ପୁଣି ବଦଳିବ ମାଟ୍ରିକ୍‌ ପ୍ରଶ୍ନପତ୍ର ଢାଞ୍ଚା : ହଟିବ ଓଏମ୍‌ଆର, ଆପଣାଇବେ ସିବିଏସ୍‌ଇ ବ୍ୟବସ୍ଥା

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷା ଢାଞ୍ଚାରେ ରାଜ୍ୟ ସରକାର ପୁଣିଥରେ ପରିବର୍ତନ କରିବାକୁ ସ୍ଥିର କରିଛନ୍ତି। ଆସନ୍ତା ମାଟ୍ରିକ ପରୀକ୍ଷାରେ ଆଉ ଓଏମ୍‌ଆର୍‌ (ଅପ୍ଟିକାଲ ମାର୍କ ରିକଗ୍ନିସନ୍‌) ବ୍ୟବସ୍ଥା ରହିବ ନାହିଁ। ଓଏମ୍‌ଆର ବଦଳରେ ୧୦ ମାର୍କ ଲେଖାଏଁ ୫ ପ୍ରକାରର ପ୍ରଶ୍ନ ପ୍ରଶ୍ନପତ୍ରରେ ରଖିବାକୁ ଯୋଜନା ହୋଇଛି। ଆଜି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ଚାମ୍ପିଅନ୍‌ସ ସମ୍ବର୍ଧନା ଉତ୍ସବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପରୀକ୍ଷାର୍ଥୀ ଓଏମ୍‌ଆର ଢ଼ାଞ୍ଚାରେ ୫୦ ପ୍ରତିଶତ ମାର୍କର ପରୀକ୍ଷା ଦେଉଛନ୍ତି। ତାହାକୁ ପରିବର୍ତ୍ତନ କରି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଢ଼ାଞ୍ଚାରେ ନୂତନ ବ୍ୟବସ୍ଥା ଆପଣାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରଶ୍ନପତ୍ର ଢାଞ୍ଚାରେ ନିର୍ଦିଷ୍ଟ କି କି ପରିବର୍ତ୍ତନ ହେବ, ସେ ସଂକ୍ରାନ୍ତ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଶିକ୍ଷାବିତ୍‌ଙ୍କୁ ମଧ୍ୟ ସାମିଲ କରାଯିବ।

ଉକ୍ତ କମିଟିର ରିପୋର୍ଟ ପରେ ସରକାର ଏ ସଂକ୍ରାନ୍ତ ବିଧିବଦ୍ଧ ନିର୍ଦେଶନାମା ଜାରି କରିବେ। ତେବେ ଓଏମ୍‌ଆର ବଦଳରେ ୧୦ ମାର୍କ ଲେଖାଏଁ ୫ ପ୍ରକାରର ପ୍ରଶ୍ନ ପ୍ରଶ୍ନପତ୍ରରେ ରଖିବାକୁ ପ୍ରାରମ୍ଭିକ ଯୋଜନା ହୋଇଛି। ଗୋଟିଏ ଧାଡ଼ିରେ ଉତ୍ତର ଲେଖିବା, ଗୋଟିଏ ଶବ୍ଦରେ ପ୍ରଶ୍ନର ଉତ୍ତର ଲେଖିବା ପରି ପ୍ରଶ୍ନ ମଧ୍ୟ ପୂର୍ବଭଳି ଆସିବ।

ଆଜି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ମହାପାତ୍ର କହିଥିଲେ, ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପାସ ହାର ୭୬ ପ୍ରତିଶତକୁ ହ୍ରାସ ପାଇଛି। ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଉଥିବାରୁ ଶିକ୍ଷକମାନେ ପରୀକ୍ଷାର୍ଥୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ଆସୁଥିଲା। ଅଧିକାଂଶ ସ୍କୁଲର ଛାତ୍ରଛାତ୍ରୀ ଓଏମ୍‌ଆର ସିଟ୍‌ରେ ୫୦ରୁ ୫୦ ମାର୍କ ରଖୁଥିଲେ। ହେଲେ ଏଥର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପରେ ଗୋଟିଏ କଥା ସୂଚନା ମିଳିଛି ଯେ ମାତ୍ର ହାତଗଣତି କେତୋଟି ପିଲା ୫୦ରୁ ୫୦ ମାର୍କ ଓଏମ୍‌ଆର୍‌ ସିଟ୍‌ରେ ରଖିଛନ୍ତି। ତେଣୁ ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ଓଏମ୍‌ଆର ବ୍ୟବସ୍ଥା ହଟାଇବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ଶ୍ରୀ ମହାପାତ୍ର କହିଛନ୍ତି।
ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ଯେଉଁ ଏକାଧିକ ପୁରସ୍କାର ଦେବାର ବ୍ୟବସ୍ଥା କରିଛନ୍ତି, ଏହାଦ୍ୱାରା ପାଖାପାଖି ୪୩ହଜାର ମେଧାବୀ ଉପକୃତ ହେବେ ଓ ଏଥିପାଇଁ ବଜେଟ୍‌ରେ ୩୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ପିଲାମାନଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ପୁରସ୍କାର ଅର୍ଥ ରାଶି ଜମା କରାଯିବ।

ପୁରସ୍କାର ବାବଦରେ ଶ୍ରୀ ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ମାଟ୍ରିକ୍‌ର ମେଧାବୀ ପିଲା ପୁରସ୍କାର ପାଇବେ। ତାହାର ତାଲିକା ଜୁନ୍‌ ମାସ ଶେଷ ସୁଦ୍ଧା ପ୍ରସ୍ତୁତ କରି ବ୍ଲକ ଓ ସହରାଞ୍ଚଳ ଅନୁଯାୟୀ ପିଲାଙ୍କୁ ପୁରସ୍କାର ଦିଆଯିବ। ପ୍ରତି ବ୍ଲକ ସମେତ ଭୁବନେଶ୍ୱର ଓ କଟକ ପରି ସହରରେ ଅଧିକ ନମ୍ବର ରଖିଥିବା ଶହେ ଲେଖାଏ ଛାତ୍ରଛାତ୍ରୀ ଏବଂ ପୌରାଞ୍ଚଳର ୫୦ ଜଣ ଲେଖାଏ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ପ୍ରାୟ ୪୦ ହଜାର ପିଲାଙ୍କୁ ଏହି ଯୋଜନା ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏ ପୁରସ୍କାର ମିଳିବ। ମୁଖ୍ୟମନ୍ତ୍ରୀ ଭାଷା ପୁରସ୍କାର ମଧ୍ୟ ଏଥର ଦିଆଯିବ। ଓଡ଼ିଆ ଭାଷାରେ ଭଲ ପ୍ରଦର୍ଶନ କରୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ମିଳିବ। ଓଡ଼ିଆ ସମେତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବି ସାମିଲ କରାଯିବ। ସେହିପରି ଯେଉଁ ସ୍କୁଲର ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେହି ସ୍କୁଲକୁ ପୁରସ୍କୃତ କରାଯିବ। ଏକ ହଜାରରୁ ଅଧିକ ସ୍କୁଲ ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପାଇବେ। ମିଳିବାକୁ ଥିବା ଅର୍ଥ ସେହି ସ୍କୁଲର ଶିକ୍ଷକମାନେ ବାଣ୍ଟି ନେବେ। ଅଧିକ ନମ୍ବର ରଖିଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଡାକି ଏକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ସଚିବ ଶ୍ରୀ ମହାପାତ୍ର କହିଥିଲେ, ସରକାର ଏଣିକି ନବମ ଶ୍ରେଣୀରୁ ପିଲାଙ୍କ ପାଠପଢା ଜଗିବେ। ୪ଟି ବିଷୟରେ ସେମାନଙ୍କୁ ସ୍ୱତନ୍ତ୍ର କୋଚିଂ ଦିଆଯିବ। କେବଳ ସେତିକି ନୁହେଁ, ଏଣିକି ଷ୍ଟାଫ୍‌ ସିଲେକ୍ସନ ମାଧ୍ୟମରେ ଦକ୍ଷ ଶିକ୍ଷକ ନିଯୁକ୍ତି ଲାଗି ସରକାର ବ୍ୟବସ୍ଥା କରିଥିବା ବେଳେ କାର୍ଯ୍ୟରତ ଶିକ୍ଷକଙ୍କୁ ତିନିଟି ପର୍ଯ୍ୟାୟରେ ବିଭକ୍ତ କରି ପ୍ରଶିକ୍ଷଣ ଦିଆଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜିର ଏହି ଉତ୍ସବରେ ଦଶମ ଶ୍ରେଣୀରେ ଏ-୧ ଗ୍ରେଡ୍‌ ପାଇଥିବା ୩୯୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ଖୋର୍ଧା, ପୁରୀ ଓ ନୟାଗଡ଼ର ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ସମ୍ବର୍ଧିତ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତୀ ପର୍ଯ୍ୟାୟରେ ସମ୍ବର୍ଧିତ କରାଯିବ। ଏହି ସମ୍ବର୍ଧନା ଉତ୍ସବରେ ପଞ୍ଚମ ରାଜ୍ୟ ଅର୍ଥ କମିସନ୍‌ର ଅଧ୍ୟକ୍ଷ ତଥା ଲୋକପ୍ରିୟ କବି ରବିନାରାୟଣ ସେନାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏବଂ ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର