ବିବାହର ୧୦ ଘଣ୍ଟା ପରେ ଯୁବକଙ୍କ ଆତ୍ମହତ୍ୟା : ଅଜଣା ଫୋନ କଲ୍‌ ନେଲା କି ଜୀବନ?

ଚାନ୍ଦବାଲି : ବିବାହର ୧୦ ଘଣ୍ଟା ପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। କେଉଁ କାରଣ ଯୋଗୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ, ଏକ ଅଜଣା ଫୋନ୍‌କଲ୍‌ ମୃତ୍ୟୁର କାରଣ ବୋଲି ଶୁଣିବାକୁ ମିଳୁଛି। ଅପରପକ୍ଷେ, ପାଦରୁ ଅଳତା ଲିଭି ନ ଥିବା ଯୁବକଙ୍କ ନବବିବାହିତା ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଯାଇଛି।

ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍‌ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ହଟପୁର ଗାଁର ଗୟାଧର ନାୟକଙ୍କ ସାନପୁଅ ରତ୍ନାକର(୩୨)। ଗତ ୨୪ ତାରିଖରେ ରତ୍ନାକରଙ୍କ ବିବାହ ନିକଟସ୍ଥ ଯଶିପୁର ପଞ୍ଚାୟତ ବଳସାହିରେ ହୋଇଥିଲା। ୨୫ ତାରିଖରେ ଘରକୁ ଫେରିଥିଲେ। ରାତି ପ୍ରାୟ ୮ଟାରେ ପରିବାର ଗହଣରେ ରତ୍ନାକର ବସି ହସଖୁସି ହେଉଥିବା ବେଳେ ହଠାତ୍‌ ଏକ ଫୋନ କଲ୍‌ ପାଇ କଥା ହେଉ ହେଉ ନିଜ ଘରପଛ ବାରିପଟକୁ ଚାଲି ଯାଇଥିଲେ। ଘଣ୍ଟାଏ ବିତିଗଲେ ବି ରତ୍ନାକର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଘର ପଛପଟେ ବାରି଼ରେ ଥିବା ଏକ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ସାଙ୍ଗେସାଙ୍ଗେ ଭଦ୍ରକ ମେଡିିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୋବାଇଲକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛି। ଏପଟେ ଖବରପାଇ ବାପଘର ଲୋକେ ଶାଶୂଘର ଲୋକଙ୍କ ପରାମର୍ଶ କ୍ରମେ ଝିଅକୁ ନେଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର