ସରିଲା ମେଡିକାଲ ନାମଲେଖା : ୨୬ ସୁଦ୍ଧା କଲେଜରେ ରିପୋର୍ଟିଂ, ୧ରୁ ପାଠପଢ଼ା

ଭୁବନେଶ୍ୱର : ରାଜ୍ୟରେ ଥିବା ୭ଟି ସରକାରୀ ମେଡିକାଲ କଲେଜ ଓ ଗୋଟିଏ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇଛି। ଓଜେଇଇ ପକ୍ଷରୁ ଦୁଇଟି ପର୍ଯ୍ୟାୟ ନାମଲେଖା ସହ ସର୍ବଭାରତୀୟ କୋଟାରେ ନାମଲେଖା ଶେଷ ହେବା ପରେ ବଳିଥିବା ୨୩୨ ସିଟ୍‌ ପାଇଁ ଚାଲିଥିବା ସ୍ପଷ୍ଟ କାଉନ୍‌ସେଲିଂ ଆଜି ସରିଛି। ସମସ୍ତ ସରକାରୀ ମେଡିକାଲ କଲେଜର ଉଭୟ ପାଠ୍ୟକ୍ରମର ସିଟ୍‌ ପୂରଣ ହୋଇଛି। ହାଇଟେକ୍‌ ମେଡିକାଲ କଲେଜରେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ ସିଟ୍‌ ପୂରଣ ହୋଇଥିବା ବେଳେ ଏନ୍‌ଆର୍‌ଆଇ ପିଲାଙ୍କ ପାଇଁ ସଂରକ୍ଷିତ ଥିବା ସିଟ୍‌ ବଳିଛି।

ଓଜେଇଇ ସଚିବ ରଞ୍ଜନ କୁମାର ଜେନାଙ୍କ ସୂଚନା ଅନୁଯାୟୀ ଗତ ଦୁଇଦିନ ମଧ୍ୟରେ ସମସ୍ତ ସରକାରୀ ମେଡିକାଲ କଲେଜର ସିଟ୍‌ ପୂରଣ ହୋଇଥିଲା। ଆଜି ଭୁବନେଶ୍ୱର ହାଇଟେକ୍‌ରେ ବଳିଥିବା ୧୮ଟି ଏମ୍‌ବିବିଏସ୍‌ ଓ ୬୪ଟି ବିଡିଏସ୍‌ ସିଟ୍‌ ପାଇଁ ନାମଲେଖା ଅନୁଷ୍ଠିତ ହୋଇଥିଲା। ସେଥିରୁ ଏନ୍‌ଆର୍‌ଆଇଙ୍କ ପାଇଁ ସଂରକ୍ଷିତ ସମସ୍ତ ବିଡିଏସ୍‌ ସିଟ୍‌ ବଳିଥିବା ବେଳେ ୮ଟି ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହୋଇନି। ଉକ୍ତ ସିଟ୍‌ଗୁଡ଼ିକୁ ହାଇଟେକ୍‌ କଲେଜକୁ ହସ୍ତାନ୍ତର କରାଯିବ। ସେମାନେ ଏନ୍‌ଆର୍‌ଆଇ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବେ। ଯଦି ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀ ନ ଆସନ୍ତି ତେବେ ସାଧାରଣ ବର୍ଗ ପିଲାଙ୍କ ନାମଲେଖା କରାଇବେ। ୨୬ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିବେ। ସେପ୍ଟେମ୍ବର ୧ରୁ କଲେଜଗୁଡ଼ିକରେ ପାଠପଢ଼ା ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଏମ୍‌ବିବିଏସ୍‌ ଓ ବିଡିଏସ୍‌ର ୧୩୦୦ ସିଟ୍‌ ପାଇଁ ନାମଲେଖା ହୋଇଛି।

ଅନ୍ୟପକ୍ଷରେ ଦେଶରେ ଥିବା ୯ଟି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍‌ସ)ଗୁଡ଼ିକରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇଛି। ନୂଆଦିଲ୍ଲୀ, ଭୋପଳ ପରେ ଭୁବନେଶ୍ୱର ଏମ୍‌ସ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖିବାକୁ ମିଳିଛି। ୩ୟ ପର୍ଯ୍ୟାୟ ନାମଲେଖା ଶେଷ ପରେ ନୂଆଦିଲ୍ଲୀ ଏମ୍‌ସର ସମସ୍ତ ସିଟ୍‌ ପୂରଣ ହୋଇଥିଲା। ଭୁବନେଶ୍ୱର ଏମ୍‌ସରେ ୪ଟି ସାଧାରଣ ବର୍ଗ ଓ ଗୋଟିଏ ଲେଖାଏ ଓବିସି ଏବଂ ଏସ୍‌ସି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍‌ ବଳକା ରହିଥିଲା। ସେହିପରି ଭୋପାଳ ଏମ୍‌ସରେ ୫, ଯୋଧପୁରରେ ୬, ପାଟଣାର ୨୦, ରାୟପୁରରେ ୧୯, ଋଷିକେଶରେ ୧୨, ଗୁଣ୍ଟୁର୍‌ରେ ୧୬ ଏବଂ ନାଗପୁରରେ ୧୯ଟି ସିଟ୍‌ ବଳକା ରହିଥିଲା। ମଙ୍ଗଳବାର ଖାଲି ସିଟ୍‌ ପାଇଁ ଓପନ୍‌ କାଉନସେଲିଂ କରାଯାଇ ସିଟ୍‌ ପୂରଣ ହୋଇଥିବା ନୂଆଦିଲ୍ଲୀ ଏମ୍‌ସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର