ମାଟ୍ରିକ୍‌ ପରୀକ୍ଷା ବିଭ୍ରାଟ! କପି କରିବା ପାଇଁ ଭାଙ୍ଗୁଛନ୍ତି ସିସିଟିଭି

ଆଗାମୀ ଦିନରେ ଆହୁରି ସିସିଟିଭି ଭାଙ୍ଗିବା ଆଶଙ୍କା
ଏଣିକି ଭାଙ୍ଗିଲେ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ
ସାଧାରଣ ଘଣ୍ଟାକୁ ହଁ, ଡିଜିଟାଲ ଘଣ୍ଟାକୁ ନା

ଭୁବନେଶ୍ବର/କଟକ : ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ପିଛା ଛାଡ଼ୁନି। ପ୍ରଥମ ଦିନରେ ମୋବାଇଲ୍‌ରୁ ମୋବାଇଲ୍‌କୁ ପ୍ରଶ୍ନପତ୍ର ଘୂରି ବୁଲିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହାକୁ ନକଲି ବୋଲି ସ୍ପଷ୍ଟ କରାଯିବା ପରେ ବି ଚିତ୍ର ସ୍ପଷ୍ଟ ହେଉନି। ଯେଉଁଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇ ଆଗକୁ ହେବାକୁ ଥିବା ପରୀକ୍ଷାଗୁଡ଼ିକରେ କିଭଳି କପି ରୋକାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଭଳି ସମୟରେ ପରୀକ୍ଷା ପରିଚାଳନାର ଆଉ ଏକ ଅଭିଯୋଗ ପଦାକୁ ଆସିଛି। ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭିଗୁଡ଼ିକୁ ଜାଣିଶୁଣି ଭଙ୍ଗାଯାଉଛି। ଇତିମଧ୍ୟରେ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗିଥିବା ବେଳେ ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କା ପ୍ରକାଶ କରାଯାଇଛି।

ଯେଉଁଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଯଦି ଏଭଳି କିଛି ଘଟଣା ଘଟିବ ତେବେ ସ୍କୁଲ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ। ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରାଯିବ। ସେଠାରେ ପରୀକ୍ଷା ଦେଉଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଲେଖିଥିବା ଚିଠିରେ ପରୀକ୍ଷା ନିୟନ୍ତ୍ରକ ଆହୁରି ସ୍ପଷ୍ଟ କରିଛନ୍ତି ଯେ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ଡିଭିଆରଗୁଡ଼ିକୁ କୌଣସି ପ୍ରକାରେ ସୁଇଚ୍‌ ଅଫ୍‌ କରାଯିବ ନାହିଁ। ଯଦି କୌଣସି ସ୍ଥାନରେ ସୁଇଚ୍‌ ଅଫ୍‌ କରାଯାଇଥିବ ତେବେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସିସିଟିଭିର ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ସୁରକ୍ଷା ପାଇଁ ପରିଷଦ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେଗୁଡ଼ିକର ସୁରକ୍ଷା ଉପରେ ବି ପ୍ରାଥମିକତା ଦିଆଯାଉଛି। କପି ଓ ଭାଇରାଲ ରୋକିବା ଦିଗରେ ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେ‌ନ୍‌ଣ୍ଡେଣ୍ଟଙ୍କ ସହ ଆଲୋଚନା ହୋଇଛି। ପରୀକ୍ଷାକୁ ସ୍ବଚ୍ଛ ଓ କପି ମୁକ୍ତ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ଅନ୍ୟପକ୍ଷରେ ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂ କରାଯାଇଥିଲା। ପରିଷଦ ସଭାପତି ରାମାଶିଷ ହାଜରା, ସଂପାଦକ ଶ୍ରୀକାନ୍ତ ତରାଇ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସାମିଲ ହୋଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୨୮୮୮ ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ, ଡେପୁଟି ନୋଡାଲ ଇନ୍‌ଚାର୍ଜ, ସେଣ୍ଟର ଅବଜରଭର୍‌ ଓ ୩୦୭ଟି ନୋଡାଲ ସେଣ୍ଟର ଇନ୍‌ଚାର୍ଜଙ୍କ ସହିତ ଆଲୋଚନା କରିଛନ୍ତି। ଅପରାହ୍ନ ୪ରୁ ସାଢେ ୫ଟା ମଧ୍ୟରେ ଅନୁଷ୍ଠିତ ଏହି ବୈଠକରେ ଗତକାଲି ଓଡ଼ିଆ ପରୀକ୍ଷାରେ ଭାଇରାଲ୍‌ ହୋଇଥିବା ପ୍ରଶ୍ନପତ୍ରକୁ ନେଇ ବିଶେଷ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସମସ୍ତ ପରୀକ୍ଷା ହଲ୍‌ରେ ଘଣ୍ଟା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ପରୀକ୍ଷାର୍ଥୀ କେବଳ ସାଧାରଣ ଘଣ୍ଟା ନେଇ କେନ୍ଦ୍ର ମଧ୍ୟକୁ ଯାଇପାରିବେ। କୌଣସି ପ୍ରକାର ଡିଜିଟାଲ ଘଣ୍ଟା ନେବା ପାଇଁ ବାରଣ ହୋଇଛି। ପରୀକ୍ଷା ହଲ୍‌ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଆକସ୍ମିକ ଭାବେ ଯାଞ୍ଚ କରାଯିବ। ପରୀକ୍ଷା ଚାଲିଥିବା ବେଳେ ହଲ୍‌ ମଧ୍ୟକୁ ଯେପରି କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ, ଡେପୁଟି ନୋଡାଲ ଇନ୍‌ଚାର୍ଜ, ସେଣ୍ଟର ଅବଜରଭର୍‌, ନୋଡାଲ ସେଣ୍ଟର ଇନ୍‌ଚାର୍ଜ ଆଦି କେହି ମୋବାଇଲ କିମ୍ବା କ୍ୟାମେରା ନ ନେବେ ଏଥି ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।

ପରୀକ୍ଷା ପରିଚାଳନାରେ ବିଭ୍ରାଟ ପାଇଁ କେବଳ ଶିକ୍ଷକମାନଙ୍କୁ ଦାୟୀ ନ କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି। ‌ଶ୍ରୀ ମହାନ୍ତି କହିଛନ୍ତି ଯେ ଗତକାଲିଠାରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଏ ଓ କେଉଁଠାରୁ ଏହାକୁ ଭାଇରାଲ କରିଛନ୍ତି ତାହାର କୌଣସି ସୂଚନା ନାହିଁ। ଆଗରୁ ଶିକ୍ଷକମାନଙ୍କୁ ପରୀକ୍ଷା ପରିଚାଳନା, ନିରୀକ୍ଷଣ ଓ କେନ୍ଦ୍ର ତତ୍ତ୍ବାବଧାନରେ ରହୁଥିଲେ। ଏବେ କିନ୍ତୁ ଆର.ଆଇ ଓ ଅମିନମାନଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ପରୀକ୍ଷାରେ ନିୟୋଜିତ କରାଯାଇଛି। ସେମାନେ ବି ସାମିଲ ହେଉଥିବାରୁ କେଉଁ ସ୍ତରରୁ ବି ପ୍ରଶ୍ନପତ୍ର ଭାଇରାଲ ହୋଇପାରେ। ତେଣୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ବୋଲି ସେ ପ୍ରଶ୍ନ କହିଛନ୍ତି।

ସମ୍ବନ୍ଧିତ ଖବର