନ୍ତି। ସେତୁ ନିର୍ମାଣ ବିରୋଧରେ ଜନମତ ବଢାଇବା ପାଇଁ ସହମତି ହୋଇଛି। କୌଣସି ବି ପରିସ୍ଥିତିରେ ଏହି ନିରାପଦ ସ୍ଥାନରେ ପୁଲିସକୁ ନ ପୂରାଇ ଦେବାକୁ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତାଇଛନ୍ତି। ଏଥିସହିତ ଖୁବ୍‌ଶୀଘ୍ର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏ ଅଞ୍ଚଳରେ ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ଗତକାଲି ଆନ୍ଧ୍ର ସୀମାନ୍ତରେ ଜଣକୁ ହତ୍ୟା କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଡରାଇବା ପାଇଁ ମଧ୍ୟ ନକ୍ସଲ ଉଦ୍ୟମ କରିଥିଲେ।

ନକ୍ସଲ ନେତାମାନେ ଭୟଭୀତ ହେବାର କାରଣ ହେଉଛି, ପ୍ରଶାସନ ସେତୁ ନିର୍ମାଣ କରିବା ସହିତ ଜାନବାଇ ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଯନ୍ତାପାଇ ଠାରେ ଏକ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛି। ଏହି କ୍ୟାମ୍ପ ପ୍ରତିଷ୍ଠା ଏପରି ଗୋପନୀୟ ଭାବେ କରାଯାଇଥିଲା ଯେ କେହି ଏହାର ସୁରାକ୍‌ ସୁଦ୍ଧା ପାଇପାରିନଥିଲେ। ପରିଣାମ ହେଲା, ପାଖାପାଖି ୭୦ କିଲୋମିଟର ଅଞ୍ଚଳ ମଧ୍ୟରୁ ଏକ ପଞ୍ଚମାଂଶ ଅର୍ଥାତ୍‌ ୧୪ କିଲୋମିଟର ପର୍ଯ୍ୟନ୍ତ ବିଏସ୍‌ଏଫ୍‌ ଯବାନ ପଶିଯାଇଛନ୍ତି। ପୂର୍ବରୁ ଗୁରୁପ୍ରିୟା ସେତୁର ଉଭୟ କଡ଼ରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା ଓ ସେମାନେ ସର୍ବାଧିକ ବଡପଡା ପର୍ଯ୍ୟନ୍ତ ଯାଇପାରୁଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗୁରୁପ୍ରିୟା ସେତୁ ସେମାନଙ୍କ ଦୁର୍ଗ ଦୋହଲାଇ ଦେବ ଜାଣି, ଇତିମଧ୍ୟରେ ନକ୍ସଲ ସଂଗଠନ ତାଙ୍କ ରଣନୀତିକୁ ବଦଳାଇଥିବା ସୂଚନା ମିଳିଛି। କିଛିଦିନ ତଳେ କେନ୍ଦ୍ରୀୟ କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଆଲୋଚନା ହୋଇଥିଲା ଯେ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ତୁଳନାରେ ଓଡ଼ିଶା ପଟୁ କମ୍ବିଂ ଅପେକ୍ଷାକୃୃତ କମ୍‌ ରହିଛି। ଯେଉଁଥିପାଇଁ ସେମାନେ ଏହି ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ ବା କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲେ। ରାମଗୁଡା ଓ ପଣସପୁଟରେ ଥିବା କାର୍ଯ୍ୟାଳୟ ତାଙ୍କ ପାଇଁ ସବୁବେଳେ ସହାୟକ ହୋଇ ଆସିଛି। ଏଣୁ ଯେ କୌଣସି ମୂଲ୍ୟରେ ଏହି ଅଞ୍ଚଳକୁ ନିଜ ନିୟନ୍ତ୍ରଣ ବାହାରକୁ ନ ଛାଡିବା ଲାଗି ସମସ୍ତେ ଏକମତ ହୋଇଥିଲେ।

ରାମକ୍ରିଷ୍ଣାଙ୍କ ଭଳି ନକ୍ସଲ ନେତା ବୟସାଧିକ କାରଣରୁ ବଡ଼ ଧରଣର ଅପରେସନ୍‌ କରିପାରୁନଥିବାରୁ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ଯେ ଓଡ଼ିଶାର ଏହି ଅଞ୍ଚଳକୁ ନିରାପଦ କରିବା ଲାଗି ଯୁବ ନେତୃତ୍ୱକୁ ଦାୟିତ୍ୱ ଦିଆଯିବ। ନକ୍ସଲ ସଂଗଠନର ବୋମା ବିଶେଷଜ୍ଞ ତଥା ଦୁର୍ଦାନ୍ତ ନେତା ହିଡ୍‌ମା ନେତୃତ୍ୱରେ ଯୁବ ସଂଗଠନ ଏଠାରେ କାର୍ଯ୍ୟ କରିବ। ଅନ୍ୟ ତିନି ଜଣ ଦୁର୍ଦାନ୍ତ ନକ୍ସଲ ନେତାଙ୍କ ସମେତ ମୋଟ ୨୧ ଜଣ ଏହି ସଂଗଠନରେ ରହିବେ। ଫ୍ରାନ୍‌ସ, ଜର୍ମାନୀରୁ ଆସିଥିବା ନୂଆ ଅସ୍ତ୍ର ଓ ପେନ୍‌ ବନ୍ଧୁକ ଆଦି ମଧ୍ୟ ଏଠାରେ ପ୍ରୟୋଗ କରି ପୁଲିସର ମନୋବଳକୁ ହ୍ରାସ କରିବା ଲାଗି ଯୋଜନା ହୋଇଛି।

ଅନ୍ୟପଟରେ ବିଏସ୍‌ଏଫ୍‌ର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ଏବେ ୪ ବାଟାଲିୟନ୍‌ ଯବାନ ଅଛନ୍ତି। ମୋଟ ୨୮ଟି କ୍ୟାମ୍ପ ସେମାନଙ୍କର ରହିଛି, ଯେଉଁଥିରୁ ୪ଟିରେ ପ୍ରଶାସନିକ କାର୍ଯ୍ୟ ଆଦି ନିର୍ବାହ ହେଉଛି। ମାଲକାନଗିରି ଜିଲ୍ଲାର ଏମ୍‌ଭି ୩ରେ ବିଏସ୍‌ଏଫ୍‌ର ୮୫ ନମ୍ବର ବାଟାଲିୟନ୍‌, ଏମ୍‌ଭି-୭୯ରେ ୧୧୨ ନମ୍ବର ବାଟାଲିୟନ୍‌, ବାଲିମେଳାରେ ୧୪୪ ନମ୍ବର ବାଟାଲିୟନ୍‌ ଓ ଚିତ୍ରୋକୋଣ୍ଡାରେ ୮ନମ୍ବର ବାଟାଲିୟନ୍‌ ରହିଛି। ସେମାନେ ସକ୍ରିୟ ଅଛନ୍ତି।

ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ପାଇଁ ଏବେ ଅସଲ ପରୀକ୍ଷାର ବେଳ ଆସିଛି। ସ୍ୱାଭିମାନ ଅଞ୍ଚଳରେ ଅଧିକରୁ ଅଧିକ କ୍ୟାମ୍ପ ପ୍ରତିଷ୍ଠା କରିବା ଲାଗି ପଦକ୍ଷେପ ନିଆଯିବା ଦରକାର। ଥରେ ଯଦି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେତୁ ନିର୍ମାଣ ପରେ ବିକାଶ ଦିଗରୁ ନଜର ଖସିଯିବ ଓ ନକ୍ସଲ ନେତା ସେମାନଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ, ତେବେ ଅଯଥା ରକ୍ତପାତ ହେବ ଓ ସ୍ଥିତି ନିୟନ୍ତ୍ରଣକୁ ଆଣିବା କଷ୍ଟସାଧ୍ୟ ହୋଇପାରେ। ଏଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଯେତେଶୀଘ୍ର ଏହି ଅଞ୍ଚଳରେ ଅଧିକରୁ ଅଧିକ ଫୋର୍ସ ପୂରାଇପାରିବେ, ସେତେଶୀଘ୍ର ଏହି ଅଞ୍ଚଳଟି ଆୟତ୍ତକୁ ଆସିବ ଓ ନକ୍ସଲମାନେ ଆଉଥରେ ସଂଗଠିତ ହେବା ଲାଗି ଯେଉଁ ଯୋଜନା କରୁଛନ୍ତି, ତାହା ଫୁସୁକି ଯିବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବର, ସ୍ୱାଭିମାନ ଅଞ୍ଚଳରେ ମୁତୟନପାଇଁ ସିଆରପିଏଫ୍‌ର ଗୋଟିଏ କୋବ୍ରା ବାଟାଲିୟନ ଫେରାଇ ଦେବାକୁ ଓଡିଶା ସରକାର କେନ୍ଦ୍ରକୁ ଜଣାଇଛନ୍ତି। ନିକଟରେ ଶ୍ରୀ ସିହ୍ନା ରାଜ୍ୟର ବାମପନ୍ଥୀ ଉଗ୍ରବାଦ ସମସ୍ୟା ସହିତ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ କେନ୍ଦ୍ରକୁ ଏଭଳି ଅନୁରୋଧ କରାଯାଇଛି। ଯେହେତୁ ନକ୍ସଲ ପ୍ରବଣ ଅଞ୍ଚଳ ସହିତ କୋବ୍ରା ବାହିନୀର ପରିଚିତି ରହିଛି, ଏଣୁ ଏହି ବାଟାଲିୟନ୍‌ ଉପରେ ରାଜ୍ୟ ଗୁରୁତ୍ୱ ଦେଇଛି। ୨୦୦୯ ମସିହାରେ କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ମୁତୟନ ହୋଇଥିବା ଗୋଟିଏ କୋବ୍ରା ବାଟାଲିୟନକୁ କର୍ତ୍ତୃପକ୍ଷ ପ୍ରତ୍ୟାହାର କରିନେଇ ଛତିଶଗଡରେ ମୁତୟନ କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ନକ୍ସଲମାନେ ଗୁରୁପ୍ରିୟା ସେତୁ ସଂଲଗ୍ନ ସାତ ପଞ୍ଚାୟତ ବଡ଼ପଡା, ପଣସପୁଟ, ଯୋଡାଆମ୍ବ, ଯନ୍ତ୍ରୀ, ପେପରମେଟ୍‌ଲା, ଅଣ୍ଡ୍ରାପାଲି, ଗାଜଲମାମୁଡିରେ ବିଛାଇ ହୋଇ ରହିଥିଲେ। ଅପରପାର୍ଶ୍ୱରେ ଥିବା ରାଲେଗଡା ଓ ଧୂଳିପୁଟରେ ମଧ୍ୟ ସେମାନଙ୍କ ଦବ୍‌ଦବା କିଛି କମ୍‌ ନାହିଁ। ଉଭୟ ଆନ୍ଧ୍ର ଓ ଛତିଶଗଡ଼ରେ ଅପରାଧ ଘଟାଇବା ପରେ ଏମାନେ ଏ ଅଞ୍ଚଳକୁ ନିରାପଦ ସ୍ଥାନ ଭାବେ ମନେକରି ଏଠାରେ ଆଡ୍ଡା ରଖିଛନ୍ତି।

ଆନ୍ଧ୍ରସୀମାନ୍ତରେ କୋରୁକୁଣ୍ଡା ଦଲମ୍‌ ଆଜି ଦିନରେ ବେଶ୍‌ ସକ୍ରିୟ ରହିଛି। ମାଲକାନଗିରି-କୋରାପୁଟ-ବିଶାଖା ସୀମାନ୍ତ ଡିଭିଜନ୍‌ ଲମତାପୁଟ, ଅନାକାଡିଲରେ ଅଧିକାଂଶ ସମୟ କ୍ୟାମ୍ପ କରି ରହୁଛନ୍ତି। ଦୁର୍ଦାନ୍ତ ମାଓନେତା ସୁଧୀର ନେତୃତ୍ୱରେ କୁଡୁମୁଲୁଗୁମାରେ ଏକ ଦଲମ କାମ କରୁଛି। ଯଦିଓ କିଛି ମାସ ତଳେ ତାର ପତ୍ନୀ ଆତ୍ମସମର୍ପଣ କରିଛି, ଏହାର ବିଶେଷ ପ୍ରଭାବ କିନ୍ତୁ ସୁଧୀର ଉପରେ ଏଯାଏ ପଡିନାହିଁ।

ସେହିଭଳି ଛତିଶଗଡି ନକ୍ସଲ ନଦୀପାର ହୋଇ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଯାଉଛନ୍ତି। କାଲିମେଳା ଦଲମ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା ଚଳାଇଛି। କିଛି ନାବାଳିକାଙ୍କୁ ସଂଗଠନରେ ସାମିଲ କରି ଏମାନେ ଆକ୍ରମଣ ଘଟାଇବା ପାଇଁ ନକ୍ସା ପ୍ରସ୍ତୁତ କରୁଛନ୍ତି। ଦରଭା ଡିଭିଜନ ଦାୟିତ୍ୱରେ ଥିବା ବିନୋଦ କାଶ୍ୟପ ମାଥିଲି, ବୈପାରିଗୁଡା, ଗୋବିନ୍ଦପାଲ୍ଲିରେ ନିଜର ଦବ୍‌ଦବ୍ ପୁନଃ ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଥିବା ଖବର ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକୁ ପ୍ରତ୍ୟାଖ୍ୟାନ : ଅଧିକ ଉଗ୍ର ହେଲେ ନକ୍ସଲ, ଆହ୍ଵାନ ଦେଲେ, ଜୀବନ ଦିଅ

ମାଲକାନଗିରି : ଗତ ୨୬ତାରିଖ ଦିନ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଲଗଡରେ ଠିଆ ହୋଇ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ଏହାର ୪୮ ଘଣ୍ଟା ପରେ ସହିଦ ସପ୍ତାହ ପାଳନର ପ୍ରଥମ ଦିନରେ ନକ୍ସଲମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନର ଉତ୍ତର ନ ଦେଇ ସୀମାନ୍ତ ରାଲେଗାଡାରେ ମହା ଆଡ଼ମ୍ବରରେ ସହିଦ ଦିବସ ପାଳନ କରାଯାଇଛି। ନକ୍ସଲମାନେ ଅଧିକ ଉଗ୍ର ମାନସିକତା ପ୍ରଦର୍ଶନ କରି ପରୋକ୍ଷରେ ଜଣାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ଗ୍ରାମରେ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି।

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ (ବିଚ୍ଛିନ୍ନାଞ୍ଚଳ) ନିକଟସ୍ଥ ରାଲେଗାଡା ଠାରେ ଶହ ଶହ ନକ୍ସଲ ଓ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ସହିଦ ସ୍ତମ୍ଭ ନିକଟରେ ନିହତ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସହିଦ ଅମର ରହେ ସ୍ଲୋଗାନରେ ଆଖପାଖ ଅଞ୍ଚଳ କମ୍ପିଥିଲା। ଉପସ୍ଥିତ ଟପ୍‌ କ୍ୟାଡର ମାଓବାଦୀ ଓଡିଶାର ବିଭିନ୍ନ ଅଞ୍ଚଳରେ ସହିଦ ହୋଇଥିବା ମାଓ ନେତାଙ୍କ ନାମ ନେଇ ଲୋକଙ୍କୁ ଏମାନଙ୍କ ବଳିଦାନ ସଂପର୍କରେ ବୁଝାଇଥିଲେ। ଜଳ, ଜମି, ଜଂଗଲ ପାଇଁ ସଙ୍ଗଠନ ସଂଗ୍ରାମ କରୁଥିବା କୁହାଯାଇଥିଲା। ଆବଶ୍ୟକ ପଡିଲେ ଜୀବନ ଦେବାକୁ ପ୍ରସ୍ତୁତ ହେବାକୁ ଆହ୍ଵାନ ଦିଆଯାଇଥିଲା।

ନକ୍ସଲମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ନାଚଗୀତ ମାଧ୍ୟମରେ ଲୋକଙ୍କୁ କମ୍ରେଡଙ୍କ ବଳିଦାନ ସଂପର୍କରେ ଅବଗତ କରାଇଥିଲେ। ଆପଣମାନେ ସମସ୍ତେ ଏକ ହୋଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ଆଗେଇ ଆସ ବୋଲି ଅନୁରୋଧ କରିଥିଲେ। ପ୍ରବର୍ତାଇଥିଲେ ଯେ ଆଜି ବି ବିଚ୍ଛିନ୍ନାଞ୍ଚଳର ଲୋକେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଗୁରୁପ୍ରିୟା ସେତୁ ହେଲେ ଯେ ବିଚ୍ଛିନ୍ନାଞ୍ଚଳର ଉନ୍ନତି ହେବ ତାହା ସଂପୂର୍ଣ୍ଣ ରୂପେ ଭୁଲ। ଏଠାରେ ରହିଥିବା ବକ୍ସସାଇଟକୁ ଲୁଟ କରିବା ପାଇଁ ଓଡିଶା ଓ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ରହିଛି। କେବେ ମଧ୍ୟ ଲୋକଙ୍କର ଉନ୍ନତି ଚାହୁ ନାହାନ୍ତି ସରକାର। ତେଣୁ ସରକାରଙ୍କ କଥାରେ ପ୍ରଭାବିତ ନ ହେବାକୁ କୁହାଯାଇଥିଲା। ଶେଷରେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର