ମାଟ୍ରିକ୍‌ ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଦ୍ୱନ୍ଦ୍ୱ : ଲଟ୍‌କିଛି ଓଏମ୍‌ଆର୍‌ ଉଠିବା ନିଷ୍ପତ୍ତି

କଟକ : ମାଟ୍ରିକ୍‌ ପରୀକ୍ଷା-୨୦୧୯ର ପ୍ରଶ୍ନପତ୍ର ଢ଼ାଞ୍ଚା ବଦଳିବ କି ପୂର୍ବବର୍ଷ ଭଳି ରହିବ ତାହା ସ୍ପଷ୍ଟ ହୋଇନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଶୈଳୀ ବଦଳିବ ବୋଲି ଘୋଷଣା କରି ନିରବ ବସିଛନ୍ତି। ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିୟନ୍ତ୍ରଣ କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ କାର୍ଯର୍୍ୟକ୍ରମ ଆରମ୍ଭ କରିନାହାନ୍ତି। ଗ୍ରୀଷ୍ମ ଅବକାଶ ଶେଷ ହୋଇ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ କେଉଁ ଶୈଳୀରେ ଶିକ୍ଷକମାନେ ପିଲାମାନଙ୍କ କ୍ଲାସ୍‌ ନେବେ ସେ ଦେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀମାନେ ମଧ୍ୟ ଆଶଙ୍କାରେ ରହିଛନ୍ତି।

୨୦୧୩-୧୪ଶିକ୍ଷା ବର୍ଷରୁ ୫୦ନମ୍ବର ଦୀର୍ଘଉତ୍ତରମୂଳକ ଓ ୫୦ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ(ଓଏମ୍‌ଆର୍‌) ବ୍ୟବସ୍ଥା ଲାଗୁ ହୋଇଥିଲା। କିନ୍ତୁ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଚଳିତ ପରୀକ୍ଷା ଢ଼ାଞ୍ଚାକୁ ପରିବର୍ତ୍ତନ କରିବାକୁ ସୂଚନା ଦିଆଯାଇଥିଲା। ଆସନ୍ତାବର୍ଷ(୨୦୧୮-୧୯)ରେ ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚା ବଦଳିବ ବୋଲି ଗଣଶିକ୍ଷା ସଚିବ ଘୋଷଣା କରିଥିଲେ। ପୂର୍ବ ବର୍ଷ ଭଳି ମାଟ୍ରିକ୍‌ ପରୀକ୍ଷାରେ ୫୦ନମ୍ବର ବିଶିଷ୍ଟ ଓଏମ୍‌ଆର୍‌ ପ୍ରଶ୍ନପତ୍ର ଆଉ ରହିବ ନାହିଁ। ଶହେ ନମ୍ବର ପ୍ରଶ୍ନରେ ଦୀର୍ଘଉତ୍ତରମୂଳକ(ସବ୍‌ଜେକ୍ଟିଭ୍‌) ପ୍ରଶ୍ନପତ୍ର ପାଖାପାଖି ୭୦ ନମ୍ବର ଓ ଅବଶିଷ୍ଟ ସଂକ୍ଷିପ୍ତପ୍ରଶ୍ନ (ଅବ୍‌ଜେକ୍ଟିଭ୍‌) ୩୦ ନମ୍ବର ପଡ଼ିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ଆଜିଯାଏ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରର ରୂପରେଖ କିଭଳି ହେବ ତାହା ଚୂଡାନ୍ତ ହୋଇନାହିଁ। ଏଥି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବୋର୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏଥିରେ ୩ଜଣ ବରିଷ୍ଠ ଶିକ୍ଷାବିତଙ୍କୁ ରଖାଯାଇଛି। କିନ୍ତୁ ଆଜିଯାଏ କମିଟିର ବୈଠକ ବସିନାହିଁ କି ନୂତନ ଢ଼ାଞ୍ଚା ବିଷୟରେ ଆଲୋଚନା ହୋଇନାହିଁ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସରକାର କମିଟି ଗଠନ କରିଛନ୍ତି। ବୋର୍ଡ ପକ୍ଷରୁ କମିିଟିର ବୈଠକ ବସି ଏଦିଗରେ ନିଷ୍ପତ୍ତି ନିଆଯିବ। ଏହି ପ୍ରସ୍ତାବଗୁଡ଼ିକୁ ସରକାରଙ୍କୁ ଜଣାଇ ଦିଆଯିବ। ସରକାରଙ୍କ ସ୍ୱୀକୃତି ପରେ ବୋର୍ଡ ପକ୍ଷରୁ ବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯିବ। କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ଏସବୁ ପ୍ରସଙ୍ଗକୁ ଚୂଡାନ୍ତ କରି କାର୍ଯ୍ୟକାରୀ କରାଗଲେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଓ ଶିକ୍ଷକମାନଙ୍କ ଶିକ୍ଷାଦାନ ସହଜ ଓ ସରଳ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର