ରାଜଭବନରେ କୁଳପତି ସମ୍ମିଳନୀ: ଏଣିକି ଓପିଏସ୍‌ସି ଦ୍ୱାରା ଅଧ୍ୟାପକ ନିଯୁକ୍ତି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ପାଲ ମଲ୍ଲିକ। ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ଆଜି ରାଜଭବନରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ କୁଳାଧିପତି ଶ୍ରୀ ମଲ୍ଲିକ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ କରାଇବା ସପକ୍ଷରେ ମତ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଷ୍ଟାଚ୍ୟୁଟ୍‌ ଓ ଅଡିନାନ୍ସରେ ସଂଶୋଧନ କରି କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା କିମ୍ବା ଓପିଏସ୍‌ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବାକୁ ସମ୍ମିଳନୀରେ କୁହାଯାଇଛି। ନିର୍ଧାରିତ ସମୟରେ ପରୀକ୍ଷା, ଫଳ ପ୍ରକାଶ, ସାର୍ଟିଫିକେଟ୍‌ ପ୍ର୍ରଦାନକୁ ନେଇ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ସମ୍ମିଳନୀର ନିଷ୍ପତ୍ତିକୁ ଏପର୍ଯ୍ୟନ୍ତ କେତେକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ କରି ନ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟପାଳଙ୍କ ସଚିବଙ୍କ ନିକଟକୁ ଅନେକ ଅଭିଯୋଗ ଆସୁଛି। ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୭ଟି ଶିକ୍ଷାନୁଷ୍ଠାନ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ଲାଗୁ କରିଥିବା ସୂଚନା ଦେଇଛନ୍ତି। ଖାଲିଥିବା ପଦବିଗୁଡ଼ିକ ପୂରଣ ଦିଗରେ କେତେକ ବିଶ୍ୱବିଦ୍ୟାଳୟରେ ଆଶାନୁରୂପ ପଦକ୍ଷେପ ନିଆଯାଇ ନାହିଁ। ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ହୋଇଥିବା ନେଇ ମଧ୍ୟ ବାରମ୍ବାର ଅଭିଯୋଗ ଆସୁଥିବାରୁ ଏଥିରେ ସଂସ୍କାର ଆଣିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି।

ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ରାଜ୍ୟପାଳ
କ୍ୟାମ୍ପସରେ ବାୟୋମେଟ୍ରିକ୍‌ ଲଗାଇବାକୁ ପରାମର୍ଶ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାର ବିକାଶ ହୋଇପାରିନି। ଏଥିରେ ଜମି ପ୍ରତିବନ୍ଧକ ସାଜିଛି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବାରୁ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ୩ ବର୍ଷ ହେଲା ରାଜ୍ୟର ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଦେଶର ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇ ନ ଥିବାରୁ କୁଳାଧିପତି ଅସନ୍ତୋଷ ପ୍ରକାଶ କରିଥିଲେ। ଗତ କୁଳପତି ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକରୀ ହୋଇ ନାହିଁ। ତେଣୁ ଗବେଷଣା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ସହ ଶୈକ୍ଷିକ ବାତାବରଣ ଉପରେ ଆଲୋଚନା ହୋଇଥିଲା। କିଛି ଦିନ ତଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦ୍ୱାରା କ୍ୟାମ୍ପସକୁ ସାଇନ୍‌ ଡାଏ ଘୋଷଣା କରାଯାଇଥିଲା। ଆଗକୁ ଯେପରି ଏମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଏଡ଼ାଇବା ଲାଗି କିଭଳି ପଦକ୍ଷେପ ନିଆଯାଇଛି ସେନେଇ କୁଳପତିମାନେ ବିଶଦ ଭାବେ କହିଥିଲେ। ଏହାବ୍ୟତୀତ ୟୁଜିସି ମଞ୍ଜୁରି ଓ ଅନୁଦାନର ବିନିଯୋଗ ପ୍ରମାଣପତ୍ର ଠିକ୍‌ ସମୟରେ ପ୍ରଦାନ, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବୃଦ୍ଧି ସହ ପ୍ଲେସମେଣ୍ଟ ସେଲ୍‌କୁ କ୍ରିୟାଶୀଳ କରିବା, ଦେଶ ଓ ଦେଶ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଗବେଷଣା ଓ ଶିକ୍ଷାକୁ ପରିପୃଷ୍ଟ କରିବା ଲକ୍ଷ୍ୟରେ ବିନିମୟ କାର୍ଯ୍ୟକ୍ରମକୁ ପୋତ୍ସାହିତ କରିବାକୁ କୁହାଯାଇଛି। ପ୍ରତି ସୋମବାର କୁଳପତିମାନେ ଅଭିଯୋଗ ଶୁଣାଣି ଓ ସମାଧାନ ପଦ୍ଧତିକୁ ଆଧୁନିକ ପ୍ରଣାଳୀରେ କ୍ରିୟାଶୀଳ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଥିଲେ ଯେ, ବିହାର ତୁଳନାରେ ଓଡ଼ିଶାର ବିଶ୍ୱବିିଦ୍ୟାଳୟଗୁଡ଼ିକର ସ୍ଥିତି ଅପେକ୍ଷାକୃତ ଭଲ ରହିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ଛାତ୍ର ସଂସଦ ନିର୍ବାଚନ ହେବା ଦ୍ୱାରା ନୂତନ ନେତୃତ୍ୱର ବିକାଶରେ ସହାୟକ ହେବ। ବିଶ୍ୱବିଦ୍ୟାଳୟ ସମସ୍ୟାଗୁଡ଼ିକର ସମାଧାନ ଏକାନ୍ତ ଜରୁରୀ ବୋଲି ମତପ୍ରକାଶ କରିଥିଲେ।

ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଆଇଟି ଓ ଇଲେଟ୍ରୋନିକ୍ସ ମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, କୃଷି ଉତ୍ପାଦନ କମିସନର୍‌ ଗଗନ କୁମାର ଧଳ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ଭେନୁଗୋପାଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଏସ୍‌.କେ. ସିଂ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପି.ସି. ମାଝୀ, ଆଇଟି ବିଭାଗ ସ୍ୱତନ୍ତ୍ର ସଚିବ ଆର.ଏନ୍‌. ପଲାଇ, ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନଙ୍କ ସମେତ ୧୭ଟି ବିଶ୍ୱବିଦ୍ୟାଳୟ କୁଳପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର