୨୦ରୁ ମାଟ୍ରିକ ଖାତାଦେଖା

ଆଜି ସକାଳ ୧୦ଟାରେ ପରୀକ୍ଷକଙ୍କ ରିପୋର୍ଟିଂ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପାଇଁ ନିୟୋଜିତ ପରୀକ୍ଷକମାନେ ଆସନ୍ତାକାଲି ସକାଳ ୧୦ଟାରେ ମୂୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଅପରାହ୍‌ଣ ୩ଟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ମଲ୍ୟାୟନ କେନ୍ଦ୍ରରେ ପ୍ରସ୍ତୁତି ବୈଠକ କରାଯିବ। ଏଥିରେ ପରୀକ୍ଷକଙ୍କ ସମେତ କ୍ୟାମ୍ପ୍‌ ଅଫିସର, କ୍ୟାମ୍ପ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ ସଂକ୍ରାନ୍ତରେ ଆଲୋଚନା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ଅନୁପସ୍ଥିତ ରହିବେ ସେକ୍ଷେତ୍ରରେ ଡିଇଓମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ମାଟ୍ରିକ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ(ଓପନ୍‌ ସ୍କୁଲ) ଓ ସଂସ୍କୃତ ମଧ୍ୟମା ଖାତା ଏକକାଳୀନ ମୂଲ୍ୟାୟନ କରିବାକୁ ବୋର୍ଡ ପଦକ୍ଷେପ ଗ୍ରହଣ କରିଛି। ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିବା ବେଳେ ଏଥି ପାଇଁ ମୋଟ ୧୩,୨୮୦ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ମୂଲ୍ୟାୟନ ପାଇଁ ନିୟୋଜିତ ମୁଖ୍ୟ ପରୀକ୍ଷକ, ଡେପୁଟି ପରୀକ୍ଷକ, ପରୀକ୍ଷକଙ୍କ ନିଯୁକ୍ତିପତ୍ର ବିଭିନ୍ନ ହାଇସ୍କୁଲ େଓ୍ଵବ୍‌ସାଇଟ୍‌ରେ ଛଡାଯାଇଛି। ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଓ ପାସ୍‌ ଓ୍ଵାର୍ଡ ବ୍ୟବହାର କରି ପରୀକ୍ଷକଙ୍କ ନିଯୁକ୍ତିପତ୍ର ଡାଉନ୍‌ଲୋର୍ଡ କରି ପରୀକ୍ଷକଙ୍କ ନିଯୁକ୍ତିପତ୍ର ସେମାନଙ୍କୁ ପ୍ରଦାନ କରିବା ସହିତ ସ୍କୁଲରୁ ରିଲିଭ୍‌ କରିଥିବା ସୂଚନା ମିଳିଛି। ଆସନ୍ତା ୨୦ତାରିଖ ସକାଳ ୯.୩୦ମିନିଟ୍‌ରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଚୂଡ଼ାନ୍ତ ହୋଇଛି। ଗତବର୍ଷ ଭଳି ଏବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ମୂଲ୍ୟାୟନ ପାଇଁ ନିଯୁକ୍ତି ପାଇଥିବା ଡାଟା ଏଣ୍ଟି୍ର ଅପରେଟରମାନେ ଆସନ୍ତା ୨୦ ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମଧ୍ୟରେ ବୋର୍ଡ ପକ୍ଷରୁ ସମସ୍ତ ନୋଡାଲ ସେଣ୍ଟରରୁ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଥିବା ସୂଚନା ମିଳିଛି। ମାଟ୍ରିକ୍‌ ଖାତାକୁ ୧୨ଦିନ, ମୁକ୍ତ ବିଦ୍ୟାଳୟ ଖାତାକୁ ୭ଦିନ ଓ ମଧ୍ୟମା ଖାତାକୁ ୧୦ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିିଛି।

ସମ୍ବନ୍ଧିତ ଖବର