ମାଟ୍ରିକ୍‌ ପରୀକ୍ଷାରୁ ଓଏମ୍‌ଆର୍‌ ଉଠିବା ପ୍ରସଙ୍ଗ : ବିଶେଷଜ୍ଞ କମିଟି ପରାମର୍ଶକୁ ଚାପିଦେଲେ, ପୁରୁଣା ଢାଞ୍ଚାରେ ହେବ ୨୦୧୯ ପରୀକ୍ଷା!

କଟକ : ଚଳିତ ବର୍ଷ ଓଏମ୍‌ଆର୍‌ ପ୍ରଶ୍ନ ରହିବ ନା ଏହା ବଦଳରେ ବିକଳ୍ପ ସଂକ୍ଷିପ୍ତ ପ୍ରଶ୍ନ ଆସିବ ତାହା ଚୂଡାନ୍ତ ହୋଇନାହିଁ। ଆଜି ବୋର୍ଡ ଶିକ୍ଷା କମିଟି ବୈଠକରେ ସଭ୍ୟମାନେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଶିକ୍ଷା କମିଟି ବୈଠକ ବସିଥିଲା। ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ୍‌ ଆରା ବେଗମ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବୋର୍ଡ ସଂପାଦକ ରାମାଶିଷ ହାଜିରା, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷା କମିଟି ସଭ୍ୟସଭ୍ୟା ଯୋଗ ଦେଇଥିଲେ। ବୈଠକରେ ହାଇସ୍କୁଲ ଶିକ୍ଷା ବିଷୟରେ ଆଲୋଚନା କରାଯିବା ସହିତ ଶିକ୍ଷା କମିଟି ସଭ୍ୟମାନେ ମାଟ୍ରିକ୍‌ ପରୀକ୍ଷା ଓଏମ୍‌ଆର୍‌ ରହିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। ଶିକ୍ଷାବର୍ଷର ୪ମାସ ପୂରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଏମ୍‌ଆର୍‌ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନହେବା ନେଇ ଶିକ୍ଷା କମିଟି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ବୋର୍ଡ ସଭାପତିଙ୍କୁ ଅଧ୍ୟକ୍ଷ ଓ ତିନି ଜଣ ବରିଷ୍ଠ ଶିକ୍ଷାବିତଙ୍କୁ ସଭ୍ୟଭାବେ ନିଆଯାଇ ଏକ ବିଶେଷଜ୍ଞ କମିଟି ଗଠିତ ହୋଇଛି। ବୋର୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ କମିଟିର ତିନିଟି ବୈଠକ ବସିସାରିଛି। ଓଏମ୍‌ଆର୍‌ ପ୍ରଶ୍ନପତ୍ର ସଂଶୋଧିତ କରାଯିବ ନା ଏହାକୁ ସଂପୂର୍ଣ୍ଣ ଉଠାଯିବ ଏବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ସରକାରଙ୍କ ନିକଟକୁ ପଠାଯାଇଥିବା କମିଟି ଅଧ୍ୟକ୍ଷ ତଥା ବୋର୍ଡ ସଭାପତି ଡକ୍ଟର ବେଗମ୍‌ ସଭ୍ୟମାନଙ୍କୁ ସୂଚନା ଦେଇଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଚୂଡାନ୍ତ ରିପୋର୍ଟ ଆସିନଥିବାରୁ ଓଏମ୍‌ଆର୍‌ ପ୍ରସଙ୍ଗରେ ନିଷ୍ପତ୍ତି ହୋଇପାରିନଥିବା ଡକ୍ଟର ବେଗମ୍‌ କମିଟି ଆଗରେ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ, ୨୦୧୩-୧୪ଶିକ୍ଷା ବର୍ଷରୁ ୫୦ନମ୍ବର ଦୀର୍ଘ ଉତ୍ତରମୂଳକ ଓ ୫୦ମାର୍କ ସଂକ୍ଷିପ୍ତ ପ୍ରଶ୍ନ (ଓଏମ୍‌ଆର୍‌) ଢ଼ାଞ୍ଚା ଲାଗୁ ହୋଇଥିଲା।

୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ଓଏମ୍‌ଆର୍‌ ଉଠିବା ସହିତ ପରୀକ୍ଷା ଢ଼ାଞ୍ଚା ବଦଳିବ ବୋଲି ଗଣଶିକ୍ଷା ସଚିବ ପୂର୍ବରୁ ଘୋଷଣା କରିଥିଲେ। ଶହେ ନମ୍ବର ପ୍ରଶ୍ନରେ ଦୀର୍ଘ ଉତ୍ତରମୂଳକ(ସବ୍‌ଜେକ୍ଟିଭ୍‌) ପାଖାପାଖି ୭୦ ନମ୍ବର ଓ ଅବଶିଷ୍ଟ ସଂକ୍ଷିପ୍ତପ୍ରଶ୍ନ (ଅବ୍‌ଜେକ୍ଟିଭ୍‌) ୩୦ ନମ୍ବର ପଡ଼ିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଅନ୍ୟପଟେ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାରେ ୨୦୧୯ ମାଟ୍ରିକ ପରୀକ୍ଷା କରାଯିବ ଏବଂ ୨୦୨୦କୁ ଏଥିରେ ପରିବର୍ତ୍ତନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର