ବିବାଦରେ ମାଉସୀ ମା’ଙ୍କ ପୋଡ଼ପିଠା : ଏଥର ବି ଦୁଇ ଜଣ କରିବେ ସମର୍ପଣ

ପୁରୀ : ବାହୁଡ଼ା ଯାତ୍ରାରେ ମାଉସୀ ମା’ଙ୍କ ହାତରୁ ପୋଡପିଠା ଖାଇବେ ମହାପ୍ରଭୁ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରଠାରେ ମହାପ୍ରଭୁଙ୍କ ରଥ ଅଟକିବ। କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହି ଆସିଛି। ତେବେ ବଂଶାନୁକ୍ରମିକ ସେବାକୁ ନେଇ ବିବାଦ ଉପୁଜିବା ପରେ ମାଉସୀ ମା’ଙ୍କ ଏହି ପୋଡ଼ପିଠା ବର୍ତ୍ତମାନ ବିବାଦୀୟ ହୋଇପଡ଼ିଛି। ଚଳିତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ନେଇ ନିର୍ଦ୍ଦିଷ୍ଟ ଭାବେ କାହାକୁ ସ୍ୱୀକୃତି ଦେଇନାହିଁ। ଫଳସ୍ୱରୂପ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇଜଣ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବେ ବୋଲି ଜଣାପଡ଼ିଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ କାହାକୁ ସ୍ୱୀକୃତି ଦେଇନଥିବାରୁ ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ତିନି ରଥ ଅଟକି ଯେଉଁ ପୋଡ଼ପିଠା ଲାଗି ହେଉଥିଲା ଚଳିତ ବର୍ଷ ସେପରି କିଛି ହେବନି ବୋଲି ଜଣାଯାଇଛି। କେବଳ ତିନି ରଥ ଯିବା ସମୟରେ ମାଉସୀ ମା’ଙ୍କ ମନ୍ଦିରଠାରେ ପୋଡ଼ପିଠା ଚତୁର୍ଦ୍ଧା ମୂର୍ତିଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ।

ସୂଚନା ମୁତାବକ, ୧୮୯୯ ମସିହାରୁ ରଥୀ ଦାଶ ମାଉସୀ ମା’ଙ୍କ ସେବା କରି ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ଲୋକନାଥ ଦାଶ ଏହି କାର୍ଯ୍ୟ ସଂପାଦନ କରି ଆସୁଥିଲେ। ଲୋକନାଥଙ୍କର ଗୋଟିଏ ପୁଅ ଓ ତିନି ଝିଅ। ଅବିବାହିତ ଅବସ୍ଥାରେ ପୁଅ ଓ ଦୁଇ ଝିଅଙ୍କର ମୃତ୍ୟୁ ହୋଇସାରିଛି। ତିନି ଝିଅଙ୍କ ଭିତରୁ ଜଣେ ମାତ୍ର ଝିଅ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦୁଇ ପୁଅ ମନୋରଂଜନ ମିଶ୍ର ଓ ଜ୍ୟୋତିରଂଜନ ମିଶ୍ର ଥିଲେ। ଦୁଇ ପୁଅରୁ ଜ୍ୟୋତିରଂଜନଙ୍କ ମୃତ୍ୟୁ ପରେ ବଂଶରେ ଏକମାତ୍ର ପୁଅ ମନୋରଂଜନ ହିଁ ରହିଛନ୍ତି। ଏଣୁ ମନୋରଂଜନ ବଂଶାନୁକ୍ରମିକ ସେବା ପାଇଁ ହକ୍‌ଦାର ବୋଲି ଦାବି କରି ଆସୁଛନ୍ତି। ମନୋରଂଜନ ବି ବଂଶାନୁକ୍ରମିକ ସେବା ଭାବେ ମହାପ୍ରଭୁଙ୍କ ପୋଡ଼ପିଠା ପ୍ରସ୍ତୁତ କରି ଆସୁଥିଲେ ଓ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରି ଆସୁଥିଲେ। କିନ୍ତୁ ଗତ ବର୍ଷ ଏହାକୁ ନେଇ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ବିଶ୍ୱନାଥ ମିଶ୍ର ଏହି ସେବା ପାଇଁ ନିଜେ ହକ୍‌ଦାର ବୋଲି ଦାବି କରିଥିଲେ। ଏପରିକି ଗତବର୍ଷ ମନୋରଂଜନ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବା ସଙ୍ଗେ ବିଶ୍ୱନାଥ ବି ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିଥିଲେ। ଏହି ବାଦବିବାଦ ପରେ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ୍‌ଙ୍କ ନିକଟରେ ମନୋରଂଜନ ଏକ ମାମଲା (କେସ୍‌ ନଂ-୯୨/୨୦୧୮) ଦାୟର କରିଛନ୍ତି। ତଥ୍ୟପ୍ରମାଣ ଉପସ୍ଥାପନ କରି ନିଜେ ବଂଶାନୁକ୍ରମିକ ସେବା ପାଇଁ ଯୋଗ୍ୟ ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି। ଏହି ମାମଲା ବିଚାରାଧୀନ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ କାହାରିକୁ ପୋଡ଼ପିଠା ସେବା ପାଇଁ ସ୍ୱୀକୃତି ପ୍ରଦାନ କରିନାହାନ୍ତି।

ସମ୍ବନ୍ଧିତ ଖବର