ମାଟ୍ରିକ୍‌ ମୂଲ୍ୟାୟନ ବିଭ୍ରାଟ : ମାଧ୍ୟମିକ ଶିକ୍ଷା ପରିଷଦ ଖାଉଟି ଅଦାଲତରେ ଦଣ୍ଡିତ

ବରଗଡ଼ : ମାଟ୍ରିକ୍‌ ପରୀକ୍ଷା‌ ମୂଲ୍ୟାୟନ ତ୍ରୁଟି ସଂପର୍କିତ ଏକ ମାମଲାର ରାୟ ଦେଇ ବରଗଡ଼ ଖାଉଟି ଅଦାଲତ ମାଧ୍ୟମିକ ଶିକ୍ଷା ପରିଷଦକୁ ଦଣ୍ଡିତ କରିଛନ୍ତି। ପରୀକ୍ଷାର୍ଥୀ ଆକାଶ ପଣ୍ଡାଙ୍କ ମୂଲ୍ୟାଙ୍କନ ସଂଶୋଧନ, ଓଡ଼ିଆ ବୃତ୍ତି ପ୍ରଦାନ ସହ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବରପାଲି ଶିଶୁ ମନ୍ଦିର ଛାତ୍ର ଆକାଶ ୨୦୧୮ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ତାଙ୍କୁ ୮୮ ପ୍ରତିଶତ ମାର୍କ ମିଳିଥିଲା। ତେବେ ଇଂରାଜୀ ଓ ସାଧାରଣ ବିଜ୍ଞାନର ଦୀର୍ଘ ପ୍ରଶ୍ନୋତ୍ତର ଉତ୍ତର ଖାତା ଡାଉନ୍‌ଲୋଡ୍‌ କରିବା ପରେ ଏଥିରେ ମୂଲ୍ୟାଙ୍କନରେ ବିଭ୍ରାଟ ପରିଲକ୍ଷିତ ହୋଇଥିଲା। ଏଭଳି ସ୍ଥିତିରେ ପୁନଃମୂଲ୍ୟାୟନ ନକରି ପୁନଃ ଯାଂଚ ପାଇଁ ବୋର୍ଡ ନିୟମ କରିଛି। କିନ୍ତୁ ପୁନଃଯାଂଚ ପରେ ମଧ୍ୟ ସବୁ ଠିକ୍‌ ମୂଲ୍ୟାୟନ ହୋଇଥିବା ବୋର୍ଡ ଦର୍ଶାଇଥିଲା। ଏ ନେଇ ସେହିବର୍ଷ ଅଗଷ୍ଟ ୧୮ ତାରିଖ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆକାଶଙ୍କୁ ବିଜ୍ଞାନରେ ଅତିରିକ୍ତ ୨ ଏବଂ ଇଂରାଜୀରେ ୩ମାର୍କ ମିଳିଥିଲା। କିନ୍ତୁ ସାହିତ୍ୟରେ ୯୨ ମାର୍କ ରଖିଥିବା ଆକାଶ ରାଜ୍ୟ ସରକାରଙ୍କ ପୁରସ୍କାରରୁ ବଂଚିତ ରହିଥିଲେ। ମୂଲ୍ୟାୟନରେ ବ୍ୟାପକ ବିଭ୍ରାଟ ଥିବା ଅଭିଯୋଗ କରି ଆକାଶଙ୍କ ପିତା ବରଗଡ଼ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଅଦାଲତ ବୋର୍ଡକୁ ଦଣ୍ଡିତ କରିଛନ୍ତି। ପରୀକ୍ଷାର୍ଥୀ ଆକାଶଙ୍କ ପକ୍ଷରୁ ତାଙ୍କ ପିତା ତଥା ଆଇନଜୀବୀ ରବୀନ୍ଦ୍ର ପଣ୍ଡା ମାମଲା ପରିଚାଳନା କରିଥିଲେ। ଜୟଶ୍ରୀ ମହାପାତ୍ର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର