ମାଟ୍ରିକ୍‌ ପରୀକ୍ଷା ଦେବେ ୫.୭୨ ଲକ୍ଷ

ଦିନ ୧୦ଟାରେ ଆରମ୍ଭ ହେବ ପରୀକ୍ଷା, ୮ରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ

୩୦୪ ନୋଡାଲ ସେଣ୍ଟର; ପରୀକ୍ଷା ଦିନ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର
କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ବ୍ୟବହାର କରିବେ ମୋବାଇଲ୍
ମାଟ୍ରିକ୍‌ ପରୀକ୍ଷା ପରେ ଅନ୍‌ଲାଇନ୍‌ରେ ହେବ ଓଟିଇଟି ପରୀକ୍ଷା

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ସକାଳ ୯ଟା ପରିବର୍ତ୍ତେ ଦିନ ୧୦ଟାରୁ ଆରମ୍ଭ ହୋଇ ସାଢେ ବାରଟାରେ ଶେଷ ହେବ। ଫେବ୍ରୁଆରି ୨୨ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାବେଳେ ଏ ସଂପର୍କରେ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୧୭ ପଏଣ୍ଟ ବିଶିଷ୍ଟ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେହିଭଳି ଚଳିତ ବର୍ଷ ଠାରୁ ଓଟିଇଟି ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମାଟ୍ରିକ ପରୀକ୍ଷା ପରେ ଏ ସଂପର୍କିତ ସବିଶେଷ ବିବରଣୀ ଜାରି କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେ‌ଗମ ଦେଇଥିବା ସୂଚନା ଅନୁଯାୟୀ ମାଟ୍ରିକ ପରୀକ୍ଷାର ପ୍ରତ୍ୟେକ ବିଷୟ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। କେବଳ ଗଣିତ ୧୨ଟା ୪୫ରେ ଶେଷ ହେବ। ସେହିପରି ମଧୢମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ଅପରାହ୍‌ଣ ୨ଟାରୁ ଅପରାହ୍‌ଣ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ। ପୂର୍ବବର୍ଷ ଭଳି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପୂର୍ବଦିନ ନପହଞ୍ଚି ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ ମଧୢରେ ପହଞ୍ଚିବ। ପ୍ରଶ୍ନପତ୍ରର ପ୍ରଥମ ଲେୟାରଟି ଖୋଲାଯାଇ ପ୍ରଥମେ ଜଣେ ଓଏଏସ୍‌/ଓଇଏସ୍‌/ଓଏଫ୍‌ଏସ୍‌ ପାହ୍ୟାର ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ। ଦ୍ବିତୀୟ ଲେୟାରଟି ୯. ୪୫ମିନିଟ୍‌ରେ ପରୀକ୍ଷା ହଲ୍‌ରେ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିିରେ ଖୋଲାଯିବା ସହିତ ପିଲାଙ୍କୁ ଦିଆଯିବ। ଅନୁପସ୍ଥିତ ଥିବା ପିଲାଙ୍କ ପ୍ରଶ୍ନପତ୍ର ବୁକ୍‌ଲେଟ୍‌ ପୂର୍ବ ଭଳି ହଲରେ ନରଖି ସଙ୍ଗେ ସଙ୍ଗେ ସେଣ୍ଟର ସୁପରିଟେଣ୍ତେଣ୍ଟଙ୍କୁ ହସ୍ତାନ୍ତର କରାଯିବ। ସକାଳ ୯ଟା ୪୫ରୁ ୧୦ଟା ୧୫ମିିନିଟ୍‌ ମଧୢରେ ପରୀକ୍ଷାର୍ଥୀ ରୋଲ୍‌ ନମ୍ବର, ଓଏମ୍‌ଆର‌୍‌, ବିଷୟ ଆଦି ତଥ୍ୟ ପୂରଣ କରିବା ସହିତ ୧୦ଟାରେ ପେପର ସିଟ୍‌ ଖୋଲିବେ। ପରୀକ୍ଷାର୍ଥୀଙ୍କୁ ୯.୩୦ରେ ଓଏମ୍‌ଆର‌୍‌ ଫର୍ଦ୍ଦ ପ୍ରଦାନ କରାଯିବ। ପରୀକ୍ଷା କେନ୍ଦ୍ର ମଧୢକୁ ମୋବାଇଲ୍‌ ଫୋନ୍‌କୁ କୌଣସି ପରିସ୍ଥିତିରେ ନିଆଯାଇ ପାରିବ ନାହିଁ। କେବଳ ସେଣ୍ଟର ସୁପରିଟେଣ୍ତେଣ୍ଟ ପରୀକ୍ଷା ସ˚କ୍ରାନ୍ତ ସୂଚନା ପାଇଁ ମୋବାଇଲ ବ୍ୟବହାର କରିପାରିବେ। ପରୀକ୍ଷା ସରୁସରୁ ଉପସ୍ଥାନ, ଏମ୍‌ପି ଆଦି ପରୀକ୍ଷା ସ˚ପର୍କିତ ସମସ୍ତ ତଥ୍ୟ ସେଣ୍ଟର ସୁପରିଟେଣ୍ତେଣ୍ଟ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଅନ୍‌ଲାଇନ୍‌ରେ ପଠାଇବେ। ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ଏବେ ଠାରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲାଗିବା ଆରମ୍ଭ ହୋଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଓଡ଼ିଶା ଶିକ୍ଷା ଆଇନ-୧୯୮୦ଅନୁସାରେ ଜିରୋ ଟଲେରାନ୍‌ସ କରାଯିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ପରୀକ୍ଷା ଖାତା ଦେଖା ପାଇଁ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା ସୁପରିଚାଳନା ପାଇଁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ସେଣ୍ଟର ସୁପରିଟେଣ୍ତେଣ୍ଟ, ସୁପରଭାଇଜରମାନଙ୍କର ଏକ ଓରିଏଣ୍ଟଟେସନ୍‌ ପ୍ରୋଗ୍ରାମ କରାଯିବା। ଆସନ୍ତା ୫ତାରିଖରେ ସମ୍ବଲପୁର ଜୋନ୍‌ରେ, ୬ରେ ବାଲେଶ୍ବର ଜୋନ୍‌ରେ, ୮ରେ କଟକ କେନ୍ଦ୍ରୀୟ କାର୍ଯ୍ୟାଳୟରେ, ୧୧ରେ ଭୁବନେଶ୍ବର ଜୋନ୍‌ରେ, ୧୨ତାରିଖରେ ବ୍ରହ୍ମପୁର, ଜୟପୁର ଜୋନ୍‌ କାର୍ଯ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହେବ। ଏଥିରେ ପ୍ରଶିକ୍ଷଣ ନେଇଥିବା ଅଧିକାରୀମାନେ ରାଜ୍ୟର ଅନ୍ୟ କେନ୍ଦ୍ରରେ ଶିବିର ପରିଚାଳନା କରିବେ।

ଚଳିତବର୍ଷ ମାଟ୍ରିକରେ ମୋଟ ୫ଲକ୍ଷ ୭୨ହଜାର ୬୯୯ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧୢରୁ ରେଗୁଲାର‌୍‌ରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାରରେ ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସରେଗୁଲାରରେ ୨୧୧ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ସେହିପରି ମାଟ୍ରିକ୍‌ ପାଇଁ ରାଜ୍ୟରେ ମୋଟ ୨୮୩୦ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ସେହିପରି ମଧୢମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ରେଗୁଲାରରେ ୨୭୫୪ଜଣ ଓ ଏକ୍ସରେଗୁଲାରରେ ୨୫୫ଜଣ ରହିଛନ୍ତି। ମଧୢମା ପାଇଁ ୪୪ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଫ୍ରେସ ପିଲା ୬୮୯୪ଜଣ ଓ ବ୍ୟାକ୍‌ ପିଲା ୫୧୧୨ଜଣ ରହିଛନ୍ତି। ଓପନ୍‌ ସ୍କୁଲ ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ମୋଟ ୩୦୪ଟି ନୋଡାଲ ସେଣ୍ଟର ସ୍ଥିର ହୋଇଥିବା ବେଳେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେବା ପାଇଁ ୬୯୩ଟି ଡେସ୍‌ପ୍ୟାଚ୍‌ ଟିମ୍‌ ଗଠନ କରାଯାଇଛି। ଫେବ୍ରୁଆରି ୮ତାରିଖରୁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ବୋର୍ଡ େଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେବ। ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ୟୁଏନ୍‌ଆଇ ନମ୍ବର ବୋର୍ଡ େଵବ୍‌ସାଇଟ୍‌ରେ ଛଡା ଯାଇଛି। ସେମାନେ ନିଜ ନାମ ଓ ବାପାଙ୍କ ନାମକୁ ବ୍ୟବହାର କରି ଏହାକୁ ପାଇପାରିବେ। ଏବର୍ଷ ପ୍ରତି ପରୀକ୍ଷାର ଆନ୍‌ସର ସିଟ୍‌କୁ ସ୍କ୍ରିପ୍ଟ ଅନୁସାରେ ସେଣ୍ଟର ସୁପରିଟେଣ୍ତେଣ୍ଟ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପରୀକ୍ଷା ସ˚ପର୍କିତ ସମସ୍ତ ତଥ୍ୟ ବୋର୍ଡ େଵବ୍‌ସାଇଟ୍‌ରେ ଛଡାଯାଇଛି ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି। ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସ˚ପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର