ମେଡିକାଲ ନାମଲେଖା : ୪,୩୨୪ ଛାତ୍ରଛାତ୍ରୀଙ୍କ ଆବେଦନ

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ, ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ୨୦ ତାରିଖଠାରୁ ଆରମ୍ଭ ହୋଇଥିବା ନାମ ପଞ୍ଜୀକରଣ ଆଜି ଶେଷ ହୋଇଛି। ରାତି ୧୨ଟା ସୁଦ୍ଧା ୪ ହଜାର ୩୨୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁନ୍‌ ୨୬ରେ ପଂଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଜୁନ୍‌ ୨୬ରୁ ୨୯ ମଧ୍ୟରେ ନୋଡାଲ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ରାଜ୍ୟର ୧୨ଟି ସହରରେ ନୋଡାଲ ସେଣ୍ଟର ଖୋଲାଯିବ। ବାଲେଶ୍ୱର ସରକାରୀ ଆଇଟିଆଇ, ବ୍ରହ୍ମପୁରରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌, ରାଜଧାନୀ କଲେଜ, ସିଇଟି ଓ ସିଆଇଏମଇ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, କଟକ ସରକାରୀ ଆଇଟିଆଇ, ଆଇଏମ୍‌ଆଇଟି, ରାଉରକେଲାସ୍ଥିତ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଓ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୋଡାଲ୍‌ ସେଣ୍ଟର୍‌ କରାଯିବ।

ଜୁନ୍‌ ୩୦ରେ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ ବାହାରିବ। ଜୁଲାଇ ୧ ଓ ୨ରେ ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜିନାଲ ନାମଲେଖା କରାଯିବ। ଜୁଲାଇ ୨୪ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ଥିବା ସିଟ୍‌ ଓ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌ର ମିଳିତ ତାଲିକା ବାହାରିବ। ଏହି ସିିଟ୍‌ଗୁଡିକ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ ଚାଲିବ। ଅଗଷ୍ଟ ୧ ସୁଦ୍ଧା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ବଲାଙ୍ଗୀର ମେଡିକାଲ୍‌ କଲେଜ୍‌ ପାଇଁ ନାମଲେଖା ଆରମ୍ଭ ହୋଇଛି। ମୟୂରଭଂଜର ଆଶୁତୋଷ ପାତ୍ର ଏବଂ ଛତିଶଗଡ଼ର ଆକାଂକ୍ଷା ସିଂହ ପ୍ରଥମ ଓ ଦ୍ୱିତୀୟ ଛାତ୍ରଛାତ୍ରୀ ଭାବେ ଆଡ୍‌ମିସନ ନେଇଛନ୍ତି। ଫଳରେ ବଲାଙ୍ଗୀରରେ ମେଡିକାଲ୍‌ କଲେଜ୍‌ର ସ୍ୱପ୍ନ ପୂରଣ ହୋଇଛି।

ସମ୍ବନ୍ଧିତ ଖବର