ଚିନ୍ତାରେ ମାଟ୍ରିକ୍‌ ପିଲା, ଗଣଶିକ୍ଷା ବିଭାଗ ଚୁପ୍‌ : ଝୁଲି ରହିଛି ଓଏମ୍‌ଆର୍‌ ନିଷ୍ପତ୍ତି

ଏବର୍ଷ ଲାଗୁ ହେବା ନେଇ ଆଶଙ୍କା, ଜୁଲାଇ ୬ରେ ବସିବ କମିଟିର ପରବର୍ତୀ ବୈଠକ

ଭୁବନେଶ୍ୱର : ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ଓଏମ୍‌ଆର ରହିବ ନା ନାହିଁ? ପିଲା କେଉଁ ଢାଞ୍ଚାରେ ପରୀକ୍ଷା ଦେବେ? ସେମାନଙ୍କୁ କିଭଳି ଶିକ୍ଷା ଦିଆଯିବ? ଶ୍ରେଣୀରେ ପିଲାଙ୍କ ଅଭ୍ୟାସ ପାଇଁ କେମିତି ପ୍ରଶ୍ନପତ୍ର କରାଯିବ? ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବାରୁ ଦ୍ୱନ୍ଦ୍ୱ ବଢ଼ିଚାଲିଛି।

ଇତି ମଧ୍ୟରେ ସ୍କୁଲ ଖୋଲିବା ସହ ପିଲାଙ୍କ ପାଠପଢ଼ା ଆରମ୍ଭ ହେଲାଣି। ଏପ୍ରିଲରେ ୨୫ ଦିନ କ୍ଲାସ୍‌ ହୋଇଛି। ଓଏମ୍‌ଆର ଢାଞ୍ଚାରେ ପିଲାଙ୍କୁ ଶ୍ରେଣୀରେ ଶିକ୍ଷା ଦିଆଯାଇଥିଲା। ଗତ ମେ’ ୧୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ୨୦୧୯ରେ ଢାଞ୍ଚା ବଦଳିବ। ଆଉ ଓଏମ୍‌ଆର ସିଟ୍‌ ରହିବ ନାହିଁ। ନୂଆ ଢାଞ୍ଚାରେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରିପୋର୍ଟକୁ ଆଧାର କରି ପଦକ୍ଷେପ ନିଆଯିବ। ସଚିବ ଶ୍ରୀ ମହାପାତ୍ରଙ୍କ ଏହି ଘୋଷଣାକୁ ଇତି ମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିବାରୁ ସମସ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

କମିଟିର ଏକାଧିକ ବୈଠକ ଇତି ମଧ୍ୟରେ ଶେଷ ହୋଇଛି। କିନ୍ତୁ କିଛି ବି ସ୍ଥିର ହୋଇପାରି ନାହିଁ। ଓଏମ୍‌ଆର ବଦଳରେ ୧୦ ମାର୍କ ଲେଖାଏ ୫ ପ୍ରକାରର ପ୍ରଶ୍ନ ରଖିବାକୁ ପ୍ରାରମ୍ଭିକ ଆଲୋଚନା ହୋଇଛି। ଗୋଟିଏ ଧାଡ଼ିରେ ଉତ୍ତର ଲେଖିବା, ଗୋଟିଏ ଶବ୍ଦରେ ପ୍ରଶ୍ନର ଉତ୍ତର ଲେଖିବା ପରି ପ୍ରଶ୍ନ ଆସିବ ବୋଲି କୁହାଯାଇଥିଲା। ହେଲେ କମିଟି ବୈଠକରେ ଠୋସ୍‌ ପଦକ୍ଷେପ ନିଆଯାଇପାରି ନାହିଁ। କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ଏଥିପାଇଁ ସମୟ ଲାଗିବ। ସଙ୍ଗେ ସଙ୍ଗେ କିଛି ବି ପଦକ୍ଷେପ ନିଆଯାଇପାରିବ ନାହିଁ। ଆଲୋଚନା କରାଯାଉଛି। ଶିକ୍ଷାବର୍ଷର ଏକ ମାସରୁ ଅଧିକ ଦିନର ପାଠପଢ଼ା ଇତି ମଧ୍ୟରେ ଶେଷ ହୋଇଛି। ତେଣୁ ଏଥର ଲାଗୁ ନ କରିବାକୁ ପରାମର୍ଶ ଦିଆଯାଇଛି। ୧୦ମ ବଦଳରେ ଏଥର ନବମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୂତନ ଢାଞ୍ଚା ପ୍ରୟୋଗ କରିବାକୁ ପ୍ରସ୍ତାବ ରଖାଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍‌ କହିଛନ୍ତି ଯେ କମିଟିର ପରବର୍ତୀ ବୈଠକ ଜୁଲାଇ ୬ରେ ବସିବ। ଏଥିରେ ଓଏମ୍‌ଆର ବ୍ୟତୀତ ଆଉ କିଭଳି ପ୍ରଶ୍ନପତ୍ର କରାଯିବ ତାହାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ। ୨୦୧୯ ମାଟ୍ରିକ୍‌ ପରୀକ୍ଷାରେ ତାହା ଲାଗୁ ହେବ କି ନାହିଁ ଆମେ କହିପାରିବୁ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯିବ ସେହି ଅନୁଯାୟୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବୁ।

ଅନ୍ୟପକ୍ଷରେ ଚୂଡ଼ାନ୍ତ ନିଷ୍ପତ୍ତି ଓହଳି ରହିଥିବାରୁ ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ କିଭଳି ପ୍ରସ୍ତୁତ ହେବେ ଜାଣିପାରୁ ନାହାନ୍ତି। ଶିକ୍ଷକମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛନ୍ତି। ପିଲାଙ୍କୁ କିପରି ପଢ଼ାଇବେ ଜାଣିପାରୁ ନାହାନ୍ତି। ଗାଇଡ୍‌ ପ୍ରସ୍ତୁତ କରୁଥିବା ବିଭିନ୍ନ ସଂସ୍ଥାଗୁଡ଼ିକ ମଧ୍ୟରେ ଏବେ ଭାଳେଣି ପଡ଼ିଲାଣି। ଯେଉଁମାନେ ଅଧା ବହି ଛାପି ସାରିଥିଲେ ସେମାନେ ସେଠାରେ ହିଁ ଅଟକି ରହିଛନ୍ତି। ବଜାରକୁ ବହି ଛାଡ଼ିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର