ପୁଣି ଭାଇରାଲ୍‌ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର

କାମ ଦେଉନି କଟକଣା
ପରିଷଦ କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚର ତନାଘନା
ପରୀକ୍ଷା କେନ୍ଦ୍ର ଭିତରକୁ ଏବେ ବି ଯାଉଛି ମୋବାଇଲ୍‌
କେନ୍ଦ୍ର ଛାଡ଼ି ପଳାଇଲେ ବାହାର ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର/କଟକ : ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ବାରଣ କରାଗଲା। ବିଜ୍ଞପ୍ତି ବି ଜାରି ହେଲା। ବାହାର ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ୍ୟାମ୍ପସ ପ୍ରବେଶକୁ ମନା କରାଗଲା। ଗଣମାଧ୍ୟମ ପ୍ରବେଶ ଉପରେ ବି ଲାଗିଲା କଟକଣା। ଏତେ ସବୁ ପରେ ବି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକାଯାଇ ପାରିଲା ନାହିଁ। ପ୍ରଥମ ଦିନର ମାତୃଭାଷା ବିଷୟ ପରୀକ୍ଷା ପରି ଆଜି ଇଂରାଜୀ ବିଷୟର ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ହେଲା ଭାଇରାଲ୍‌। ଗୋଟିଏ ପଟେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଅନ୍ୟପଟେ ମୋବାଇଲ୍‌ରୁ ମୋବାଇଲ୍‌ରୁ ଡେଇଁ ଚାଲିଥିଲା ପ୍ରଶ୍ନପତ୍ର।

ଇଂରାଜୀ ବିଷୟର ୩ଟି ଯାକ ସେଟ୍‌ର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପ୍ରଥମେ ଅବଜେକ୍‌ଟିଭ୍‌ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ବାହାରକୁ ଆସିଥିଲା। ସକାଳ ୮ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବାର କିଛି ସମୟ ପରେ ତାହା ଭାଇରାଲ୍‌ ହୋଇଥିଲା। କେନ୍ଦ୍ର ବାହାରକୁ ପ୍ରଶ୍ନପତ୍ର ଆସିବା ପରେ ତାହାର ଉତ୍ତର ଲେଖାଯାଇ ପରୀକ୍ଷାର୍ଥୀଙ୍କ ନିକଟକୁ ବି ପଠାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଏହି ପ୍ରଶ୍ନପତ୍ର ଓ ଉତ୍ତର ଖାତା ବୁଲିଥିଲା। ନୟାଗଡ଼ର ଗଣିଆ ଓ କଟକର ନିଆଳି ଅଞ୍ଚଳରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ କୁହାଯାଇଥିଲା। ହେଲେ ଏ ନେଇ କୌଣସି ନିର୍ଦିଷ୍ଟ ସୂଚନା ମିଳିପାରି ନ ଥିଲା। ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ର ବାହାରକୁ ପ୍ରଶ୍ନପତ୍ର କିଭଳି ଆସୁଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯଦି ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ବ୍ୟତୀତ ଆଉ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ମୋବାଇଲ୍‌ ନେଉନାହାନ୍ତି ତେବେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲା କେମିତି?

ମାତୃଭାଷା ଓ ଇଂରାଜୀ ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଘଟଣାର ତନାଘନା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଯାଞ୍ଚ କରିବା ସହିତ ବରିଷ୍ଠ ଅଧିକାରୀଙ୍କୁ ଜେରା କରିଥିବା ସୂଚନା ମିଳିଛି। ଗତ ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ମାତୃଭାଷା ପ୍ରଶ୍ନପତ୍ରର ‘ଏ’, ‘ବି’ ଓ ‘ସି’ ସେଟ୍‌ ଭାଇରାଲ୍‌ ହୋଇଥିଲା। ଏହି ଘଟଣାରେ ଆଜି କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ ମଧ୍ୟ ଏକ ମାମଲା ରୁଜୁ କରିଛି। ଜଣେ ଡିଏସ୍‌ପି ଏବଂ ଇନ୍‌ସ୍ପେକ୍ଟର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଅପରାହ୍ନ ୩ଟା ପର୍ଯ୍ୟନ୍ତ ତଦନ୍ତ କରିଥିଲେ।

ପରିଷଦ ସଭାପତି ଡ. ଜାହାନ୍‌ ଆରା ବେଗମ ଏବଂ ସମ୍ପାଦକ ରମାଶିଷ ହାଜ୍‌ରାଙ୍କ ସହ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଲୋଚନା କରିଥିଲା। କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଛଡ଼ାଗଲା ଓ ଘଟଣା ପଛରେ କାହାର ସମ୍ପୃୃକ୍ତି ଥିବା ସନ୍ଦେହ କରାଯାଉଛି, ସେ ନେଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଥିଲା।

ମାଧ୍ୟମିକ ଶିକ୍ଷା ପରିଷଦ ନିୟମକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରୀକ୍ଷା କେନ୍ଦ୍ରକୁ ଆସିଥିବା ବାହାର ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ୍ୟାମ୍ପସ ଭିତରକୁ ପୂରାଇ ଦିଆଯାଇ ନ ଥିଲା। ସେମାନେ ପରୀକ୍ଷା କେନ୍ଦ୍ର ବାହାରେ ରହିଥିଲେ। ତେବେ ସେମାନେ ବସିବା ଲାଗି ସ୍ଥାନ ମିଳି ନ ଥିଲା। ଯେଉଁଥିପାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନେ କେନ୍ଦ୍ର ଛାଡ଼ି ଚାଲିଯାଇଥିଲେ। କେତେଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଗଛ ମୂଳେ ସେମାନଙ୍କ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଜି ଇଂରାଜୀ ବିଷୟ ପରୀକ୍ଷାରେ ୧୮୨ ଜଣ ପରୀକ୍ଷାର୍ଥୀ କପି କରି ସ୍କ୍ଵାଡ୍‌ ହାତରେ ଧରାପଡ଼ିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏବିଭିପିର ଦାବିପତ୍ର

ଅନ୍ୟପକ୍ଷରେ ଦ୍ୱିତୀୟ ଦିନରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଘଟଣାକୁ ନିନ୍ଦା କରିଛି। ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ନେଇ ସଙ୍ଗଠନର ନେତାମାନେ ଅଭିଯୋଗ କରିଛନ୍ତି। ସୋସିଆଲ୍‌ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଉଥିବାରୁ ରୋକ ଲଗାଇବା ଦାବିରେ ସଙ୍ଗଠନର ନେତାମାନେ ଆଜି ପୁଲିସ ମହାନିର୍ଦେଶକ ଆର.ପି. ଶର୍ମାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଭୁବନେଶ୍ୱରରେ ଥିବା ଶ୍ରୀ ଶର୍ମାଙ୍କ କ୍ୟାମ୍ପ ଅଫିସ୍‌କୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ର୍ରତିନିଧିଦଳରେ ଏବିଭିପି ନେତା ସଞ୍ଜୟ ମଲ୍ଲିକ, ସ୍ମୃତିରଞ୍ଜନ ବିଶ୍ୱାଳ, ପ୍ରଶାନ୍ତ କୁମାର ପାଇକରାୟ, ଆଲୋକ ନାୟକ, ଶ୍ରୀକୃଷ୍ଣ ପତି, ପ୍ରୀତମ୍‌ ଦାଶ, ଅଶିଷ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର