୨୬ରେ ଦିଲ୍ଲୀରେ ମାଓବାଦୀ ଉପଦ୍ରୁତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ : ‘ମାଓ ଗତିବିଧି ୫ ଜିଲ୍ଲାରେ ସୀମିତ’

ଯୋଗଦେବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚବି ଓ ପୁଲିସ ଡିଜି, ମାଓବାଦୀଙ୍କୁ ନିପାତ ପାଇଁ ପ୍ରସ୍ତୁତ ହୋଇଛି ଖସଡ଼ା

ଭୁବନେଶ୍ବର : ରାଜ୍ୟରେ ମାଓ ହିଂସା ନିୟନ୍ତ୍ରଣ କରିବାରେ ସରକାରଙ୍କୁ ସଫଳତା ମିଳିଛି। ଏବେ ରାଜ୍ୟର ୧୫ଟି ମାଓବାଦୀ ଉପଦ୍ରୁତ ଜିଲ୍ଲାରୁ କେବଳ ୫ଟି ଜିଲ୍ଲାରେ ମାଓ ଗତିବିଧି ସୀମିତ ଅଛି। ଆସନ୍ତା ୨୬ ତାରିଖରେ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆଭ୍ୟନ୍ତରୀଣ ସୁରକ୍ଷା ସଂକ୍ରାନ୍ତ ମାଓ ଉପଦ୍ରୁତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ପୂର୍ବରୁ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ମାଓ ସମସ୍ୟାର ସମୂ‌ଳ ବିନାଶ ପାଇଁ ଖସଡ଼ା ପ୍ରସ୍ତୁତି ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଗମନାଗମନ ସହିତ ଅଧିକରୁ ଅଧିକ ବ୍ୟାଙ୍କିଙ୍ଗ୍ ସେବା, ଟେଲିଫୋନ୍ ସେବା ପାଇଁ ଅଧିକ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରକୁ ଅବଗତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଗତ ବିଧାନସଭା ବଜେଟ ଅଧିବେଶନରେ ୨୦୧୮ ମସିହା ପାଇଁ ରାଜ୍ୟ ଗୃହ ବିଭାଗ ପ୍ରକାଶ କରିଥିବା ଶ୍ବେତପତ୍ରରେ ୬ଟି ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ରହିଥିବା ନେଇ ଉଲ୍ଲେଖ ଥିଲା। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନିଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ ନୂଆପଡ଼ା। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ତିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଦମନରେ ଓଡ଼ିଶା ସରକାରଙ୍କୁ ସଫଳତା ମିଳିଛି। ଏବେ ରାଜ୍ୟରେ ମାତ୍ର ୫ଟି ଜିଲ୍ଲାରେ ମାଓବାଦୀ ଗତିବିଧି ଜାରି ରହିଛି। ମାଓ ସମସ୍ୟାର ସମ୍ପୂର୍ଣ୍ଣ ନିରାକରଣ ଉପରେ ରାଜ୍ୟ ସରକାର ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ନକ୍ସଲ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଓ ଆର୍ଥିକ ବିଷୟ ନେଇ ଉପସ୍ଥାପନା କରିଥିଲେ। ଆଦିବାସୀମାନଙ୍କୁ ଜମି ପଟ୍ଟା ବଣ୍ଟନ, ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନା, କୌଶଳ ବିକାଶ ଉପରେ ଗୁରୁତ୍ବ ଦିଆଯାଇଥିଲା।

ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ, ମାଓ ଉପଦ୍ରୁତ ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବାରାନ୍ବିତ କରାଯାଇଛି। ଗୁରୁପ୍ରିୟା ସେତୁ ହେବା ଫଳରେ ସ୍ବାଭିମାନ ଅଞ୍ଚଳ ମାଲକାନିଗିରି ଜିଲ୍ଲାରେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ପହଞ୍ଚିପାରିଛି। ସେଠାକାର ଲୋକଙ୍କୁ ମୁଖ୍ୟସ୍ରୋତକୁ ଆଣିବାରେ ସରକାରଙ୍କୁ ସଫଳତା ମିଳିଛି। ଦକ୍ଷିଣ ଓଡ଼ିଶାରେ ମାଓ ଉପଦ୍ରୁତ ଜିଲ୍ଲାରେ ସ୍ଥାନୀୟ ଲୋକଙ୍କ ବିକାଶ ଉପରେ ସରକାର ଗୁରୁତ୍ବ ଦେଇ ସରକାର ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି। ସେସବୁ ଜିଲ୍ଲାରେ ଅଧିକରୁ ଅଧିକ ରାସ୍ତା ନିର୍ମାଣ କରିବା ସହ ବ୍ୟାଙ୍କିଙ୍ଗ୍ ସେବା, ଟେଲିଫୋନ୍ ମୋବାଇଲ ଟାଵାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ନକ୍ସଲ ପ୍ରବଣ ଜିଲ୍ଲାଗୁଡ଼ିକରେ ସ୍ବାଭିମାନ ଅଞ୍ଚଳ ମଡେଲରେ କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଆରଆରବି ରାସ୍ତା ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଥିଲେ, ମାଓବାଦୀ ଦମନ ପାଇଁ ସରକାର ଏକ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଆସନ୍ତା ୨୬ ତାରିଖ ବୈଠକରେ ଆବଶ୍ୟକ ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ରାଜ୍ୟରେ ବର୍ତ୍ତମାନ ସୁଧା ୧ ଲକ୍ଷ ୪୧ ହଜାର ୪୭୧ ଜଣ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଅଧିକାର ଆଇନରେ ଜମି ପଟ୍ଟା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି। ଆର.ଆର.ପି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୯ଟି ରାସ୍ତା ପ୍ରକଳ୍ପ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୩୩ଟି ପ୍ରକଳ୍ପ କାର୍ଯ୍ୟ ତ୍ବାରାନ୍ବିତ ହୋଇଛି। ଆଦିବାସୀ ଯୁବକଯୁବତୀମାନଙ୍କ ଆତ୍ମନିଯୁକ୍ତି ପାଇଁ କୌଶଳ ବୃଦ୍ଧି ପାଇଁ ପ୍ରଥମ ପର୍ଯ୍ୟାୟରେ ୫ଟି ଆଇଟିଆଇ ଏବଂ ୧୦ କୌଶଳ ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୫୩ଟି ବିଏସଏନଏଲ ମୋବାଇଲ ଟାଵାର ମଧ୍ୟରୁ ୨୪୮ଟି ନିର୍ମାଣ ସରିଥିଲେ ବି ଏହାର କାର୍ଯ୍ୟଦକ୍ଷତା ନିମ୍ନ ସ୍ତରରେ ରହିଛି। ଏଗୁଡ଼ିକୁ ୪-ଜି ସ୍ତରକୁ ଉନ୍ନୀତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ନକ୍ସଲ ପ୍ରଭାବରୁ ମୁକ୍ତ ହୋଇଥିବା ୫୫୧ଟି ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ଏବଂ ଡାକଘର ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଣ ଆଦି ବିଷୟରେ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।

ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ଓ ମାଓ ଦମନ ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନ ବାବଦରେ ୨୦୧୭ ଅକ୍ଟୋବର ସୁଦ୍ଧା କେନ୍ଦ୍ର ସରକାରଙ୍କ ଦେୟ ବାବଦରେ ଓଡ଼ିଶା ସରକାର ୨ ହଜାର ୯୦୭ କୋଟି ଟଙ୍କା ଦେବାକୁ ବାକି ଅଛି। ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ଏହି ଅର୍ଥ ଛାଡ଼ କରିବା ଉଚିତ ବୋଲି ଉଲ୍ଲେଖ କରି ଗତ ୨୦ ତାରିଖ ଦିନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଥିଲେ। ଏହି ବକେୟା ଅର୍ଥ ଛାଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ ଅନେକ ବାର କେନ୍ଦ୍ରକୁ ଜଣାଇଥିଲେ। ଏ ନେଇ ଆସନ୍ତା ବୈଠକରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର