ମାଟ୍ରିକ୍ ଚାମ୍ପିଅନ୍ସ ୨୦୧୯ : ସଫଳ ହୁଅ, ସମାଜ ପାଇଁ ଚିନ୍ତା କର

ଭୁବନେଶ୍ବର : ମାଟ୍ରିକ୍‌ରେ ସଫଳତା ହାସଲ କରିବା ହେଉଛି ଜୀବନର ପ୍ରଥମ ପାହାଚ। ଏହି ସଫଳତାକୁ ଆଗାମୀ ଦିନରେ ଦୋହରାଇବା ପାଇଁ ଚେଷ୍ଟା କରିବା ଉଚିତ୍। କେବଳ ନିଜେ ସଫଳ ହେବା ଯଥେଷ୍ଟ ନୁହେଁ, ସମାଜ ଓ ଦେଶ ପାଇଁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ମାଟ୍ରିକ୍ ଚାମ୍ପିଅନ୍ସ’ରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ସମ୍ବର୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ସଚିବ ବିଶାଲ ଦେବ କହିଲେ, ଜୀବନରେ ସଫଳତା ଦିଗରେ ମାଟ୍ରିକ୍ ପରୀକ୍ଷା ହେଉଛି ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ପାହାଚ। ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ନିଜକୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ ସୀମିତ ନ ରଖି ସ୍ବପ୍ନ ଦେଖିବା ଉଚିତ୍। ଆଜିର ସମୟରେ ସଫଳତା ହାସଲ କରିବା ପାଇଁ ଅନେକ କ୍ଷେତ୍ର ରହିଛି। ଯେଉଁଥିରେ ଆଗକୁ ବଢ଼ିବା ପାଇଁ ଆଗ୍ରହ ରହିଛି, ସେଥିରେ ଆଗେଇବା ଉଚିତ୍। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପରିଶ୍ରମ କରୁଥିବା ବ୍ୟକ୍ତିକୁ ଭାଗ୍ୟ ସହାୟକ ହୋଇଥାଏ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ଶୃଙ୍ଖଳା ସହ ସମୟର ଉପଯୋଗ ଓ ଲକ୍ଷ୍ୟ ଗୁରୁତ୍ବପୂର୍ଣ୍ଣ। ଯେଉଁ ସମୟରେ ଯାହା ବି କାମ କର, ସେଥିରେ ଶତ ପ୍ରତିଶତ ଦେବା ଉଚିତ୍। ସଫଳତା ଗୋଟିଏ ସମୟର ଗତିବିଧି ନୁହେଁ, ଏହା ଏକ ନିରନ୍ତର ପ୍ରକ୍ରିୟା। ସଫଳତା ମାର୍ଗଦର୍ଶକ ହେବା ଉଚିତ୍। ଆମେ ସମସ୍ତେ ଦେଶର ନାଗରିକ। ଜଣେ ନାଗରିକ ହିସାବରେ ଦେଶ ପାଇଁ ଆମର କ’ଣ ଦାୟିତ୍ବ ରହିଛି, ତାହା ଚିନ୍ତା କରିବା ଉଚିତ୍। ସମସ୍ତେ କେବଳ ନିଜ ପାଇଁ କାମ କଲେ ଦେଶ ଆଗକୁ ବଢ଼ି ପାରିବ ନାହିଁ ବୋଲି ଶ୍ରୀ ଦେବ କହିଥିଲେ।

ସମ୍ମାନିତ ଅତିଥି କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କହିଲେ, ମାଟ୍ରିକ୍‌‌ରେ ସଫଳତା ହାସଲ କରିବା ହେଉଛି ଜୀବନର ଆରମ୍ଭ। ଏହାକୁ ଆଗକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବା ଜରୁରୀ। ଆସନ୍ତା ୬/୮ବର୍ଷ ଆହୁରି ପରିଶ୍ରମ କରିବାକୁ ହେବ। ଆଜିର ସମୟରେ କେବଳ ପ୍ରାଶାସନିକ ସେବା ଏକମାତ୍ର ବିକଳ୍ପ ହୋଇ ରହିନାହିଁ। ସଫଳତା ପାଇବା ପାଇଁ ଅନେକଗୁଡ଼ିଏ କ୍ଷେତ୍ର ରହିଛି। ମାତ୍ର ଏଥିପାଇଁ ଉପଯୁକ୍ତ ପ୍ଲାନିଂ ବା ଯୋଜନା କରିବା ଆବଶ୍ୟକ। ଏବେଠାରୁ ଭବିଷ୍ୟତ ସଂପର୍କରେ ଚିନ୍ତା କରିବା ଉଚିତ୍। ପ୍ରତ୍ୟେକ ଛାତ୍ରଛାତ୍ରୀ ଖବରକାଗଜ ପଢ଼ିବା ଅଭ୍ୟାସ କରିବା ଆବଶ୍ୟକ। ଏହା ଏକ ଭଲ ଅଭ୍ୟାସ। କଲେଜରେ ପାଦ ଥାପିବା ପରେ ଅଧିକରୁ ଅଧିକ ବହି ପଢ଼ିବା ପାଇଁ ଚେଷ୍ଟା କରନ୍ତୁ। ବିଶେଷକରି ଦେଶ ତଥା ବିଶ୍ବର ପ୍ରମୁଖ ବ୍ୟକ୍ତିତ୍ବମାନଙ୍କ ଆତ୍ମଜୀବନୀ ପଢ଼ି ପାରିଲେ ଭଲ। ଜ୍ଞାନ ଓ ପ୍ରଜ୍ଞା ଭିତରେ ଫରକ ରହିଛି। ସାମାଜିକ ଗଣମାଧ୍ୟମରୁ କେବଳ ସୂଚନା ମିଳିପାରିବ ହେଲେ ପୁସ୍ତକରୁ ପ୍ରକୃତ ଜ୍ଞାନ ହାସଲ ହୋଇପାରିବ। ପ୍ରତ୍ୟେକ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ବ ଦିଅନ୍ତୁ।

ସେ ଆହୁରି ମଧ୍ୟ କହିଥିଲେ ଯେ ସଫଳ ହେବାକୁ ହେଲେ, ବୁଦ୍ଧିମତା ସହ ଭାଗ୍ୟ ଓ ପରିଶ୍ରମ ଜରୁରୀ। ଏଥିରୁ କୌଣସି ଗୋଟିଏ କମ୍ ହେଲେ ଜଣେ ସଫଳ ହୋଇପାରିବ ନାହିଁ। ବୁଦ୍ଧିମତା ଓ ଭାଗ୍ୟକୁ କେହି ପରିବର୍ତନ କରିପାରିବେ ନାହିଁ। ମାତ୍ର ଜଣେ ଚାହିଁଲେ ପରିଶ୍ରମକୁ ବଢ଼ାଇ ପାରିବ। ସଫଳ ହେବା ପରେ ସମାଜକୁ ଭୁଲିଯିବା ଉଚିତ୍ ନୁହେଁ। ସମାଜରେ ଆଜି ବି ଅନେକ ଅବହେଳିତ ହୋଇ ରହିଛନ୍ତି। ସେମାନଙ୍କୁ କିଭଳି ସାଙ୍ଗରେ ନେବାକୁ ହେବ ଚିନ୍ତା କଲେ ଯାଇ ସମାଜ ତଥା ଦେଶରେ ପରିବର୍ତନ ଆସିପାରିବ ବୋଲି ଶ୍ରୀ ବୋଥ୍ରା କହିଥିଲେ।

ଅନ୍ୟତମ ଅତିଥି ତଥା ନିକଟରେ ସର୍ବଭାରତୀୟ ପ୍ରାଶାସନିକ ସେବାରେ ସଫଳ ହୋଇଥିବା ଉପାସନା ମହାପାତ୍ର କହିଲେ, ଛୋଟ ଥିବା ବେଳେ ଅନ୍ୟମାନଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ମତେ ପ୍ରଭାବିତ କରିଥିଲା। ଆଇଏଏସ୍‌ ପାଇଁ କଠିନ ପରିଶ୍ରମ କରିଥିଲି। ଦେଶ ତଥା ସମାଜ ପାଇଁ କାମ କରିବା ପିଲା ଦିନରୁ ଲକ୍ଷ୍ୟ ଥିଲା। ଜୀବନରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଆବଶ୍ୟକ। ଦୀର୍ଘସ୍ଥାୟୀ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ବିଫଳତାକୁ ନ ଡରି ଏହାର ସାମ୍ନା କରିବା ଉଚିତ୍। ଲକ୍ଷ୍ୟ ଠିକ୍ ରଖିବା ସହ ଏଥିରେ ସ୍ବଚ୍ଛତା ରଖିବା ଓ ବିଚାର ନିଜକୁ ଆଗକୁ ନେଇପାରିବ। ଜଣେ ଯେକୌଣସି ବୃତ୍ତିର ହେଉନା କାହିଁକି ଜଣେ ଭଲ ମଣିଷ ଲକ୍ଷ୍ୟ ହେବା ଉଚିତ୍। ସମାଜରେ ଥିବା ସମସ୍ୟା ଓ ପ୍ରସଙ୍ଗକୁ ଜାଣିବା ପାଇଁ ଚେଷ୍ଟା କରିବା ଜରୁରୀ। ଫଳରେ ଜଣେ ଏସବୁ ପ୍ରସଙ୍ଗ ଉପରେ ସଚେତନ ହେବା ସହ ଦେଶ ଓ ସମାଜ ପାଇଁ ଚିନ୍ତା କରିପାରିବ ବୋଲି ଉପାସନା କହିଥିଲେ।

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ମାଟ୍ରିକ୍ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ଭିତରେ ଅହଂକାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ରାଜ୍ୟରେ ଅନେକ ଲୋକ ଅହଂକାର ପାଇଁ ନଷ୍ଟ ହୋଇଯାଇଛନ୍ତି। ତେବେ ଅହଂକାରକୁ ପ୍ରଶ୍ରୟ ନ ଦେବା ପାଇଁ ଏକମାତ୍ର ଔଷଧ ହେଉଛି, କୃତଜ୍ଞ ହେବାକୁ ହେବ। କୃତଜ୍ଞ ଓ ନମ୍ର ରହିଲେ ସବୁ ଅହଂକାର ଚାଲିଯିବ। ଭଗବାନଙ୍କ ନିକଟରେ କୃତଜ୍ଞ ହୁଅ। ବାପା ମା’ ହେଉଛନ୍ତି ଚଳନ୍ତି ଭଗବାନ। ଗର୍ବ ଓ ଅଭିମାନ ଭିତରେ ଫରକ ଅଛି। ଅଭିମାନ କରିବାରେ କୌଣସି ଅସୁବିଧା ନାହିଁ। ତେବେ ବାପା ମା’ମାନଙ୍କୁ ନିବେଦନ ଯେ ସେମାନେ ନିଜର ଅଭିଳାଷ ପାଇଁ ପିଲାଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ। ଜ‌ଣେ ପିଲା ନିଜେ କ’ଣ ହେବାକୁ ଚାହୁଁଛି, ତାହାର ନିଷ୍ପତ୍ତି ପିଲା ଉପରେ ଛାଡ଼ି ଦେବାକୁ ହେବ। ପିଲାର ପ୍ରବୃତ୍ତି ଯାହା, ତାହା ବୃତ୍ତି ହେବା ଦରକାର। ରାଜନୀତିକୁ ଛାତ୍ରଛାତ୍ରୀମାନେ ଘୃଣା କରିବା ଉଚିତ୍ ନୁହେଁ। ଯେଉଁ ଛାତ୍ରଛାତ୍ରୀ ଜୀବନରେ ସଫଳ ହୋଇ ପରବର୍ତୀ ସମୟରେ ରାଜନୀତିକୁ ଆସିବେ, ସେମାନଙ୍କ ସଫଳ କାହାଣୀ ପରବର୍ତୀ ସମୟରେ ରାଜନୀତିରେ ଦୋହରାଇ ପାରିବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ନିଜେ ଜୀବନରେ କ’ଣ ହେବାକୁ ଚାହୁଁଛନ୍ତି, ଛାତ୍ରଛାତ୍ରୀମାନେ ତାହା ଚିନ୍ତା କରିବା ଆବଶ୍ୟକ। ଜୋରଜବରଦସ୍ତ କେହି ସଫଳ ହୋଇପାରିବେ ନାହିଁ। ସଫଳ ହେବା ପାଇଁ ଦକ୍ଷତା ସହ ଉତ୍ସାହ ରହିବା ଜରୁରୀ। ବଡ଼ମାନଙ୍କୁ ସମ୍ମାନ ଦେବା ଉଚିତ୍। ଏହା ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ୨୭୬ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ-ମହାପ୍ରବନ୍ଧକ(ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜୁପିଟର କଲେଜର ଉପଦେଷ୍ଟା ଆର.ଏନ୍ ପଣ୍ଡା ଓ ପାଥ ଫାଇଣ୍ଡରର ନିର୍ଦେଶକ ସୁରଜିତ ମହାନ୍ତି ନିଜ କଲେଜ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର