ଇଦ୍‌ରେ ମସଜିଦ୍‌ ପରିଚାଳନା ବିବାଦ ତେଜିଲା : ଜାତୀୟ ରାଜପଥ ଉପରେ ନମାଜ ପଢ଼ିଲେ

ଭଂଜନଗର : ଇଦ୍‌ ପାଳନ ଅବସରରେ ଆଜି ଗଂଜାମ ଜିଲ୍ଲା ଭଂଜନଗର ସହରରେ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ମସ୍‌ଜିଦ୍‌ ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଗୋଟିଏ ଗୋଷ୍ଠୀ ମସ୍‌ଜିଦ୍‌ରେ ନମାଜ ପଢ଼ିଥିବା ବେଳେ ଅପର ଗୋଷ୍ଠୀ ଏକାଠି ହୋଇ ଜାତୀୟ ରାଜପଥ ଉପରେ ନମାଜ ପଢିଥିଲେ। ପୁଲିସ ଉପସ୍ଥିତିରେ ଏହି ଗୋଷ୍ଠୀ ସିଆରପିଏଫ୍‌ କ୍ୟାମ୍ପରୁ ପ୍ରେସ୍‌କ୍ଲବ ସମ୍ମୁଖ ଜାତୀୟ ରାଜପଥ ଉପରେ ନମାଜ ପାଠ କରିଥିଲେ। ଏହାକୁ ନେଇ ଭଂଜନଗରେ ବିଭିନ୍ନ ମହଲରେ ଚର୍ଚ୍ଚା।

ମିଳିଥିବା ସୂଚନା ମୁତାବକ, ଭଂଜନଗର ମସଜିଦ୍‌ ପରିଚାଳନାକୁ ନେଇ ବର୍ତମାନ ଥିବା ଗୋଷ୍ଠୀ ଓ ପୂର୍ବର ଗୋଷ୍ଠୀ ମଧ୍ୟରେ ଗତ କିଛି ବର୍ଷ ହେଲା ବିବାଦ ଲାଗି ରହିଛି। ଏପରିକି ଏହି ମାମଲା କୋର୍ଟ ପଯ୍ୟର୍ନ୍ତ ଯାଇଥିଲା। ତେବେ ଗୋଟିଏ ଗୋଷ୍ଠୀ ମାମଲା ଜିତିବା ପରେ ପୁରୁଣା ଗୋଷ୍ଠୀ ସେମାନଙ୍କୁ ପରିଚାଳନା ଦାୟିତ୍ୱ ଦେଇ ଥିଲେ। ପ୍ରତିବର୍ଷ ଇଦ୍‌ ପୂର୍ବ ଦିନ ସନ୍ଧ୍ୟାରେ ପୁରୁଣା ପରିଚାଳନା ଗୋଷ୍ଠୀ ମସ୍‌ଜିଦ୍‌ ଚାବି ପୁଲିସକୁ ହସ୍ତାନ୍ତର କରିବା ସହ ଇଦ୍‌ଗା ପଡ଼ିଆରେ ପ୍ରାର୍ଥନା କରି ଆସୁଥିଲେ। ତେବେ ଏଥର ନୂଆ ଗୋଷ୍ଠୀର ସଦସ୍ୟ ମାନେ ଚାବି ପୁରୁଣା ଗୋଷ୍ଠୀଙ୍କୁ ଦେଇ ନଥିଲେ। ଆଜି ସକାଳୁ ପୁରୁଣା ଗୋଷ୍ଠୀର ଶତାଧିକ ସଦସ୍ୟ ଓ ସମର୍ଥକ ମାନେ ଉପଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟି କେଉଁଠି ପ୍ରାର୍ଥନା କରିବେ ବୋଲି ଆବେଦନ ପତ୍ର ଦେଇଥିଲେ। ଏହା ପରେ ତହସିଲଦାର ଆଲୋକ ପ୍ରଧାନ ଓ ଏସଡିପିଓ ଉତ୍କଳ କେଶରୀ ଦାଶ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ। ପୁରୁଣା ଗୋଷ୍ଠୀର ସଭ୍ୟ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନହେଲେ ମସଜିଦ୍‌ରେ ଯାଇ ପ୍ରାର୍ଥନା କରିବୁ ବୋଲି ଦାବି କରିଥିଲେ। ଏସ୍‌ଡିପିଓ ଓ ତହସିଲଦାର ବୁଝାସୁଝା କରିବା ପରେ ସେମାନେ ବାହାରକୁ ଆସି ଜାତୀୟ ରାଜପଥ ଉପରେ ନମାଜ ପଢିଥିଲେ। ସମ୍ଭାବ୍ୟ ଉତ୍ତେଜନା ପରିସ୍ଥିତିକୁ ଧ୍ୟାନରେ ରଖି ଉପଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ଓ ମସଜିଦ୍‌ ନିକଟରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିଲା।

ସମ୍ବନ୍ଧିତ ଖବର