ଅଲିଭ ରିଡଲେ : ତୃତୀୟ ଦିନ ସୁଦ୍ଧା ଦୁଇ ଲକ୍ଷ ଅଣ୍ଡାଦାନ

ବ୍ରହ୍ମପୁର : ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ମାଳ ମାଳ ଅଲିଭ୍‌ ରିଡ୍‌ଲେଙ୍କ ଆଗମନ ଏବେ ପୃଥିବୀର ଦ୍ୱିତୀୟ ସର୍ବବୃହତ୍‌ ଏନ୍ତୁଡ଼ିଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମ ଉପକୂଳ ଆଡ଼କୁ। କିଛି ଦିନ ହେଲା କାଁ ଭାଁ କଇଁଛ ଅଣ୍ଡାଦାନ ଆରମ୍ଭ କରିଥିବା ବେଳେ ଆଜି ଭୋର୍‌ରେ ଲକ୍ଷାଧିକ କଇଁଛ ଆସି ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ଗତବର୍ଷ ୩ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟକ କଇଁଛ ଅଣ୍ଡା ଦେଇ ସର୍ବକାଳୀନ ରେକର୍ଡ ହୋଇଥିବା ବେଳେ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।ଗତ ତିନିଦିନ ମଧ୍ୟରେ ଏକଲକ୍ଷ ୯୬ହଜାର୬୬ କଇଁଛଙ୍କ ଆଗମନ ହୋଇଥିବା ଜଣାପଡିଛି।

ପ୍ରତି ବର୍ଷ ଫେବ୍ରୁଆରି ଶେଷ ଓ ମାର୍ଚ୍ଚ ପ୍ରାରମ୍ଭରେ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ଏକସପ୍ତାହ ଆଗରୁ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ସମସ୍ତ କଇଁଛ କୃଷ୍ଣପକ୍ଷରେ ହିଁ ସମୁଦ୍ରମୁହାଣ ହୋଇ ଅଣ୍ଡାଦାନ କରିବାକୁ ଶ୍ରେୟ ମଣୁଥିବା ବେଳେ ଚଳିତବର୍ଷ ଏହାର କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ୱରେ ଥିବା ୨୦ କିଲୋମିଟର ଦୈର୍ଘ୍ୟ ସମୁଦ୍ରବେଳା ଭୂମିକୁ ସୁରକ୍ଷିତ ରଖିବା ସକାଶେ ବନ କର୍ମଚାରୀ ଓ କଇଁଛ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ସଂପ୍ରତି ଲକ୍ଷଲକ୍ଷ କଇଁଚଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର