ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡିକାଲ ଫିଜିକ୍ସ ବିଦ୍ୟାର୍ଥୀଙ୍କ ଅସନ୍ତୋଷ ତେଜିଲା : ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, କୁଳପତିଙ୍କୁ ଘେରାଓ, ଠେଲାପେଲା

ଡିପ୍ଲୋମା ପାଠ୍ୟକ୍ରମ ଲିଖିତ ପ୍ରତିଶ୍ରୁତି ଦାବିରେ ନିଜକୁ ଆଡମିନିଷ୍ଟ୍ରେଟିଭ ବ୍ଲକରେ ବନ୍ଦ କଲେ ବିଦ୍ୟାର୍ଥୀ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ମେଡିକାଲ ଫିଜିକ୍ସ ବିଦ୍ୟାର୍ଥୀଙ୍କ ଜୀବନ ସହ ଖେଳ। ଏହାକୁ ନେଇ ଚାପି ରହିଥିବା ଅସନ୍ତୋଷ ଫୁଟି ବାହାରିଛି। ଡିଗ୍ରି ପାଠ୍ୟକ୍ରମ ବନ୍ଦ ଏବଂ ଡିପ୍ଲୋମା ପାଠ୍ୟକ୍ରମ ଅନିଶ୍ଚିତ ହୋଇ ପଡ଼ିବାରୁ ନିରାଶ ଜଣେ ବିଦ୍ୟାର୍ଥୀ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ। ଏଥିସହିତ ଏକାଡେମିକ କାଉନସିଲିଂ ବୈଠକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଭାରପ୍ରାପ୍ତ କୁଳପତିଙ୍କ ସହିତ ଠେଲାପେଲା ସହିତ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମଧ୍ୟାହ୍ନ ୨ଟାରୁ ଆଡମିନିଷ୍ଟ୍ରେଟିଭ ବ୍ଲକକୁ ୧୫ ବିଦ୍ୟାର୍ଥୀ ଭିତର ପଟୁ ବନ୍ଦ କରି ଦେଇଛନ୍ତି। ସଂଧ୍ୟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି।

ବିଶ୍ବସନୀୟତା ହରାଉଛି ସମ୍ବଲପୁର ବିଶ୍ବବିଦ୍ୟାଳୟ। ଏଇଆରବି ଅନୁମତି ବିନା ପାଠ୍ୟକ୍ରମ ଖୋଲାଗଲା। ୩ ବର୍ଷ ପରେ ସତ୍ୟ ପ୍ରଘଟ ପରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରତିଶ୍ରୁତି ଦେଇ ବିଦ୍ୟାର୍ଥୀ ଭୂଆଁ ବୁଲାଯାଇ ଥିଲା। ୨ ମାସର ଅପେକ୍ଷା ପରେ ବିଦ୍ୟାର୍ଥୀଙ୍କୁ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନିଆଯାଇନଥିବା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ବେ ଲିଖିତ ପ୍ରତିଶ୍ରୁତି ଦିଆନଯିବାରୁ ମେଡିକାଲ ଫିଜିକ୍ସ ବିଦ୍ୟାର୍ଥୀଙ୍କ ଧୈର୍ଯ୍ୟଚ୍ୟୁତ ହେଲା। ପୂର୍ବ ନିର୍ଧାରଣ ଅନୁଯାୟୀ, ଶୁକ୍ରବାର ଏକାଡେମିକ କାଉନସିଲ ବୈଠକ ହୋଇଥିଲା। ପୂର୍ବରୁ ଏହା ପଦାର୍ଥ ବିଜ୍ଞାନ ବିଭାଗରେ ହେବାର ଥିଲା। ମେଡିକାଲ ଫିଜିକ୍ସ ବିଦ୍ୟାର୍ଥୀମାନେ ଏହି ବିଭାଗ ସମ୍ମୁଖରେ ଗୁରୁବାର ଠାରୁ ରିଲେ ଅନଶନ ଆରମ୍ଭ କରିଥିଲେ। ତେଣୁ ବୈଠକ ଏମବିଏ ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲା। ଆନ୍ଦୋଳନରତ ବିଦ୍ୟାର୍ଥୀ ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ପାଇଁ ଏମବିଏ ବିଭାଗକୁ ଯାଇଥିଲେ। ମଧ୍ୟାହ୍ନ ୧୨.୩୦ଟାରେ ବୈଠକ ସମାପ୍ତ ସହିତ ଏକାଡେମିକ କାଉନସିଲ ବୈଠକରେ ଉପସ୍ଥିତ ଭାରପ୍ରାପ୍ତ କୁଳପତି, କୁଳସଚିବ, ଉପକୁଳସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକମାନେ ବାହାରି ଆସିଥିଲେ। ଉତ୍ତେଜିତ ମେଡିକାଲ ଫିଜିକ୍ସ ବିଦ୍ୟାର୍ଥୀମାନେ ଡିପ୍ଲୋମା ପାଠ୍ୟକ୍ରମ ଦାବିରେ ଭାରପ୍ରାପ୍ତ କୁଳପତିଙ୍କୁ ଘେରାଓ କରିଥିଲେ। କାହିଁକି ତାଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସେମାନେ ଫିଜିକ୍ସ ନୁହେଁ ମେଡିକାଲ ଫିଜିକ୍ସ ପଢିବା ପାଇଁ ଆସିଛନ୍ତି। ତେଣୁ ଡିଗ୍ରି ନହେଲେ ଅତି କମରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ। ଏଥିପାଇଁ ଲିଖିତ ଭାବରେ ପ୍ରତିଶ୍ରୁତି ଦେବାକୁ ବିଦ୍ୟାର୍ଥୀମାନେ ଅଡି ବସିଥିଲେ।

ମାତ୍ର ବିଦ୍ୟାର୍ଥୀଙ୍କୁ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ମାତ୍ର ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ସମ୍ଭବ ନୁହେଁ ବୋଲି ଭାରପ୍ରାପ୍ତ କୁଳପତି କହିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଛାତ୍ର ଦୀପକ ଜେନା ଆତ୍ମହୁତି ଉଦ୍ୟମ କରୁଥିବାବେଳେ ପୁଲିସ ତାଙ୍କ ଠାରୁ ପେଟ୍ରୋଲ ଛଡ଼ାଇ ନେଇଥିଲା। ତାଙ୍କୁ କାହିଁକି କହୁଛ ଯିଏ ପାଠ୍ୟକ୍ରମ ଖୋଲିଛି ତାଙ୍କୁ କୁହ ବୋଲି ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦାବିରେ ପ୍ରାୟ ମଧ୍ୟାହ୍ନ ପ୍ରାୟ ୨ଟାରେ ବିଦ୍ୟାର୍ଥୀମାନେ ଆଡମିନିଷ୍ଟ୍ରେଟିଭ ବ୍ଲକ ଯାଇଥିଲେ। ସେଠାରେ ୧୫ ବିଦ୍ୟାର୍ଥୀ ନିଜକୁ ଭିତର ପଟୁ ବନ୍ଦ କରି ଦେଇଥିଲେ। କୁଳାଧିପତି ଆସନ୍ତୁ କିମ୍ବା ସେମାନଙ୍କୁ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଉ। ଏହି ସମୟରେ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲା।

ସମ୍ବନ୍ଧିତ ଖବର