ଆଜିଠୁଁ ଗଡ଼ିବ ମେମୁ ଟ୍ରେନ୍‌ : ବ୍ରହ୍ମପୁର-କଟକ ମଧ୍ୟରେ ସପ୍ତାହକୁ ୬ ଦିନ, ପ୍ରତି ଶନିବାର ବ୍ରହ୍ମପୁର-ଖୋର୍ଧା ଓ ରବିବାର ଖୋର୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ

ଚନ୍ଦ୍ରଶେଖରପୁର : ଯାତ୍ରୀ ଭିଡ଼କୁ ଏଡ଼ାଇବା ଲକ୍ଷ୍ୟରେ ପୂର୍ବତଟ ରେଳ ପକ୍ଷରୁ ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ୍‌ ଆସନ୍ତା କାଲି(ଶୁକ୍ରବାର)ଠାରୁ ଯାତ୍ରା ଆରମ୍ଭ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍‌ ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ। ରଥଯାତ୍ରା ଅବସରରେ ଏହି ଟ୍ରେନ୍‌ ବେଶ୍‌ ଫଳପ୍ରଦ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। କ୍ଷୀପ୍ର ଗତିରେ ଯାତ୍ରା କରୁଥିବା ଏହି ମେମୁ ଟ୍ରେନ୍‌ କପୁରଥାଲା ରେଳ କୋଚ୍‌ ଫ୍ୟାକ୍ଟିରେ ସମ୍ପୂର୍ଣ୍ଣ ଭାବରେ ନୂଆ କରି ନିର୍ମିତ ହୋଇଛି। ହାଇକୋର୍ଟ, ବଡ଼ ମେଡ଼ିକାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ରାଜଧାନୀର ସଚିବାଳୟ ଓ ବିଭିନ୍ନ ପ୍ରତିଷ୍ଠାନରେ ଚାକିରି କରୁଥିବା କର୍ମଜୀବୀ ଓ ସାଧାରଣ ଲୋକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ସହାୟକ ହେବ। ପୂର୍ବର ବ୍ରହ୍ମପୁର-କଟକ ପାସେଞ୍ଜର୍‌ ଟ୍ରେନ୍‌ର ସମୟରେ ଏହି ମେମୁ ଟ୍ରେନ୍‌ ଯାତ୍ରା କରିବ। ଏହି ଲାଇନ୍‌ରେ ରବିବାର ଦିନ ସାଧାରଣ ପାସେଞ୍ଜର୍‌ ଟ୍ରେନ୍‌ ସେବା ପୂର୍ବଭଳି ନିର୍ଦ୍ଧାରିତ ସମୟରେ ଚଳାଚଳ କରିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ସେହିପରି ପ୍ରତି ଶନିବାର ଦିନ ଏହି ଟ୍ରେନ୍‌ ବ୍ରହ୍ମପୁର-ଖୋର୍ଧା ଓ ରବିବାର ଦିନ ଏହା ଖୋର୍ଧା-ବ୍ରହ୍ମପୁର ମେମୁ ସ୍ପେସାଲ୍‌ ଭାବେ ଯାତ୍ରା କରିବ। ଚଳିତ ମାସ ୩୦ ଶନିବାର ଓ ଜୁଲାଇ ପହିଲା ରବିବାରରୁ ଏହା ଆରମ୍ଭ ହେବ। ଏହି ନୂତନ ଗାଡ଼ିରେ ୧୨ଟି ମେମୁ କୋଚ୍‌ ରହିଛି। ଖୋର୍ଧା ରୋଡ୍‌ ଓ ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ରେଳ ସେବା ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବାରେ ବେଶ୍‌ ଫଳପ୍ରଦ ହେବ। ଉଲ୍ଲେଖଯୋଗ୍ୟଯେ ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ମେମୁ ଟ୍ରେନ୍‌ କ୍ଷୀପ୍ର ଗତିରେ ଯାତ୍ରା କରିବା ସହିତ ଷ୍ଟେସନ୍‌ରେ ଜଲ୍‌ଦି ବନ୍ଦ ଓ ଜଲ୍‌ଦି ଆରମ୍ଭ ହେବାର କ୍ଷମତା ଧାରଣ କରିଛି। ଏହି ଟ୍ରେନ୍‌ର ବଗିଗୁଡ଼ିକରେ ଯାତ୍ରୀ ମାନଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ତମ ଶୌଚାଳୟର ବ୍ୟବସ୍ଥା ସହିତ ଏହି ଟ୍ରେନ୍‌ରେ ଇଂଜିନ୍‌ ପରିବର୍ତନର ମଧ୍ୟ ଆବଶ୍ୟକତା ନାହିଁ। ଟ୍ରେନ୍‌ର ମଧ୍ୟଭାଗରେ ଏହାର ଇଂଜିନ୍‌ ରହିଥିବାରୁ ଏହାର ପରିବର୍ତନର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର