ପଶ୍ଚିମ ଓଡ଼ିଶା ସ୍ମୃତିରେ ବାଜପେୟୀ : ସବୁ ଘରେ ଚୁଙ୍ଗା ଲଗେଇ ଦିଅ

ସମ୍ବଲପୁର : ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଅନେକଥର ପଶ୍ଚିମ ଓଡ଼ିଶା ଆସିଥିଲେ। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବି। ସେତେବେଳେ ମଧ୍ୟ ତାଙ୍କୁ ଦେଖିବାକୁ ଓ ଶୁଣିବାକୁ ବହୁତ ଲୋକଭିଡ଼ ହେଉଥିଲା। ତାଙ୍କର ଭାଷଣ ବେଶ୍‌ ଓଜସ୍ୱିନୀ ଥିଲା। ବେଳେବେଳେ ସେଥିରେ ମଜା ମଜା କଥା ବି କହୁଥିଲେ। ସେମିତି ଏକ ଘଟଣା ସଂପର୍କରେ ମନେ ପକାନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ। ୧୯୯୮ ମସିହାର କଥା। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଝାରସୁଗୁଡ଼ା ଆସିଥାନ୍ତି ବାଜପେୟୀ। ଏୟାରଷ୍ଟ୍ରିପ୍‌ରୁ ତାଙ୍କୁ ଏକ ଶୋଭାଯାତ୍ରାରେ ମନମୋହନ ସ୍କୁଲ ପଡ଼ିଆକୁ ଅଣାଗଲା। ଲୋକଭିଡ଼ ଦେଖି ତାଙ୍କୁ ଆଉ ଟିକେ ଉତ୍ସାହିତ କରିବା ପାଇଁ ଆୟୋଜକମାନେ କହିଲେ, ସାର୍‌ ଏଠି ଯେତିକି ଲୋକ ଅଛନ୍ତି ତ ଦେଖୁଛନ୍ତି, ଆହୁରି ଅନେକ ଲୋକ ଏଠାରେ ପହଞ୍ଚି ପାରୁନାହାନ୍ତି। ରାସ୍ତାରେ ଜମା ହୋଇ ରହିଛନ୍ତି। ସେଥିଲାଗି ଏଠାରୁ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ରାସ୍ତାରେ ଥିବା ସବୁ ବିଦ୍ୟୁତ ଖୁଣ୍ଟରେ ମାଇକ୍‌ (ଚୁଙ୍ଗା) ଲଗେଇ ଦିଆଯାଇଛି। ସେମାନେ ସେଠାରେ ରହି ଆପଣଙ୍କ ଭାଷଣ ଶୁଣିବେ। ଏ କଥା ଶୁଣି ପ୍ରତ୍ୟୁତ୍ପନ୍ନମତି ବାଜପେୟୀ କହିଲେ – ‘ଆରଥରକୁ ଏଠାକାର ସବୁ ଲୋକଙ୍କ ଘରେ ଚୁଙ୍ଗା ଲଗେଇ ଦେବ। ସମସ୍ତେ ଘରେ ବସି ଭାଷଣ ଶୁଣିବେ।’

ସମ୍ବନ୍ଧିତ ଖବର