ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା

୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା କମିସନରେଟ୍ ପୁଲିସ୍

ଭୁବନେଶ୍ବର : ଜେଏନୟୁ ଶୈଳୀରେ ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ୍। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା । ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ । ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ସେମାନଙ୍କ ଭିତରୁ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ସେ ।

ଅଭିଯୁକ୍ତମାନେ କୌଣସି ଦଳର ନୁହନ୍ତି, ଅଧିକାଂଶ ସ୍କୁଲରେ ପଢ଼ୁଥିବା ପିଲା ବୋଲି କହିଛନ୍ତି କମିସନର । ଗିରଫ ଲୋକଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ୬ ଜଣ ସାବାଳକ ଥିଲେ । ଗତକାଲି ମାରପିଟ ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀ, ଚିଣ୍ଟୁ ଓ ପ୍ରୀତମ୍ ବୋଲି ସୂଚନା ଦେଇଛନ୍ତି କମିସନର ଡ.ସୁଧାଂଶୁ ଷଡଙ୍ଗୀ ।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ରାଜଧାନୀରେ ମୁଖାପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଖେଳାଇଥିଲେ ଆତଙ୍କର ବାତାବରଣ। ଅଧ ଘଣ୍ଟା ଲାଗି କୋକୁଆ ଭୟ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ। ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏହି ମୁଖାପିନ୍ଧା ଯୁବକମାନେ।

ଫଳରେ କେଶରୀ ମଲ ନିକଟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ବିକଳରେ ଯିଏ ଯୁଆଡ଼େ ପାରିଲେ, ଦୌଡ଼ିଥିଲେ। ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଉଠା ଦୋକାନୀମାନେ ଦାବି କରିଥିଲେ। ଖବର ପାଇ ଅତିରିକ୍ତ ପୁଲିସ କମିସନର ଅନୁପ ସାହୁ ଓ  ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର