ହାଇକୋର୍ଟ ବେଞ୍ଚ୍‌ ଦାବିରେ ମୟୂରଭଞ୍ଜ ବନ୍ଦ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ହୋଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ସଫଳ ହୋଇଛି। ଯାନବାହାନ ଚଳାଚଳ ଏକପ୍ରକାର ବନ୍ଦ ରହିଥିବାବେଳେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି।

ମର୍ଜର୍‌ ଏଗ୍ରିମେଣ୍ଟ୍‌ ଅନୁସାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା କ୍ଷେତ୍ରରେ ବାରିପଦାକୁ ଅଗ୍ରାଧିକାର ଦିଆଯିବା ନେଇ ଚୁକ୍ତି ହୋଇଥିଲା। ମାତ୍ର ଚୁକ୍ତିକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ କେବଳ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜେଏମ୍‌ଏମ୍‌ ପକ୍ଷରୁ ସମାଲୋଚନା କରାଯାଇଛି। ଆଜିର ଏହି ବନ୍ଦକୁ ଜିଲ୍ଲା ଓକିଲ ସଂଘ ମଧ୍ୟ ସମର୍ଥନ ଯୋଗାଇଦେଇଥିଲା। ଜିଲ୍ଲାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ସହିତ ଅର୍ବାନ୍‌ ବ୍ୟାଙ୍କ ଜମାକାରୀଙ୍କ ଅର୍ଥ ଫେରସ୍ତ ଓ ରେଳପଥର ବିକାଶ ନିମନ୍ତେ ଜେଏମଏମ ପକ୍ଷରୁ ଦାବି କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଜିଲ୍ଲାକୁ ଅଣଦେଖାକୁ କରାଯିବା କଥାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। କରଞ୍ଜିଆ, ଉଦଳା, ବେତନଟୀ ଓ ରାଇରଙ୍ଗପୁର ଓକିଲ ସଂଘ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଥିଲେ। ଜେଏମଏମ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ କେଶରୀ ଜେନା, ଜିଲ୍ଲା ସଭାପତି ଫାଗୁ ହାଁସଦା ପ୍ରମୁଖ ଏହି ବନ୍ଦର ନେତୃତ୍ୱ ନେଇଥିଲେ। ସ୍ଥାୟୀ ବେଂଚ ପ୍ରତିଷ୍ଠା କ୍ଷେତ୍ରରେ ଜିଲ୍ଲାକୁ ଅଣଦେଖା କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର