ମେଗା ବୃକ୍ଷରୋପଣରେ ‘ଟ୍ରି-ଗାର୍ଡ଼’ ଦୁର୍ନୀତି, ୧୩ ଲକ୍ଷ ଫେରାଇବେ ୬ ଯନ୍ତ୍ରୀ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ମେଗା ବୃକ୍ଷରୋପଣ ଯୋଜନା‌ରେ ‌କେଳେଙ୍କାରୀ। ଗୋଟିଏପଟେ ବୃକ୍ଷରୋପଣ ‌ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟପକ୍ଷରେ ‘ଟ୍ରି-ଗାର୍ଡ’ (ଗଛ ସୁରକ୍ଷା ପାଇଁ ବ୍ୟବହୃତ ଗହଣା) ଯୋଗାଇଥିବା ଏକ ଏଜେନ୍ସିଙ୍କୁ ଟଙ୍କା ପୈଠ କରି ନଥିବାରୁ ୬ ଜଣ କନିଷ୍ଠ ଯନ୍ତ୍ରୀ ବିବାଦ ଘେରକୁ ଆସିଛନ୍ତି। ତୁରନ୍ତ ୧୩ ଲକ୍ଷରୁ ଅଧିକ ଟଙ୍କା ଫେରାଇବାକୁ ଏହି ଯନ୍ତ୍ରୀମାନଙ୍କୁ ବ୍ଲକ୍‌ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ୨୧ ତାରିଖ ସୁଦ୍ଧା ଟଙ୍କା ପୈଠ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେମାନଙ୍କୁ ତାଗିଦ୍ କରାଯାଇଛି। ଦରକାର ପଡ଼ିଲେ ସେମାନଙ୍କ ଦରମାରୁ ଏହି ଅର୍ଥ ଭରଣା ହେବ ବୋଲି ତାଗିଦ୍‌ କରିଦିଆଯାଇଛି।

ମିଳିଥିବା ସୂଚନାନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗା ଯୋଜନା‌ରେ ବିଭିନ୍ନ ପଞ୍ଚାୟତରେ ବ୍ଲକ୍‌ ପକ୍ଷରୁ ଲକ୍ଷାଧିକ ବୃକ୍ଷରୋପଣ ହୋଇଥିଲା। ଗଛର ସୁରକ୍ଷା ପାଇଁ ‘ସ୍ବସ୍ତିକ’ ‌ଏଜେନ୍ସି ପକ୍ଷରୁ ଟ୍ରି-ଗାର୍ଡ ଯୋଗାଇ ଦିଆଯାଇଥିଲା। ଉକ୍ତ ସଂସ୍ଥାକୁ ଟଙ୍କା ପୈଠ ଦାୟିତ୍ବ ୬ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଯନ୍ତ୍ରୀମାନେ ସଂପୂର୍ଣ୍ଣ ଟଙ୍କା ସଂସ୍ଥାକୁ ପୈଠ କରି ନଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଅନ୍ତରାପଡ଼ା ଓ ଖୋଳଖାଳି ପଞ୍ଚାୟତରେ ବୃକ୍ଷରୋପଣ ପାଇଁ ଯନ୍ତ୍ରୀ ‌ଆଶିଷ ପଟ୍ଟନାୟକ ୧୨ହଜାର ୮ଶହ ଟ୍ରି-ଗାର୍ଡ ନେଇଥିଲେ। ହେଲେ ସେ ୩ହଜାର ୩୯୦ଟି ଗାର୍ଡ ପାଇଁ ଟଙ୍କା ପୈଠ କରିଥିବାବେଳେ ବାକି ୯ହଜାର ୪୧୦ ପାଇଁ ୫ଲକ୍ଷ ୫୦ହଜାର ୪୮୫ ଟଙ୍କା ଦେଇନାହାନ୍ତି। ସେହିପରି ତାକରଡ଼ା ପଞ୍ଚାୟତର ଜିପିଟିଏ ୩ହଜାର ୬ଶହ ଗାର୍ଡ ନେଇଥିବା ବେଳେ ୨୦୭ଟି ପାଇଁ ଟଙ୍କା ପୈଠ କରିଥିବା ସହ ବଳକା ୧ହଜାର ୫୦ ଗାର୍ଡ ପାଇଁ ୬୧ହଜାର ୪୨୫ ଟଙ୍କା ଦେଇନାହାନ୍ତି। ଭଗବାନପୁର ଓ ଗୋଳାବନ୍ଧ ପଞ୍ଚାୟତ ପାଇଁ ଜିପିଟିଏ ପୁଷ୍ପଲତା ବେହେରା ୪ହଜାର ୯୫୦ ଗାର୍ଡ ନେଇ ୧ହଜାର ୪ଶହ ଟଙ୍କା ଦେଇଥିବାବେଳେ ବାକି ୩ହଜାର ୫୫୦ ଗାର୍ଡ ପାଇଁ ୨ଲକ୍ଷ ୭ହଜାର ୬୭୫ ଟଙ୍କା ବକେୟା ରହିଛନ୍ତି। ଅରଖପୁର ପଞ୍ଚାୟତ ପାଇଁ ଜିପିଟିଏ ସାଗର ରଂଜନ ବେହେରାଙ୍କୁ ୮୮୦ ଗାର୍ଡ ପାଇଁ ୫୧ହଜାର ୪୮୦ ଟଙ୍କା, କଳମ୍ବ, ମୋଟାବାଡ଼ି ଓ ଶଙ୍କୁରୁ ପଞ୍ଚାୟତର ବାକି ୬ହଜାର ୭ଶହ ଗାର୍ଡ ପାଇଁ ଜିପିଟିଏ ସୁକାନ୍ତ ‌ବେହେରାଙ୍କୁ ୩ଲକ୍ଷ ୯୧ହଜାର ୯୫୦ ଟଙ୍କା, ପାଙ୍ଗିଡ଼ି ଏବଂ ବାଲିପଦର ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ରତିରଂଜନ ବେହେରାଙ୍କୁ ୧ହଜାର ୨୫୬ ଗାର୍ଡ ପାଇଁ ୭୫ହଜାର ୮୧୬ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଦିନ ଭିତରେ ଟଙ୍କା ପ୍ରଦାନ ନ କଲେ ଦରମାରୁ ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆଶିଷ ପଟ୍ଟନାୟକ ଓ ରବୀନ୍ଦ୍ର ନାଥ ନାୟକଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ସଂପୃକ୍ତ ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର