ଶିଳ୍ପସଂସ୍ଥାକୁ ଗ୍ରାସିଛି ମାନ୍ଦାବସ୍ଥା : ମୟୂରଭଞ୍ଜ ମେଟାଲ୍ସରେ ତାଲା, ୩୦୦ ଶ୍ରମିକ କାମ ହରାଇଲେ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଧୀରେ ଧୀରେ ଶିଳ୍ପଶୂନ୍ୟ ହେବାକୁ ଯାଉଛି। ବାମନଘାଟୀ ଉପଖଣ୍ଡରେ ପୁରାତନ ଲୁହାଖଣି ଗୋରୁମହିଷାଣୀ, ବାଦାମପାହାଡ଼ ଓ ସୁଲେଇପାଟରେ ଆବିଷ୍କୃତ ହେବା ପରଠାରୁ ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପାୟନର ଆଶା ବଢ଼ିଥିଲା। ପ୍ରଥମେ ଟାଟା କମ୍ପାନି ଏହି ଖଣିରୁ ଲୁହାପଥର ଉତ୍ତୋଳନ କରି ଜାମସେଦପୁରରେ ଶିଳ୍ପାୟନ ଆରମ୍ଭ କରିଥିଲା। ସେବେଠୁ ମୟୂରଭଞ୍ଜ ଜିଲ୍ଲାବାସୀ ଜାମସେଦପୁରର ଶିଳ୍ପାୟନକୁ ଆଖିରେ ରଖି ଆଞ୍ଚଳିକ ବିକାଶର ଯୋଜନା କରି ଆସୁଥିଲେ। ଜାମସେଦପୁରର ଶିଳ୍ପସଂସ୍ଥାକୁ ନଜରରେ ରଖି ରାଇରଙ୍ଗପୁର ଆଖପାଖ ଅଂଚଳରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପସଂସ୍ଥା ଗଢ଼ି ଉଠିଥିଲା। କିନ୍ତୁ ଏବେ ଶିଳ୍ପସଂସ୍ଥାଗୁଡ଼ିକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସିବାରେ ଲାଗିଛି। ଧୀରେ ଧୀରେ ଜିଲ୍ଲାର ଶିଳ୍ପସଂସ୍ଥାରେ ତାଲା ଝୁଲିଲାଣି।

ରାଇରଙ୍ଗପୁର ସହର ଉପକଣ୍ଠସ୍ଥ ଭରଣ୍ଡିଆଠାରେ ୧୯୮୩ ମସିହାରେ ପ୍ରତିଷ୍ଠିତ ମୟୂରଭଞ୍ଜ ମେଟାଲ୍ସ ଲିମିଟେଡ୍‌ରେ ଗତ ଦୁଇ ମାସ ହେଲା ବନ୍ଦ ପଡ଼ିଛି। ବାର୍ଷିକ ୫୦୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କମ୍ପାନିରେ ୩ ଶହରୁ ଊର୍ଦ୍ଧ୍ବ କର୍ମଚାରୀ ଏଥିରେ କାର୍ଯ୍ୟ କରି ଆସୁଥିଲେ। କମ୍ପାନିରେ ତାଲା ପଡ଼ିବା ପରେ ସଭିଙ୍କ କର୍ମସଂସ୍ଥାନ ବୁଡ଼ି ଯାଇଛି। କିନ୍ତୁ ଆଭ୍ୟନ୍ତରୀଣ ପରିଚାଳନାରେ ଅବ୍ୟବସ୍ଥା ପାଇଁ କମ୍ପାନି ଦେବାଳିଆ ହୋଇଥିବା କର୍ମଚାରୀ ମହଲରୁ ଅଭିଯୋଗ ଆସୁଛି। କମ୍ପାନି‌ ଉତ୍ପାଦନ ବନ୍ଦ କରିବା ପରଠାରୁ କର୍ମଚାରୀମାନେ ଅନ୍ଧକାର ମଧ୍ୟରେ ରହିଥିବା ବେଳେ ଏ ନେଇ କମ୍ପାନି କର୍ତ୍ତୃପକ୍ଷ ଖୋଲାଖୋଲି କିଛି ଘୋଷଣା କରିନାହାନ୍ତି।

୧୯୮୧ ମସିହାରେ ପଞ୍ଜୀକୃତ ମୟୂରଭଞ୍ଜ ମେଟାଲ୍ସ ଲିଃ କମ୍ପାନି ମୟୂରଭଞ୍ଜ ଜିଲ୍ଲାର ମାନବ ସମ୍ବଳକୁ ଉପଯୋଗ କରି କାଷ୍ଟ ଆଇରନ୍ ଓ ଅଟୋମୋବାଇଲ୍ ଯନ୍ତ୍ରାଂଶ ଉତ୍ପାଦନ କରି ଆସୁଥିଲା। ଜାମସେଦପୁରରେ ରହିଥିବା ଟାଟା ମୋଟର୍ସ, ଏମ୍ଏସ୍ ଏଚଭି ଟ୍ରାନ୍ସମିସନ୍ ଲିଃ, ଏଚ୍‌ଭି ଏକ୍ସେଲ ଲିଃ, ଜେଏମ୍‌ଟି ଅଟୋ ଲିଃ କମ୍ପାନି ଆଦିକୁ ଯନ୍ତ୍ରାଂଶ ଯୋଗାଇ ଆସୁଥିଲା। ବିଶେଷ କରି ଜାମସେଦପୁର ଓ ଅନ୍ୟ ସ୍ଥାନର ଅଟୋ ମୋବାଇଲ୍ କମ୍ପାନିଗୁଡ଼ି‌କରେ ଉତ୍ପାଦନ ହ୍ରାସ ପାଇବା ପରଠାରୁ ମୟୂରଭଞ୍ଜ ମେଟାଲ୍ସ  କମ୍ପାନିରୁ ଯନ୍ତ୍ରାଂଶ ଉତ୍ପାଦନ ବନ୍ଦ ହୋଇଯାଇଛି। ଫଳରେ ଏହି କମ୍ପାନି ଦୁଇ ମାସ ହେଲା ଉତ୍ପାଦନ ବନ୍ଦ କରି ଦେଇଛି। ଏପରିକି ଆର୍ଥିକ ପରିଚାଳନା‌ କ୍ଷେତ୍ରରେ କମ୍ପାନି ଦେବାଳିଆ ଅବସ୍ଥା ମଧ୍ୟ ଦେଇ ଗତି କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କମ୍ପାନି ନାଁରେ ୨୫ ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟୁତ ବିଲ୍ ବକେୟା ରହିଛି। ବିଲ୍ ପୈଠ ନ କରିବାରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି। ଏପରିକି ଠିକା ସଂସ୍ଥା ମାଧ୍ୟମରେ ଶ୍ରମିକ ନିୟୋଜନ କରି ଆସୁଥିବା କମ୍ପାନି ଏବେ ସୁଦ୍ଧା ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିନାହିଁ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଶ୍ରମିକଙ୍କ କର୍ମ ସଂସ୍ଥାନ ବନ୍ଦ ହେବା ଘଟଣା ନୈରାଶ୍ୟ ସୃଷ୍ଟି କରିଛି। ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଦାବି ହେଉଛି। ମୟୂରଭଞ୍ଜ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ଖୋଲିବା ଦିଗରେ ସରକାର ବିଫଳ ହୋଇଥିବା ବେଳେ ଯାହାକିଛି ବି କମ୍ପାନି ରହିଛି ସେସବୁରେ ସଂସ୍କାର ଆଣି ପୁନରୁଦ୍ଧାର ଦିଗରେ ଧ୍ୟାନ ଦେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର