ବନ୍ଧ୍ୟାକରଣରୁ ମୁହଁ ଫେରାଉଛନ୍ତି, ରାଜ୍ୟରେ କଣ୍ଡୋମ ବ୍ୟବହାର ୨% ବଢ଼ିଛି

ଭୁବନେଶ୍ୱର: ବନ୍ଧ୍ୟାକରଣ ଅସ୍ତ୍ରୋପଚାରରୁ ମୁହଁ ଫେରାଉଛନ୍ତି ଲୋକେ। ରାଜ୍ୟରେ ଏ ସଂକ୍ରାନ୍ତୀୟ ଅସ୍ତ୍ରୋପଚାର ବ୍ୟାପକ ଭାବେ ହ୍ରାସ ପାଉଛି। ଅପରପକ୍ଷରେ ରାଜ୍ୟରେ କଣ୍ଡୋମର ବ୍ୟବହାର ବଢ଼ିବାରେ ଲାଗିଛି। କେବଳ କଣ୍ଡୋମ ନୁହେଁ ଗର୍ଭ ନିରୋଧକ ବଟିକା ଓ ଗର୍ଭ ରୋକିବା ପାଇଁ ଥିବା ଇଞ୍ଜେକସନ୍‌ର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୬/୧୭ରେ ରାଜ୍ୟରେ ୧ଲକ୍ଷ ୫ହଜାର ୬୬ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୨୦୧୭/୧୮ରେ ଏହା କମି ଆସି ୮୬ହଜାର ୬୩୬ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୭.୫୪ ପ୍ରତିଶତ ହ୍ରାସ ପାଇଛି। ସେହିପରି ପୁରୁଷ ଅସ୍ତ୍ରୋପଚାରରେ ମଧ୍ୟ ଯଥେଷ୍ଟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ୨୦୧୬/୧୭ରେ ରାଜ୍ୟରେ ୨୬୩୫ଜଣ ପୁରୁଷଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୨୦୧୭/୧୮ରେ ଏହା କମିଆସି ୧୧୪୮ରେ ପହଞ୍ଚିଛି। ୨୦୧୬/୧୭ ବର୍ଷ ତୁଳନାରେ ଏହା ୫୬.୪୩ ପ୍ରତିଶତ ହ୍ରାସ ପାଇଛି। ତେବେ ଏହି ଦୁଇ ବନ୍ଧ୍ୟାକରଣକୁ ମିଶାଇଲେ ରାଜ୍ୟରେ ୨୦୧୬/୧୭ରେ ୧ଲକ୍ଷ ୭ହଜାର ୭୦୧ ଅସ୍ତ୍ରୋପଚାର କରିଥିବା ବେଳେ ୨୦୧୭/୧୮ରେ ଏହାର ୮୭ହଜାର ୭୮୪କୁ ଖସି ଆସିଛି। ଏହି ଦୁଇ ଅସ୍ତ୍ରୋପଚାରରେ ୧୮.୪୯ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷରେ ରାଜ୍ୟରେ କଣ୍ଡୋମର ବ୍ୟବହାର ବଢ଼ିବାରେ ଲାଗିଛି। ୨୦୧୬/୧୭ବର୍ଷରେ ରାଜ୍ୟରେ ୧ଲକ୍ଷ ୨୩ହଜାର ୭୪୬ କଣ୍ଡୋମ ବ୍ୟବହରକାରୀ ରହିଥିବା ବେଳେ ୨୦୧୭/୧୮ବର୍ଷରେ ଏହା ବୃଦ୍ଧି ପାଇ ୧ଲକ୍ଷ ୨୭ହଜାର ୩୫ରେ ପହଞ୍ଚିଛି। ଯାହାକି ଗତବର୍ଷ ତୁଳନାରେ ୨.୬୬ ବୃଦ୍ଧି ହୋଇଛି। ଏହାସହ ରାଜ୍ୟରେ କଣ୍ଡୋମର ଯୋଗାଣ ମଧ୍ୟ ବୃଦ୍ଧି ପାଇଛି। ୨୦୧୫/୧୬ରେ ୮୭ଲକ୍ଷ ୩୧ହଜାର ୮୮୦ଟି କଣ୍ଡୋମ ଯୋଗାଇ ଦିଆଯାଇଥିବା ବେଳେ ୨୦୧୬/୧୭ରେ ଏହା ବୃଦ୍ଧି ୧କୋଟି ୭ଲକ୍ଷ ୪୪ହଜାର ୯୧୦ରେ ପହଞ୍ଚିଥିଲା। ୨୦୧୭/୧୮ରେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିଛି। ୧କୋଟି ୧୬ଲକ୍ଷ ୨୮ହଜାର ୨୦୨ କଣ୍ଡୋମ ଯୋଗାଣ ହୋଇଛି। ରାଜ୍ୟର ୧୧ଟି ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ କଣ୍ଡୋମର ବ୍ୟବହାର ଯଥେଷ୍ଟ ବଢ଼ିଛି।

ଗୋଟିଏ ପଟେ କଣ୍ଡୋମର ବ୍ୟବହାର ବଢ଼ିଥିବା ବେଳେ ଅନ୍ୟ ପଟରେ ଗର୍ଭ ନିରୋଧକ ବଟିକାର ବ୍ୟବହାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ୨୦୧୬/୧୭ରେ ୧ଲକ୍ଷ ୫୮ହଜାର ୨୮୭ ଗର୍ଭ ନିରୋଧକ ବଟିକା ବ୍ୟବହାରକାରୀ ରହିଥିବା ବେଳେ ୨୦୧୭/୧୮ରେ ଏହା ଖସି ଆସି ୧ଲକ୍ଷ ୫୦ହଜାର ୬୫୩ରେ ପହଞ୍ଚିଛି। ଯେହେତୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କମୁଛି, ଏ ଦୃଷ୍ଟିରୁ ଅସ୍ତ୍ରୋପଚାର ଜନିତ ତ୍ରୁଟି ମଧ୍ୟ କମିବାରେ ଲାଗିଛି। ଏହି ଦୁଇ ବର୍ଷ ମଧ୍ୟରେ ବନ୍ଧ୍ୟାକରଣ ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୦ଜଣଙ୍କଠାରେ ବନ୍ଧ୍ୟାକରଣ ବିଫଳ ହୋଇଛି। ଏହାସହ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଯୋଗୁଁ ୩୬୦ଜଣଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର