ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ କାରନାମା : କପି କରିବାକୁ ଧମକାଉଛନ୍ତି, ୫ଟି ପରୀକ୍ଷା କେନ୍ଦ୍ରର ସୁରକ୍ଷା ବଢ଼ାଇବାକୁ ଲୋଡ଼ାଗଲା ପୁଲିସ ସହାୟତା

ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷାଙ୍କ ସହ ହଲ୍‌କୁ ଗଲା କ୍ୟାମେରା

ଭୁବନେଶ୍ବର : ପରୀକ୍ଷାରେ କପି କରିବା ପାଇଁ ଅଡ଼ି ବସୁଛନ୍ତି ପରୀକ୍ଷାର୍ଥୀ। କ୍ୟାମ୍ପସ୍‌ରେ ଲାଗିଥିବା ସିସିଟିଭି ବନ୍ଦ କରିବାକୁ କହୁଛନ୍ତି। ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଧମକାଉଛନ୍ତି। ଏହା କୌଣସି ବାହାର ‌ରାଜ୍ୟର ପରୀକ୍ଷାର୍ଥୀଙ୍କ କାରନାମା ନୁହେଁ। ବରଂ କଟକ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌(ଏସ୍‌ଓଏସ୍‌ସି) ପରୀକ୍ଷାର୍ଥୀଙ୍କ ଏଭଳି କାରନାମା ଏବେ ପଦାକୁ ଆସିଛି। ପରୀକ୍ଷାର୍ଥୀଙ୍କର ଏଭଳି ଆଚରଣକୁ ନେଇ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ୍‌ ଭୟଭୀତ ହୋଇ ମାଧ୍ୟମିକ ଶିକ୍ଷା ପରିଷଦର ସହାୟତା ଲୋଡ଼ିଛନ୍ତି। ତାହାକୁ ଆଧାର କରି ପରିଷଦ ପକ୍ଷରୁ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ କଟକ ଡିସିପି ଓ କଟକ(ଗ୍ରାମାଞ୍ଚଳ) ଏସ୍‌ପିଙ୍କୁ କୁହାଯାଇଛି।

ପରୀକ୍ଷାର ପ୍ରଥମ ଦିନ ତଥା ଗତ ୧୯ ତାରିଖରେ କଟକ ଜିଲ୍ଲାର ନରସିଂହପୁର ବ୍ଲକର ଚମ୍ପେଶ୍ବର ଗ୍ରାମପଞ୍ଚାୟତ ହାଇସ୍କୁଲ, ନି‌ଶ୍ଚନ୍ତକୋଇଲି ବ୍ଲକ୍‌ର କେଏମ୍‌ ବିଦ୍ୟାପୀଠ, କଟକ ସଦରର ଉତ୍ତମପୁରସ୍ଥିତ ଆଚାର୍ଯ୍ୟ ହରିହର ବିଦ୍ୟାପୀଠ, ନିଆଳିସ୍ଥିତ ଏସ୍‌ଏସ୍‌କେ ବିଦ୍ୟାପୀଠ ଓ ଆଠଗଡ଼ସ୍ଥିତ ଏଏନ୍‌ ହାଇସ୍କୁଲର କେତେକ ପରୀକ୍ଷା କେନ୍ଦ୍ରରେ ଏସ୍‌ଓଏସ୍‌ସି ପରୀକ୍ଷାର୍ଥୀ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ହଟାଇବାକୁ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଧମକାଇଥିଲେ। ଆଗକୁ ଫେବ୍ରୁ୍ଆରି ୨୬, ୨୮ ଓ ମାର୍ଚ୍ଚ ୨ ତାରିଖ ଅପରାହ୍ନ ୧ଟା ୩୦ରୁ ୪ଟା ପର୍ଯ୍ୟନ୍ତ ଏସ୍‌ଓଏସ୍‌ସିର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକର ପରୀକ୍ଷା ରହିଛି। ଏଥିସହ ଉକ୍ତ ଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସେଠାରେ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହେବ। ‌ତେଣୁ ଉକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ପାଇଁ ଅନୁରୋଧ କରାଯାଇଛି।

ପରୀକ୍ଷା କେନ୍ଦ୍ରର ସୁରକ୍ଷା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟର କୌଣସି ପରୀକ୍ଷା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନି। ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ସେଠାକାର ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଜି ଶୃଙ୍ଖଳାର ସହ ଉକ୍ତ କେନ୍ଦ୍ରରେ ପରୀକ୍ଷା ଚାଲିଛି। ପରୀକ୍ଷା କେନ୍ଦ୍ରଠାରୁ ୧୦୦ ମିଟର ଦୂରତା ଯାଏ ୧୪୪ ଧାରା ଲାଗୁ ହୋଇଛି। ଯେଉଁ କେନ୍ଦ୍ରରେ ଏହାର ଉଲ୍ଲଂଘନ ହେଉଥିବାର ପ୍ରମାଣ ମିଳିବ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷାଙ୍କ ସହ ହଲ୍‌କୁ ଗଲା କ୍ୟାମେରା
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସୁବିଧା ମିଳୁ ନଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପ‌ରେ ରାଜ୍ୟ ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ କିଭଳି ସୁବିଧା ସୁଯୋଗ ମିଳୁଛି ସେନେଇ ଅନୁଧ୍ୟାନ କରିଥିଲେ। ପରୀକ୍ଷା କେନ୍ଦ୍ର ସୁପରି‌ନ୍‌ଟେଣ୍ଡେଣ୍ଟଙ୍କ ସହ ମଧ୍ୟ ଆଲୋଚନା କରିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଭିନ୍ନକ୍ଷମଙ୍କ ଲାଗି ଥିବା ଗାଇଡ୍‌ଲାଇନ୍‌ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଶ୍ରୀମତୀ ଦାସ ପରୀକ୍ଷା ହଲ୍‌ ବୁଲୁଥିବା ସମୟର ଫଟୋ ଏବେ ଭାଇରାଲ୍‌ ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ କ୍ୟାମେରା ଓ ମୋବାଇଲ୍‌ ନେବା ପାଇଁ ଅନୁମତି ନ ଥିବା ବେଳେ କିଏ ଓ କେମିତି ହଲ୍‌ ଭିତରକୁ ମୋବାଇଲ୍‌ ନେଇ କମିସନ୍‌ ବୁଲୁଥିବାର ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ପରୀକ୍ଷା କେନ୍ଦ୍ର ସୁପରି‌ନ୍‌ଟେଣ୍ଡେଣ୍ଟ ସୋନାମିକା ରାୟ କହିଛନ୍ତି ଯେ ମନା କରିବା ସତ୍ତ୍ବେ ବି କମିସନ ଅଧ୍ୟକ୍ଷା ମୋବାଇଲ୍‌ରେ ଫଟୋ ଉଠାଇ ଥିଲେ।

ସମ୍ବନ୍ଧିତ ଖବର