ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା

୨୯୫୩ କେନ୍ଦ୍ର, ୫ ଲକ୍ଷ ୮୭ ହଜାର ପରୀକ୍ଷାର୍ଥୀ

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତାକାଲିଠାରୁ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ରେଗୁଲାର, ଏକ୍ସରେଗୁଲାର), ମଧୢମା ସମେତ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ଏହି ପରୀକ୍ଷାର୍ଥୀଙ୍କ ମଧୢରୁ ମାଟ୍ରିକ୍ ରେଗୁଲାର‌୍‌ରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାର ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସରେଗୁଲାରରେ ୨୧୧ଜଣ ନାମ ପଞ୍ଜୀକରଣ କରିଛନ୍ତି। ମଧୢମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି। ମାଟ୍ରିକ୍ ପାଇଁ ମୋଟ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ରାଜ୍ୟ ଓପନ୍‌ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୦୪ଟି ନୋଡାଲ ସେଣ୍ଟର କରାଯାଇଛି। ସମସ୍ତ ନୋଡାଲ ସେଣ୍ଟର ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଦାୟିତ୍ବରେ ରଖାଯାଇଛି। ନୋଡାଲ ସେଣ୍ଟରରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ସ୍ଥାନାନ୍ତର ପାଇଁ ୬୯୩ଟି ଡେସ୍‌ପ୍ୟାଚ୍‌ ଟିମ୍‌ ଗଠିତ ହୋଇଛି। ପରୀକ୍ଷା ସୁପରିଚାଳନା ପାଇଁ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ବାଡ୍, ବୋର୍ଡର ୪୪ଟି କେନ୍ଦ୍ରୀୟ ସ୍କ୍ବାଡ୍ ସମେତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠିତ ହୋଇଛି। କେବଳ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଛାଡିଦେଲେ ମାଟ୍ରିକ୍ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ଅନ୍ୟ କେହି ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର କରି ପାରିବେ ନାହିଁ।

ବୋର୍ଡର ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ମାଟ୍ରିକ୍ ପରୀକ୍ଷା ସକାଳ ୧୦ଟାରୁ ଏବଂ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅପରାହ୍‌ଣ ୨ଟାର ଆରମ୍ଭ ହେବ। ମାଟ୍ରିକର ସବୁ ବିଷୟ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ୩୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗଣିତ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୪୫ରେ ସରିବ। ନୂଆ ଯୋଜନା ଅନୁସାରେ ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ ମଧୢରେ ପହଞ୍ଚିବ। ଚଳିତବ‌ର୍ଷ ତିନି ଲେୟାର ବିଶିଷ୍ଟ ପ୍ରଶ୍ନପତ୍ର ପ୍ରଚଳନ କରାଯାଉଛି। ପ୍ରଥମ ଲେୟାରଟି ଜଣେ ଓଏଏସ୍‌/ଓଇଏସ୍‌/ଓଏଫ୍‌ଏସ୍‌ ସ୍ତରର ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ଖୋଲାଯିବ। ଦ୍ବିତୀୟ ଲେୟାରଟି ୯. ୪୫ମିନିଟ୍‌ରେ ପରୀକ୍ଷା ହଲ୍‌ରେ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲାଯିବାକୁ ଥିବା ବେଳେ ତୃତୀୟ ଲେୟାର ପେପେର ସିଲ୍ ପରୀକ୍ଷାର୍ଥୀ ଠିକ୍ ୧୦ଟାରେ ଖୋଲି ପରୀକ୍ଷା ଦେବେ। ଏବ‌ର୍ଷ ପ୍ରଶ୍ନପତ୍ର ପଢ଼ିବାକୁ ପିଲାଙ୍କୁ ଅତିରିକ୍ତ ସମୟ ମିଳିବ ନାହିଁ।

ପରୀକ୍ଷାର୍ଥୀଙ୍କୁ ୯.୩୦ରେ ଓଏମ୍‌ଆର‌୍‌ ଫର୍ଦ୍ଦ ଦିଆଯିବ। ମାଟ୍ରିକ୍ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ବୋର୍ଡର ନିଜସ୍ବ େଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ। ଇତିମଧ୍ୟରେ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଯାଇଛି। କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ସୁରକ୍ଷିତ ରହିଛି। ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି। ‌‌ସେହିପରି ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୪ଟି କେନ୍ଦ୍ରୀୟ ସ୍କ୍ବାଡ୍ ସମେତ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗଠନ କରାଯିବା ସହିତ କେନ୍ଦ୍ରକୁ ମୋବାଇଲ୍ ଫୋନ କଡ଼ାକଡ଼ି ବାରଣ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଡ. ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଆଜି ଅପରାହ୍‌ଣ ସୁଦ୍ଧା ସମସ୍ତ ‌ନୋଡାଲ ସେଣ୍ଟର୍‌ରେ ସୁରୁଖୁରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପହଞ୍ଚିଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର