ଆଜିଠାରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା : ଶହେ କେନ୍ଦ୍ର; ୨୬,୬୪୩ ପରୀକ୍ଷାର୍ଥୀ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଜୁନ୍‌ ୨୯ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ଧାର୍ଯ୍ୟ ସମୟଠୁ ଅତିରିକ୍ତ ୧୫ମିନିଟ୍‌ ଦିଆଯିବ। ମୋଟ୍‌ ୨୬ହଜାର ୬୪୩ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଂଜୀକରଣ କରିଛନ୍ତି। ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓଏମ୍‌ଆର୍‌(ସଂକ୍ଷିପ୍ତ ଉତ୍ତରମୂଳକ) ଓ ୧୦ଟାରୁ ସାଢ଼େ ୧୧ଟା ଯାଏଁ ଦୀର୍ଘ ଉତ୍ତରମୂଳକ ପରୀକ୍ଷା କରାଯିବ। ଆସନ୍ତାକାଲି ଶୁକ୍ରବାର ପ୍ରଥମ ଭାଷା ଓଡ଼ିଆ ହେବାକୁ ଥିବା ବେଳେ ୨୩ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୪ରେ ଭିଜୁଆଲ୍‌ ଆର୍ଟ, ୨୫ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ଶିଆ, ଭିଜୁଆଲ ଆର୍ଟ ଥିଓରି), ୨୬ରେ ତୃତୀୟ ଭାଷା ସଂସ୍କୃତ, ୨୭ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ ୨୯ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରାଜ୍ୟରେ ୧୦୦ଟି କେନ୍ଦ୍ର ଚୟନ ହୋଇଛି। ଗଲା ୧୭ତାରିଖରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୧ତାରିଖ ସଂଧ୍ୟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିବା ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର