ମୟୂରଭଞ୍ଜ: ଟ୍ରକ୍‌-ସ୍କୁଟର୍‌ ସାମ୍ନାସାମ୍ନି ଧକ୍କା; ପୁଅ ମୃତ, ମାଆ ଆହତ

ବାରିପଦା: ରବିବାର ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ବାରିପଦା ସହର ଉପକଣ୍ଠସ୍ଥିତ ରଘୁନାଥପୁର ଠାରେ ଗୋଟିଏ ଟ୍ରକ୍‌ ଏବଂ ଗୋଟିଏ ୟାମା ସ୍କୁଟର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟର୍‌ ଆରୋହୀଙ୍କର ମୃତ୍ୟୁ ଘଟିବା ସହ ତାଙ୍କ ମାଆ ସାଙ୍ଘାତିକ ଆହତ ହୋଇଛନ୍ତି।

ଆଜି ପୂର୍ବାହ୍ନରେ ୩୦ ବର୍ଷିୟ ଶୁଭମ୍‌ ପୋଦାର ତାଙ୍କ ମାଆ ଅନୀତା ପୋଦାରଙ୍କୁ ୟାମା ସ୍କୁଟର୍‌ରେ ବସାଇ ପୋଡ଼ାଅସ୍ତିଆ ଗାଁରୁ ୧୮ ନମ୍ବର ଜାତୀୟ ରାଜପଥରେ ବାରିପଦା ସହର ଅଭିମୁଖେ ଯାଉଥିବାବେଳେ ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେବା ପରେ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଶୁଭମ୍‌ଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ଗୁରୁତର ଆଘାତ ପାଇଥିବା ତାଙ୍କ ମାଆଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌କୁ ପଠାଯାଇଛି।

ଏ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ପ୍ରାୟ ଘଣ୍ଟାଏ କାଳ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ବାରିପଦା ଟାଉନ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭମ୍‌ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଙ୍କ ସ୍କୁଟର୍‌ ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିଛି। ଟ୍ରକ୍‌ର ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରକାଶ।

ପୁଲିସ ବୁଝାଶୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ହଟାଇଥିଲେ।

ସମ୍ବନ୍ଧିତ ଖବର