ଜିଲ୍ଲାସ୍ତରୀୟ ୟୁନିଫାଏଡ୍‌ କମାଣ୍ଡ ଗଠନ ନିର୍ଦେଶ

ମାଓ ଦମନ ପାଇଁ କେନ୍ଦ୍ରର ନୂଆ ଆଭିମୁଖ୍ୟ

ଭୁବନେଶ୍ୱର: ବାମପନ୍ଥୀ ଉଗ୍ରବାଦୀ ଦମନ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ସମ୍ପୃକ୍ତ ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାସ୍ତରୀୟ ୟୁନିଫାଏଡ୍‌ କମାଣ୍ଡ ଗଠନ ଲାଗି କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି। ଏବେ ବିଭିନ୍ନ ମାଓ ପ୍ରଭାବିତ ରାଜ୍ୟରେ ରାଜ୍ୟସ୍ତରୀୟ ୟୁନିଫାଇଏଡ୍‌ କମାଣ୍ଡମାନ ରହିଛି। ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ରାଜ୍ୟ ୟୁନିଫାଏଡ୍‌ କମାଣ୍ଡ କାମ କରୁଛି। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଏହି କମାଣ୍ଡ ତୁଳନାତ୍ମକ ଭାବେ ଢେର୍‌ ଭଲ କାମ କରୁଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ କହୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା କରିଥିବା ଏକ ସମୀକ୍ଷା ବୈଠକରେ ଓଡ଼ିଶାର ଭୂମିକାକୁ ବେଶ୍‌ ପ୍ରଶଂସା କରାଯାଇଛି। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ସମେତ ଆଉ କେତେକ ରାଜ୍ୟରେ ରାଜ୍ୟ ୟୁନିଫାଏଡ୍‌ କମାଣ୍ଡ ଥିଲେ ମଧ୍ୟ ଏହାର ବୈଠକ ନିୟମିତ ବ୍ୟବଧାନରେ ବସୁନାହିଁ। ଓଡ଼ିଶାରେ କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ବର୍ଷରେ ଅତିକମ୍‌ରେ ୩/୪ ଥର ଏହି ବୈଠକ ଡକାଯାଉଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଉଦ୍ୟମକ୍ରମେ ୨୦୧୭ରେ ଓଡ଼ିଶା ୟୁନିଫାଏଡ୍‌ କମାଣ୍ଡର ତିନୋଟି ବୈଠକ ବସିଥିବା ବେଳେ ଗତ ଜୁନ୍‌ ୪ ତାରିଖରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶାରେ ଏହି କମାଣ୍ଡ ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଏବଂ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ସମେତ ରାଜ୍ୟ ପୁଲିସର କର୍ମକର୍ତାମାନେ ଅଂଶଗ୍ରହଣ କରୁଛନ୍ତି।

ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହିତ ଏ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ଲାଗି ଆଲୋଚନା ହେଉଛି। ଏହାଛଡ଼ା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ କିପରି ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେ ନେଇ ମଧ୍ୟ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ମାଓବାଦୀମାନଙ୍କୁ ଦମନ କରିବା ଲାଗି ନିଆଯାଉଥିବା ପଦକ୍ଷେପର ବିଭିନ୍ନ ଦିଗ ପ୍ରସଙ୍ଗରେ ସୁରକ୍ଷା ଅଧିକାରୀମାନେ ମତବ୍ୟକ୍ତ କରିବା ସହିତ ଭବିଷ୍ୟତ କର୍ମ ଯୋଜନା ସମ୍ପର୍କରେ ବି ପ୍ରସ୍ତାବ ଦେଉଛନ୍ତି। ଛତିଶଗଡ଼ରେ ଏବେ ଜିଲ୍ଲାସ୍ତରୀୟ ୟୁନିଫାଏଡ୍‌ କମାଣ୍ଡ ଏସ୍‌ପିମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ଏଥିରୁ ବିଶେଷ ଫଳ ମିଳୁଥିବା ଦୃଷ୍ଟିରୁ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ବି ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ କମାଣ୍ଡ ଗଠନ ଏବଂ ରାଜ୍ୟ କମାଣ୍ଡ ସହିତ ଜିଲ୍ଲା କମାଣ୍ଡର ସମନ୍ଵୟ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର