ମୟୂରଭଞ୍ଜ: ସୁରତ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଲା, ଗୁଜୁରାଟରୁ ଫେରିବାକୁ ପଞ୍ଜିକରଣ କରିଛନ୍ତି ୨ହଜାରରୁ ଊର୍ଧ୍ବ

ଜିଲ୍ଲାକୁ ଫେରିଲେଣି ୬୦୦ରୁ ଊର୍ଧ୍ବ ପ୍ରବାସୀ ଓଡ଼ିଆ, ୫୦ହଜାର ଛୁଇଁଲାଣି ପଞ୍ଜିକରଣ

ବାରିପଦା: ସୁରତ ଫେରନ୍ତାଙ୍କ ପାଇଁ ମୟୂରଭଞ୍ଜରେ ଚିନ୍ତା ବଢ଼ିଲା। ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ଜଣେ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କପ୍ତିପଦା ବ୍ଲକର ୩୭ବର୍ଷ ବୟସ୍କ ଏହି ସୁରତ ଫେରନ୍ତା ଅସ୍ଥାୟୀ ମେଡିକାଲ୍ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କୁ ମଧ୍ୟ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି।

ତେବେ ଜିଲ୍ଲାରେ ସୁରତ ଫେରନ୍ତାଙ୍କୁ ନେଇ ମୁଣ୍ଡବିନ୍ଧା ବଢ଼ିଛି। ଆଜିସୁଦ୍ଧା ଜିଲ୍ଲାକୁ ପ୍ରାୟ ୬ଶହରୁ ଊର୍ଧ୍ବ ପ୍ରବାସୀ ଓଡ଼ିଆ ଫେରିସାରିଲେଣି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୨ଜଣ ସୁରତ ଫେରନ୍ତା ରହିଛନ୍ତି। ସମସ୍ତ ସୁରତ ଫେରନ୍ତାଙ୍କ କରୋନା ପରୀକ୍ଷା ସରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଜିଲ୍ଲାକୁ ଗୁଜୁରାଟରୁ ଫେରିବାକୁ ପ୍ରାୟ ୨ହଜାରରୁ ଊର୍ଧ୍ବ ଲୋକ ପଞ୍ଜିକରଣ କରିସାରିଛନ୍ତି। ତେଣୁ ଜିଲ୍ଲାକୁ ସୁରତ ଫେରନ୍ତାଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ସ୍ପଷ୍ଟ।

ସେହିପରି ଜିଲ୍ଲାକୁ ଫେରିବାକୁ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦ହଜାର ଲୋକ ପଞ୍ଜିକରଣ କରିସାରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ଯଦିଓ ଏହି ପଞ୍ଜିକୃତ ସଂଖ୍ୟାରୁ କମ୍ ପ୍ରବାସୀ ଆସିବେ ତେବେ ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ଆଜି ବାଲେଶ୍ବରରେ ଏକ ସଙ୍ଗରୋଧ କେନ୍ଦ୍ରରୁ କରୋନା ବ୍ୟାପିଛି। ଯାହାକି ଚିନ୍ତାର ବିଷୟ ପାଲଟିଛି। କାରଣ ପୂର୍ବରୁ ଥିବା ଲୋକଙ୍କୁ ପରେ ଆସି ରହିଥିବା ଜଣେ ସୁରତ ଫେରନ୍ତା ହିଁ ସମସ୍ତଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ଫଳରେ ମୟୂରଭଞ୍ଜରେ ସୁରତ ଫେରନ୍ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ର କରିବାକୁ ଦାବି ହୋଇଛି।

ପଶ୍ଚିମବଙ୍ଗ ପରେ ବର୍ତ୍ତମାନ ସୁରତ ଫେରନ୍ତା ହିଁ କରୋନାର ବାହକ ସାଜିଛନ୍ତି। ମୟୂରଭଞ୍ଜରେ କୌଣସି ପଶ୍ଚିମବଙ୍ଗ ଫେରନ୍ତା ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି। ମାତ୍ର ୪ତାରିଖ ପରଠାରୁ କେବଳ ୮ଜଣ ସୁରତ ଫେରନ୍ତା ହିଁ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଜିଲ୍ଲାପ୍ରଶାସନର ସୂଚନା ଅନୁଯାୟୀ ମୟୂରଭଞ୍ଜକୁ ସର୍ବାଧିକ ୧୫ଶହରୁ ୨ହଜାର ଲୋକ ସୁରତରୁ ଫେରିପାରନ୍ତି। ତେଣୁ ଏମାନଙ୍କୁ ଏକ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ରଖାଗଲେ ଅନ୍ତତଃ ଅନ୍ୟ ପ୍ରବାସୀ ଓଡ଼ିଆମାନେ ଏମାନଙ୍କ ନିକଟରୁ ସଂକ୍ରମିତ ହୁଅନ୍ତେ ନାହିଁ। ଯଦି ସଂକ୍ରମଣ ପଞ୍ଚାୟତସ୍ତରକୁ ପହଞ୍ଚିଗଲା ତେବେ ରୋକିବା ମୁସ୍କିଲ୍ ହୋଇପଡ଼ିବ। ଜିଲ୍ଲାକୁ ପ୍ରତିଦିନ ବିଭିନ୍ନ ରାଜ୍ୟରୁ ଗାଡ଼ି ଆସୁଛି। ଏଥିରେ ସଂଖ୍ୟାଧିକ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଚେନ୍ନାଇ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରୁ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ତେବେ ସୁରତ ଫେରନ୍ତାଙ୍କୁ ନେଇ ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ବିଚାର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର